ଗରଦପୁର, ୧୭/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ୍ ଏକ କୃଷି ପ୍ରଧାନ ଅଂଚଳ । ଏହି ବ୍ଲକ୍ର ଚାଷୀମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ଧାନ, ଡାଲିଜାତୀୟ ଚାଷ ବ୍ୟତୀତ ଫଳ ପନିପରିବା ଚାଷ ଉପରେ ଅନେକ ଚାଷୀ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲାର ଶ୍ୟାମସୁନ୍ଦରପୁର ଠାରେ ଥିବା ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାର ଚାଲୁନଥିବାରୁ ଜିଲ୍ଲାବାସୀ ନିଜର ପନିପରିବା ରକ୍ଷଣାବେକ୍ଷଣ କରିବାରେ ନାହିଁ ନଥିବା ହଇରାଣର ସମ୍ମୁଖିନ ହେଉଛନ୍ତି । ସରକାର ଚାଷ ଓ ଚାଷୀର ଉନ୍ନତି ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରୀ ଯୋଜନା କେବଳ ବିଭିନ୍ନ ସଭା ଓ ପ୍ରଚାରରେ ସିମୀତ ରହିଛି । ପ୍ରକୃତପକ୍ଷେ ଚାଷୀଙ୍କର ଆବଶ୍ୟକତାକୁ ଅନୁଧ୍ୟାନ କରି ଏହାକୁ କାର୍ଯ୍ୟକାରୀ କରିବା ବହୁ ଦୂରରେ ରହିଯାଇଛି । ପନିପରିବା ଅମଳ ସମୟରେ ଚାଷୀ ଶାଗମାଛ ଦରରେ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରୀ କରୁଛି । ଆଳୁ, ବାଇଗଣ, ବିଲାତି ଇତ୍ୟାଦି ଅମଳ ସମୟରେ ଟଙ୍କାଏ, ଦୁଇ ଟଙ୍କାରେ ବିକ୍ରି କରୁଥିବାରୁ ତାର ତୋଳିବା ମୂଲ ମଜୁରୀ ଉଠୁନାହିଁ । କାରଣ ସଂରକ୍ଷିତ କରି ରଖିବାକୁ ବ୍ଲକ୍ରେ କିମ୍ବା ଜିଲ୍ଲାରେ ଶୀତଳଭଣ୍ଡାର ଟିଏ ନାହିଁ । ଗରଦପୁର ବ୍ଲକ୍ର ଚିତ୍ରୋତ୍ପଳା, କରାଣ୍ଡିଆ, ପାଇକା ନଦୀକୂଳ ଏବଂ ବ୍ଲକ୍ ମଧ୍ୟରେ ଯାଇଥିବା ନାଳ, ମାହାରା ଓ ପାଟନାଳୀ କୂଳରେ ମଧ୍ୟ ଚାଷୀମାନେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛନ୍ତି । କିନ୍ତୁ ସବୁ ସମୟରେ ସେସବୁର ଉଚିତ୍ ମୂଲ୍ୟ ମିଳି ପାରୁନାହିଁ । ବିଶେଷକରି ବିଲାତି ଚାଷ କରୁଥିବା ଚାଷୀମାନେ ବହୁ ପରିମାଣର କ୍ଷତି ସହୁଥିବା ଦେଖାଯାଉଛି । ବିଲାତି ବାଇଗଣ ଅମଳର ପ୍ରଥମ ଅବସ୍ଥାରେ କିଲୋ ୭୦/୮୦ ଟଙ୍କା ହୋଇଥିବାବେଳେ ଚାଷୀ ଭଲ ଦି ପଇସା ଲାଭ ପାଇଥାଏ । କିନ୍ତୁ ବର୍ତମାନ ବିଲାତି ୧୦ ଟଙ୍କାରେ ୪ କିଲୋ ହୋଇଯାଇଥିବାରୁ ଚାଷୀର ମୂଲ ମଜୁରୀ ଉଠୁନାହିଁ । ତେଣୁ ଚାଷୀ ବସ୍ତା ବସ୍ତା ବିଲାତି ଆଣି ସବୁ ବିକ୍ରି କରି ନପାରି ହାଟରେ ଫୋପାଡୁଛି ନଚେତ୍ ଗୋରୁଙ୍କ ଆଗରେ ଥୋଉଛି । ତାପରେ ଯେତେବେଳେ ବିଲାତି ଅମଳ କମିଯାଉଛି ପୁଣି ବିଲାତି କିଲୋ ୭୦/୮୦ ଟଙ୍କାରେ ପହଂଚୁଛି । ସେତେବେଳେ ଚାଷୀ ପାଖରେ ବିଲାତି ନାହିଁ । ଯାହାକି ବାହାର ରାଜ୍ୟରୁ ବିଲାତି ଆସି ବିକ୍ରି ହେଉଛି । ଏହି ସମୟରେ ଯଦି ଶୀତଳଭଣ୍ଡାର ଟିଏ ପାଖରେ ଥାଆନ୍ତା ତେବେ ଚାଷୀ ତାର ସାମଗ୍ରୀକୁ ନଷ୍ଟ କରନ୍ତା ନାହିଁ କିମ୍ବା ଅଭାବି ବିକ୍ରି କରନ୍ତା ନାହିଁ । ଓଡିଶାରେ ଅଧିକରୁ ଅଧିକ ଶୀତଳଭଣ୍ଡାର ଖୋଲିବାକୁ ସରକାରୀ ସ୍ତରରେ ବ୍ୟବସ୍ଥା କରାଗଲେ ଚାଷୀର ପ୍ରକୃତ ଉନ୍ନତି ହୋଇପାରନ୍ତା । ଗତ ଚାରିବର୍ଷ ହେବ ଗରଦପୁର ବ୍ଲକ୍ ସିଙ୍ଗିଟିଆ ଠାରେ ଏକ ଶୀତଳଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ଆଶାନୁରୂପକ ଅଗ୍ରଗତି ହେଉନଥିବାରୁ ଚାଷୀମାନଙ୍କ ମନରେ ମଧ୍ୟ ଆଶଙ୍କା ଦେଖାଦେଇଛି । ତେବେ ପ୍ରତି ପଂଚାୟତରେ ଗୋଟିଏ ଲେଖାଁ ଶୀତଳଭଣ୍ଡାର ପ୍ରତିଷ୍ଠା କରାଗଲେ ଚାଷୀମାନଙ୍କର ପନିପରିବା ଚାଷରେ ଥିବା ଆଶଙ୍କା ଦୂର ହୋଇପାରିବ ବୋଲି ଅନେକ ମତ ଦେଇଛନ୍ତି । ତେଣୁ ଗରଦପୁର ବ୍ଲକ୍ ରେ ନିର୍ମାଣାଧିନ ଶୀତଳଭଣ୍ଡାରର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ସହିତ ଆଉ ଅଧିକ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ କୃଷି ବିଭାଗ ତରଫରୁ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର