କେନ୍ଦ୍ରାପଡା, ୧୬/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଗରଦପୁର ବ୍ଲକର କୋରୁଆ ନିକଟବତୀ ତଳକୁସୁମା ଗ୍ରାମରେ ପବିତ୍ର ଚିତ୍ରୋତ୍ପଳା ନଦୀ ତଟରେ ଅବସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ବ୍ରଜ ଗଦାଧର ଗୋସ୍ୱାମୀଙ୍କ ପୀଠରେ ଏକ ଯାତ୍ରୀ ନିବାସ ଗୃହ ନିର୍ମାଣ ସହିତ ସେଠାରେ ଏକ ସୈାରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଗୋଷ୍ଠି ଭିତିକ ଶୌଚାଳୟ ନିମନ୍ତେ ୯ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ସ୍ଥାନୀୟ ବୁଦ୍ଧିଜୀବି ଓ ସାମାଜିକ କର୍ମୀମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ଏସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ ୨୦୧୩ ମସିହାରୁ ସେହି ପୀଠ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲେବି ଏପର୍ଯ୍ୟନ୍ତ ପୀଠର ଉନ୍ନତିକରଣ ପାଇଁ କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ସେହି ପୀଠକୁ ଆସୁଥିବା ଯାତ୍ରୀ ମାନଙ୍କ ରହଣୀ ନିମନ୍ତେ ଏକ ଯାତ୍ରୀ ନିବାସ ନିର୍ମାଣ କରାଯିବା, ଏକ ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଗୋଷ୍ଠି ଭିତିକ ଶୌଚାଳୟ ନିର୍ମାଣ ସହ ପୀଠର ପାରିପାଶ୍ୱର୍ିକ ଉନ୍ନତିକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି କରାଯାଇଛି । ଚଳିତ ମାସ ୩୧ତାରିଖ ସୁଦ୍ଧା ଏ ସଂପର୍କରେ ସରକାରୀ ସ୍ତରରେ ନିଷ୍ପତି ଗ୍ରହଣ କରାନଗଲେ ଆସନ୍ତା ଅପ୍ରେଲମାସ ୫ ତାରିଖରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୁରଣ ହେବା ପର୍ଯ୍ୟନ୍ତ ଆମରଣ ଅନଶନ କରାଯିବ ବୋଲି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଜେନାଙ୍କ ସମେତ ସନାତନ ଦାସ, ଯୁଧିଷ୍ଠିର ସ୍ୱାଇଁ, ଅଜୟ ଜୁମାର ମହାପାତ୍ର, ଗୋଲଖ ବିହାରୀ ସାହୁ, ଉମାକାନ୍ତ ଜେନା, ପ୍ରଶାନ୍ତ ସିଂ, ବ୍ରହ୍ମାନନ୍ଦ ସାହୁ ଓ ଦେବପ୍ରସାଦ ସ୍ୱାଇଁ ପ୍ରମୁଖ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏଥିସହିତ ଆବେଦନକାରୀମାନେ ଏସମ୍ପର୍କରେ ରାଜ୍ୟ ପର୍ଯ୍ୟଟନ ସଚିବ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ, ଗରଦପୁର ବିଡିଓ ଏବଂ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର