Wednesday , March 29 2023
Home / ରାଜନୀତି / ସମ୍ଭାବ୍ୟ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ବିରୁଦ୍ଧରେ ବିଧାନସଭା ସମ୍ମୁଖରେ ଗଣ ବିକ୍ଷୋଭ ଓ ମାନ୍ୟବର ମନ୍ତ୍ରୀଙ୍କୁ ସ୍ମାରକପତ୍ର : ସମାଜବାଦୀ ପାର୍ଟି

ସମ୍ଭାବ୍ୟ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ବିରୁଦ୍ଧରେ ବିଧାନସଭା ସମ୍ମୁଖରେ ଗଣ ବିକ୍ଷୋଭ ଓ ମାନ୍ୟବର ମନ୍ତ୍ରୀଙ୍କୁ ସ୍ମାରକପତ୍ର : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- ଓ.ଇ.ଆର.ସି. (ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗ) ଚଳିତ ଆର୍ଥିକ ବର୍ଷ ପାଇଁ ଗ୍ରୀଡକୋର ତଥାକଥିତ ବାର୍ଷିକ ଆର୍ଥିକ କ୍ଷତିକୁ ଭରଣା କରିବା ପାଇଁ ଶୁଳ୍କ ବୃଦ୍ଧି କରିବାକୁ ଦିଆଯାଇଥିବା ଦରଖାସ୍ତକୁ ବିଚାର ପାଇଁ ଗ୍ରହଣ କରି ବିଦୁ୍ୟତ୍ ୟୁନିଟ୍ ପିଛା ଶୁଳ୍କ ବୃଦ୍ଧି କରିବାର ସମ୍ଭାବନା ରହିଛି । ଓ.ଇ.ଆର.ସି. ର ଏହି ନିଷ୍ପତିକୁ ରାଜ୍ୟର ବିଦୁ୍ୟତ୍ କମ୍ପାନୀମାନେ ଆଗାମୀ ଏପ୍ରିଲ୍ ୧ ତାରିଖରୁ କାର୍ଯ୍ୟକାରୀ କରିବେ । କମ୍ପାନୀମାନଙ୍କର ଅପାରଗତା, ଦୁର୍ନୀତି ଓ ଭ୍ରଷ୍ଟାଚାର ଯୋଗୁଁ ପରିବହନ ଜନିତ କ୍ଷତି ବଢ଼ିବଢ଼ି ଚାଲୁଥିଲା ବେଳେ କମ୍ପାନୀମାନେ ଏହାକୁ ସୁଧାରିବା ପରିବର୍ତେ ଏହି ବୋଝକୁ ଶୁଳ୍କ ବୃଦ୍ଧି କରି ୮୭ ଲକ୍ଷ ଉପଭୋକ୍ତାଙ୍କ ଉପରେ ଲଦିବାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ବିଧାନସଭା ଆଗରେ ଅନୁଷ୍ଠିତ ଏକ ଗଣ ବିକ୍ଷୋଭରେ ଅଭିଯୋଗ କରିଛନ୍ତି । ଫଳରେ କରୋନା ସଂକ୍ରମଣ ଭଳି ଏକ ମହାମାରୀର ସମ୍ମୁଖୀନ ହୋଇଥିବା ୪ କୋଟି ୨୦ଲକ୍ଷ ଓଡ଼ିଶାବାସୀଙ୍କୁ ବିଦୁ୍ୟତ୍ ଶୁଳ୍କ ବୃଦ୍ଧିର ବୋଝ ବୋହିବାକୁ ପଡ଼ିବ ।
ଏଠାରେ ଉଲ୍ଲେଖ ଥାଉକି, ସମଗ୍ର ଭାରତ ବର୍ଷରେ ବିଦୁ୍ୟତ୍ ସଂସ୍କାର କ୍ଷେତ୍ରରେ ପଦକ୍ଷେପ ନେବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । ୧୯୯୪-୯୫ ମସିହାରେ ସେତେବେଳେ ବାର୍ଷିକ ୩୦୦ କୋଟି ଟଙ୍କା କ୍ଷତି କରୁଥିବା ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ବୋର୍ଡକୁ ଭାଙ୍ଗି ବିଦୁ୍ୟତ୍ ବ୍ୟବସ୍ଥାକୁ ସୁସଂହତ କରିବା ପାଇଁ ଓଡ଼ିଶା ସରକାର ବିଦୁ୍ୟତ୍ର ଘରୋଇକରଣ ଆରମ୍ଭ କରିଥିଲେ । ଉତ୍ପାଦନ, ଆବଂଟନ ଓ ପରିବହନକୁ ନେଇ ଭିନ୍ନଭିନ୍ନ ବିଦୁ୍ୟତ୍ କମ୍ପାନୀ ଗଠନ କରାଯାଇଥିଲା । ରାଜ୍ୟବାସୀଙ୍କୁ ଓଡ଼ିଶା ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ, ଗୁଣାତ୍ମକ ବିଜୁଳି ସେବା ରାଜ୍ୟର ଖାଉଟିମାନଙ୍କୁ ଯୋଗାଇଦେବେ । କିନ୍ତୁ ଦୁଃଖର କଥା, ୨୫ବର୍ଷ ତଳେ ହୋଇଥିବା ସଂସ୍କାରର ସୁଫଳ ଆଜି ସାଧାରଣ ଖାଉଟିଙ୍କ ପାଇଁ ଅପହଂଚ ହୋଇଯାଇଛି । ମଣିଷକୃତ ଦୁର୍ନୀତି, ଦୁର୍ବିାକ, ଅପାରଗତା ଓ ଭ୍ରଷ୍ଟାଚାର ଯୋଗୁଁ ଓଡ଼ିଶାର ଲକ୍ଷଲକ୍ଷ ଖାଉଟିଙ୍କ ଉପରେ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ବର୍ଷକୁ ବର୍ଷ ବଢିଚାଲିଛି । କମ୍ପାନୀମାନଙ୍କର ବାର୍ଷିକ କ୍ଷତିକୁ ଭରଣା କରିବା ପାଇଁ ସେମାନେ ଓ.ଇ.ଆର.ସି.କୁ ଢାଲ କରି ଜନସାଧାରଣଙ୍କ ଉପରେ ଶୁଳ୍କବୃଦ୍ଧିର ବୋଝ ଲଦି ଚାଲିଛନ୍ତି । ଓଡ଼ିଶାଠାରୁ ବିଜୁଳି କିଣି ଦିଲ୍ଲୀ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ଉତରପ୍ରଦେଶ ଭଳି ରାଜ୍ୟ ଖାଉଟିମାନଙ୍କୁ ଶସ୍ତାରେ ବିଜୁଳି ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ବିଜୁଳି ବର୍ଷକୁ ବର୍ଷ ମହଙ୍ଗା ହେବାରେ ଲାଗିଛି । ଜାତୀୟ ସ୍ତରରେ ପରିବହନ ଜନିତ କ୍ଷତି ଆଜି ୧୫ ଶତାଂଶରେ ପହଂଚିଥିଲା ବେଳେ ଓଡ଼ିଶାରେ ୨୫ବର୍ଷର ବିଦୁ୍ୟତ୍ ସଂସ୍କାର ପରେ ମଧ୍ୟ ଏହି କ୍ଷତି ଆଜି ପାଖାପାଖି ୩୦ ଶତାଂଶ ରହିଛି । ଏକ ଶତାଂଶ ଏ.ଟି.ସି. କ୍ଷତିକୁ ଯଦି ଆମେ ବଂଚାଇ ଦେଇପାରନ୍ତେ, ତାହେଲେ ବାର୍ଷିକ ୭୦ ରୁ ୮୦ କୋଟି ଟଙ୍କା ରାଜସ୍ୱ ବଂଚିପାରନ୍ତା । କିନ୍ତୁ ବିଜୁଳି କମ୍ପାନୀମାନେ ଏସବୁକୁ ବେଖାତିର କରି ଭିତିଭୂମିର ବିକାଶ ନ କରି ଏହି କ୍ଷତିକୁ ସାଧାରଣ ଖାଉଟିଙ୍କ ଉପରେ ଲଦି ଚାଲିଛନ୍ତି । ଚଳିତବର୍ଷ ଗ୍ରୀଡକୋ ସମେତ ଓ.ଏଚ୍.ପି.ସି., ଓ.ପି.ଜ.ସି., ଓ.ପି.ଟି.ସି.ଏଲ୍ ଏବଂ ଟାଟା ଅଧିଗ୍ରହଣ କରିଥିବା ଡିସକମ୍ ସମୂହ ଯଥା- ସେସୁ, ୱେସ୍କୋ, ନେସ୍କୋ ଓ ସାଉଥକୋ ଭଳି ଆବଂଟନ କମ୍ପାନୀମାନେ ଶୁଳ୍କ ବୃଦ୍ଧି କରିବା ପାଇଁ ଓ.ଇ.ଆର.ସି. ପାଖରେ ଆବେଦନ କରି ଚାପ ପକାଇ ଆସୁଛନ୍ତି । ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ଅନାଦେୟ ବିଜୁଳି ଶୁଳ୍କ ପାଖାପାଖି ୪୨୩୪କୋଟି ଟଙ୍କା ବାକି ପଡ଼ିଥିଲା ବେଳେ ତାକୁ ଆଦାୟ ନ କରି ଜନସାଧାରଣଙ୍କ ଉପରେ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ଲଦିଦେବାର ମସୁଧା କରିବା ଅତ୍ୟନ୍ତ ଅଯୌକ୍ତିକ ଓ ଜନବିରୋଧି ବୋଲି ପାର୍ଟିର ରାଜ୍ୟ ସଭାପତି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ମାନ୍ୟବର ମନ୍ତ୍ରୀଙ୍କୁ ଦିଆଯାଇଥିବା ୬ ଦଫା ସମ୍ବଳିତ ସ୍ମାରକପତ୍ରରେ ପାର୍ଟି ପକ୍ଷରୁ ଦାବି କରାଯାଇଛି ଯେ ଶୁଳ୍କ ବୃଦ୍ଧି ପୂର୍ବରୁ ରାଜ୍ୟ ସରକାର (୧) ବିଦ୍ୟୁତ୍ ସଂସ୍କାର ଦିନଠାରୁ କମ୍ପାନୀମାନଙ୍କର ଆୟ ବ୍ୟୟ ଉପରେ ଏକ ଶ୍ୱତପତ୍ର ପ୍ରକାଶ କରନ୍ତୁ । (୨) ବିଜୁଳି କମ୍ପାନୀମାନଙ୍କର ବାର୍ଷିକ ଆର୍ଥିକ କାରବାରର ସି.ଏ.ଜି. ଅଡିଟ୍ ହେବା ସହିତ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ଏନର୍ଜି ଅଡିଟ୍ ମଧ୍ୟ କରିବାକୁ ଦାବି କରାଯାଇଛି । (୩) ଆଗାମୀ ଆର୍ଥିକ ବର୍ଷରୁ ହେବାକୁ ଥିବା ସମ୍ଭାବ୍ୟ ବିଦୁ୍ୟତ୍ ଶୁଳ୍କ ବୃଦ୍ଧିକୁ ବନ୍ଦ କରାଯାଉ । (୪) ୨୦୦ ୟୁନିଟ୍ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ବିଜୁଳି ଉପଭୋକ୍ତାଙ୍କୁ ମାଗଣାରେ ବିଜୁଳି ଶକ୍ତି ଯୋଗାଇ ଦିଆଯାଉ । (୫) ଆଗାମୀ ପରୀକ୍ଷା ଋତୁକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ପାୱାରକଟ୍, ଲୋ ଭୋଲଟେଜ୍ ପାୱାରଟି୍ରପ୍ ଭଳି ସମସ୍ୟାର ତୁରନ୍ତ ସମାଧାନ କରାଯିବା ସହିତ ଏ.ଟି.ସି. କ୍ଷତିକୁ ତୁରନ୍ତ ୧୫ ଶତାଂଶକୁ କମାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ । (୬) ରାଜ୍ୟର ଚାଷୀମାନଙ୍କୁ ମାଗଣାରେ ବିଦୁ୍ୟତଶକ୍ତି ଯୋଗାଇ ଦେବା ସହିତ କରୋନା ସମୟର ବିଦୁ୍ୟତ୍ ଶୁଳ୍କ ଛାଡ଼ କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି । ଏହି ଗଣ ବିକ୍ଷୋଭରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଂଜୟ ନାୟକ, ବରିଷ୍ଠ ନେତା ବିଜୟ ବେହେରା, ଯୁବ ନେତା ସୁବ୍ରତ ଲେଙ୍କା, ଛାତ୍ର ନେତା ଓମ୍ ପ୍ରକାଶ ଦାସ, ସୌମ୍ୟ ରଂଜନ ଦାସ, ସଂଜୟ ପ୍ରଧାନ, ନାରୀ ନେତ୍ରୀ ରୀତା ପଟ୍ଟନାୟକ, ଶ୍ରୀମତୀ ସୟିଦା ଓ ସାବିତ୍ରୀ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ମାନ୍ୟବର ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାର ଯଦି ବିଦୁ୍ୟତ୍ ଶୁଳ୍କ ବୃଦ୍ଧିରୁ କ୍ଷାନ୍ତ ନ ରୁହନ୍ତି ତାହେଲେ ଆଗାମୀ ଦିନରେ ବିଦୁ୍ୟତ୍ ଶୁଳ୍କ ବୃଦ୍ଧିକୁ ନେଇ ଜନ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ପାର୍ଟି ପକ୍ଷରୁ ଏହି ପ୍ରେସ୍ ଇସ୍ତାହାରରେ ସତର୍କ କରାଇ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.