କେନ୍ଦ୍ରାପଡ଼ା, ୧୬/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ଘୋଷଣା ପ୍ରତିବାଦରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ଜାତୀୟକରଣ ବ୍ୟାଙ୍କ ଗୁଡିକୁ ବନ୍ଦ କରାଯାଇ ୨ଦିନିଆ ଧର୍ମଘଟ ଡାକରାର ପ୍ରଭାବ କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି । ଜିଲ୍ଲାର ପ୍ରାୟ ସମସ୍ତ ବ୍ୟାଙ୍କର କର୍ମଚାରୀ ଓ ଅଫିସରମାନେ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡା ସହରରେ ମଧ୍ୟ ସମସ୍ତ ବ୍ୟାଙ୍କ ବନ୍ଦ ରହିବା ସହିତ ପବ୍ଲିକ ସେକ୍ଟର ବ୍ୟାଙ୍କ ଘରୋଇକରଣ ବିରୁଦ୍ଧରେ ବ୍ୟାଙ୍କ ଗୁଡିକ ସମ୍ମୁଖରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନସ ପକ୍ଷରୁ ଧର୍ମଘଟ କରାଯାଇଛି । ଏଥିସହିତ ୟୁନିଅନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ଜାତୀୟକରଣ ବ୍ୟାଙ୍କ ଗୁଡିକ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀ ଓ ଅଫିସରମାନେ ସମସ୍ତ ସରକାରୀ ବ୍ୟାଙ୍କ ସରକାରୀ ହୋଇ ରହିବା ଆମର ଦାବି, ବ୍ୟାଙ୍କ ଘରୋଇକରଣ ବନ୍ଦ କରିବା ଆମର ଦାବି, ଭାରତବର୍ଷର ସାଧାରଣ ଜନତାଙ୍କ ବ୍ୟାଙ୍କ ଜମାର ସୁରକ୍ଷା ଆମର ଦାବି ବୋଲି ନାରାବାଜି ଦେଉଥିବା ଦେଖାଯାଇଥିଲା । ବ୍ୟାଙ୍କ ଗୁଡିକ ବନ୍ଦ ରହିବା ଫଳରେ ସାଧାରଣ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଛି । ୨ନମ୍ବର ଜୋନର ସାଧାରଣ ସମ୍ପାଦକ ଅମିତାଭ ଦାସ କହିଛନ୍ତି ଯେ ବ୍ୟାଙ୍କ ଘରୋଇକରଣ ହେଲେ ତାହାଦ୍ୱାରା ବ୍ୟାଙ୍କର ସାଧାରଣ ଉପଭୋକ୍ତାମାନେ ବହୁ ଅସୁବିଧାର ସମ୍ମୁଖିନ ହେବେ । ସେସବୁ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦେଶ୍ୟରେ ଏହି ଧର୍ମଘଟ କରାଯାଇଛି ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର