କେନ୍ଦ୍ରାପଡ଼ା,୧୭/୦୩/୨୦୨୧(ଓଡ଼ିଶା ସମାଚାର)- ଗ୍ରୀଷ୍ମଋତୁ ଆଗମନରେ ଏବେଠାରୁ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୁତ ହେଲାଣି । ଦିନ ୧୧ଟା ପରଠାରୁ ଘରୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇପଡିଲାଣି । ଏମିତିରେ ଗତ ଚାରି ପାଂଚ ମାସ ହେବ ବର୍ଷାବିନ୍ଦୁ ଟିଏ ମଧ୍ୟ ଧରଣୀର ସ୍ପର୍ଶ ପାଇନାହିଁ । ଚାରିଆଡେ ମାଟିଫାଟି ହାହାକାର । ପ୍ରକୃତି ଉପରେ ଏହାର ପ୍ରଭାବ ବହୁମାତ୍ରାରେ ପଡୁଛି । ଯାହା ଫଳରେ ଗଛଲତା ସବୁ ଶୁଖି ମରିବାକୁ ବସିଲେଣି । ବନ୍ୟ ପ୍ରାଣୀମାନେ ଟୋପେ ପିଇବାକୁ ନପାଇ ଅକାଳରେ ପ୍ରାଣ ତ୍ୟାଗ କରୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ “ପାୟଲ ମୁ୍ୟଜିକ ସ୍କୁଲ” ଆଗକୁ ଆସି ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ବନ୍ୟପ୍ରାଣୀମାନେ କିପରି ଭାବରେ ପାନୀୟଜଳ ପାଇପାରିବେ ସେସବୁକୁ ଦୃଷ୍ଟିରେ ରଖି ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ “ପାୟଲ ମୁ୍ୟଜିକ ସ୍କୁଲ”ପରିସର, ଚଣ୍ଡୀଦେବୀ ମନ୍ଦିର ଓ ଇନ୍ଦୁପୁର ବଜାରରେ ଥିବା ଗଛମାନଙ୍କରେ ଗୋଟେ ଗୋଟେ ପ୍ଲାଷ୍ଟିକ ପାତ୍ର ରଖି ତାହା ଭିତରେ ପାନୀୟ ଜଳ ରଖିଦେଇଛନ୍ତି । ଯାହାଦ୍ୱାରାକି ପକ୍ଷୀମାନେ ପିଇବା ପାଇଁ ପାନୀୟ ଜଳ ପାଇପାରିବେ । ପ୍ରତିଦିନ ସେହି ପ୍ଲାଷ୍ଟିକ ପାତ୍ରରେ ନୂତନ ଭାବେ ପାଣି ପୁରାଇବାକୁ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଏଥିସହିତ ବୁଲା ଗୋରୁଗାଇଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ କୁଣ୍ଡ ରଖାଯାଇ ସେଥିରେ ପାନୀୟ ଜଳର ବ୍ୟବସ୍ଥା ଖୁବଶୀଘ୍ର କରାଯିବ ବୋଲି ସମ୍ପାଦକ ଶ୍ରୀ ସାମଲ ସୂଚନା ଦେଇଛନ୍ତି । ଅନୁଷ୍ଠାନର ଏଭଳି ଜନମଙ୍ଗଳ କାର୍ଯ୍ୟରେ ବହୁ ବୁଦ୍ଧିଜୀବି ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତଙ୍କୁ ଅନୁଷ୍ଠାନର ସଭାପତି ନୀଳମାଧବ ପତି କୃତଜ୍ଞତା ଅର୍ପଣ କରିବା ସହ ସେମାନଙ୍କୁ ନିଜ ନିଜ ଅଂଚଳରେ ଏଭଳି ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଅନୁଷ୍ଠାନର ଏଭଳି ପ୍ରୟାସକୁ ସବୁ ସ୍ତରରେ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର