କେନ୍ଦ୍ରାପଡା, ୧୮/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ମନରେଗା ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଆଖିବୁଜା ଦୁର୍ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚଳିତମାସ ୧ତାରିଖରେ ସେହି ଦୁର୍ନୀତିରେ ସଂପୃକ୍ତ ଯନ୍ତ୍ରୀ, ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବକରି ପଂଚାୟତବାସୀ ଗଣଧାରଣା ଦେଇଥିଲେ । ବ୍ଲକ ବିଡିଓଙ୍କ ଠାରୁ ପ୍ରତିଶୃତି ମିଳିବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଶେଷରେ ବିଡିଓଙ୍କ ପ୍ରତିଶୃତି କାର୍ଯ୍ୟକାରୀ ନହେବାରୁ ପୁନର୍ବାର ପଂଚାୟତବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବିସିରହିଥିବା ଦେଖିବାକୁ ମିଳିଛି । ବାରୋ ପଂଚାୟତ ଏକ ବୃହତମ ପଂଚାୟତ ହୋଇଥିବା ବେଳେ ସେହି ପଂଚାୟତକୁ ଆସିଥିବା ମନରେଗା ଯୋଜନା ସରକାରୀ ଅନୁଦାନ ଅର୍ଥରେ କେନ୍ଦ୍ର ସରକାରଙ୍କ ନବଦ୍ୱୟ ବିଦ୍ୟାଳୟ ଖେଳପଡିଆରେ ଜେସିବି ମେସିନ ଦ୍ୱାରା ଅଳ୍ପ କିଛି କାର୍ଯ୍ୟ କରିଦେଇ ମାପଚୁପ କରାନଯାଇ କିମ୍ବା ଏମବିରେ ଏନ୍ଟ୍ରୀ ନକରାଯାଇ ଏକଲକ୍ଷ ୩୩ହଜାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏଥିରେ ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଜି.ଆର.ଏସ. ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଏହାବ୍ୟତିତ ବାରୁଅ ଖେଳପଡିଆ, ତରାଣ୍ଡୋ ସ୍କୁଲ ପାର୍କ ନିର୍ମାଣ ନାମରେ ୬ଲକ୍ଷ ଟଙ୍କା ସରକାରୀ ଆକାଉଁଟରୁ ଉଠାଇ ନେଇ ହରିଲୁଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ପଂଚାୟତବାସୀ ଓ ୱାର୍ଡସଭ୍ୟସଭ୍ୟାମାନେ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଅଭିଯୋଗ କରିଥିଲେବି ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେମାନେ କହିଛନ୍ତି । ଏତଦଭିନ୍ନ ପଂଚାୟତ ଆଲୋକିକରଣ, ବୃକ୍ଷରୋପଣ, ଇଟିପୁର ଖେଳପଡିଆ, ବାରୋ ଏବଂ ଇଟିପୁର ଗ୍ରାମରେ ପୋଖରୀ ଖନନ, କଳାମାଟିଆ ରାସ୍ତା ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ, ତରାଣ୍ଡୋ ଏବଂ ଇଟିପୁର ସ୍କୁଲ ପାଚେରୀ ନିର୍ମାଣ ଏବଂ ନିଳିକଣା ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ପ୍ରାୟ ୫୦ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏକ ବୃହର ସ୍ୱାର୍ଥ ଦୃଷ୍ଟିରୁ ଜନସାଧାରଣ ଦେଉଥିବା ଟ୍ୟାକ୍ସ ଅର୍ଥର ସଦବିନିଯୋଗ କରାଯିବାକୁ ଏବଂ ସରକାରୀ ଅନୁଦାନ ଅର୍ଥକୁ ଆତ୍ମସାତ କରିଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବା ଦାବିରେ ବାରୋ ପଂଚାୟତବାସୀଙ୍କ ପକ୍ଷରୁ ବସନ୍ତ ନାୟକ, ଭାଗୀରଥି ଜେନା, ହେମନ୍ତ କୁମାର ପରିଡା, ଉମେଶ ଚନ୍ଦ୍ର ପରିଡା, ରାଜକିଶୋର ନାୟକ, ମାନସ ପରିଡା, ନକୁଳ ମଳିକ, ବସନ୍ତ ନାୟକ ପ୍ରମୁଖ ଶତାଧିକ ପଂଚାୟତବାସୀ ଗଣଧାରଣାରେ ବସିରହିଥିବା ଦେଖାଯାଇଥିଲା । ଓଡ଼ିଶା ସମାଚାର