ବାଲେଶ୍ୱର,୧୩/୦୩/୨୦୨୧(ଓଡ଼ିଶା ସମାଚାର)- ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ନିକଟରେ ଥିବା ଏକ ଆପାର୍ଟମେଂଟରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବିବାଦରୁ ଗୁଳି ଫୁଟିଛି । ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଆହତ ହୋଇଛନ୍ତି। ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଜଣେ ଅବସରପ୍ରାପ୍ତ ପ୍ରଫେସର ବୋଲି ଜଣାପଡ଼ିଛି। ଗୁଳିମାଡ଼ରେ ବ୍ୟବସାୟୀଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି । ଗୁଳିମାଡ଼ରେ ଆହତ ବ୍ୟବସାୟୀ ହେଉଛନ୍ତି ଆନନ୍ଦ ସିଂ । ଗୁଳିମାଡ଼ କରିଥିବା ଅବସରପ୍ରାପ୍ତ ପ୍ରଫେସର ହେଉଛନ୍ତି ଲକ୍ଷ୍ମଣ ବେହେରା । ତାଙ୍କୁ ପୋଲିସ ଅଟକ ରଖିଛି । ତାଙ୍କ ଘରୁ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଓ ୫ ଟି ଗୁଳି ପୋଲିସ ଜବତ କରିଛି ।
ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଗାଡ଼ି ପାର୍କିଂକୁ ନେଇ ବିବାଦରୁ ଏପରି ଘଟିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି। ଦୁହେଁ ଗୋଟିଏ ଆପାର୍ଟମେଂଟରେ ରୁହନ୍ତି । ଆଜି ସକାଳେ ଦୁଇ ଜଣଙ୍କ ମଧ୍ୟରେ ଉଚବାଚ ହୋଇଥିଲା । ସନ୍ଧ୍ୟାରେ ଏହି ଗୁଳିକାଣ୍ଡ ଘଟିଛି । ଓଡ଼ିଶା ସମାଚାର