ଭୁବନେଶ୍ୱର,୧୨/୦୩/୨୦୨୧(ଓଡ଼ିଶା ସମାଚାର)- କୌଶଲ୍ୟାଗଙ୍ଗ ସ୍ଥିତ ଆଇସିଏଆର୍-ସିଫା ଓ ଦରବାର ସାହିତ୍ୟ ସଂସଦ ର ମିଳିତ ଆନୁକୂଲ୍ୟରେ ନରଦା ଠାରେ କୃଷକ-ବୈଜ୍ଞାନିକ ଭାବବିନିମୟ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।ତଫସିଲଭୁକ୍ତ ଜାତିର ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ‘ହରିଜନ ଉପଯୋଜନା କାର୍ଯ୍ୟକ୍ରମ’ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭୦ଜଣ ମହିଳା ସମେତ ପ୍ରାୟ ୧୨୦ ଜଣ କୃଷକ ଯୋଗଦାନ କରିଥିଲେ । ଏହା ବୈଜ୍ଞାନିକ ମାନଙ୍କୁ କୃଷକଙ୍କଠାରୁ ବିଭିନ୍ନ ବୈଷୟିକ ଅନୁଭୂତି ସଂଗ୍ରହ କରିବାରେ ସାହାଯ୍ୟ କରିଥିବାବେଳେ କୃଷକ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଆଧୁନିକ ଜ୍ଞାନକୌଶଳ ଶିକ୍ଷାଲାଭ କରିବାରେ ସୁଯୋଗ ପ୍ରଦାନ କରିଥିଲା ।ଏହି ସଭାରେ କୃଷକ ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରି ଉତ୍ପାଦନ ଅଭିବୃଦ୍ଧି କରିବା ସହ ଉପଭୋକ୍ତାଙ୍କଠାରୁ ସେମାନଙ୍କର ଲାଭାଂଶ ଅଧିକ ପରିମାଣରେ ସଂଗ୍ରହ କରିବା ଓ ଜୈବିକସାର ପ୍ରୟୋଗ କରିବାକୁ ଯତ୍ନବାନ ହେବାପାଇଁ ସିଫାର ସାମାଜିକ ବିଜ୍ଞାନ ମୁଖ୍ୟ ତଥା ପ୍ରଧାନ ବୈଜ୍ଞାନିକ ଡଃ ଗୌରସୁନ୍ଦର ସାହା ଉପସ୍ଥିତ କୃଷକମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଦରବାର ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀ କେଦାରେଶ୍ୱର ଚୌଧୁରୀ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ । ପଦ୍ମଶ୍ରୀ ବଟକୃଷ୍ଣ ସାହୁଏହି ସଭାରେ ସଭାପତିତ୍ୱ କରି ନିଜଜୀବନର ଅନୁଭୂତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରିବାକୁ ପରାମର୍ଶ ଦେଇଥିଲେ ।ଏସସିଏସପି ପ୍ରକଳ୍ପର ଚେୟାରମ୍ୟାନ୍ ତଥା ପ୍ରଧାନ ବୈଜ୍ଞାନିକ ଡଃ ଶ୍ରୀ ପ୍ରକାଶ ମହାନ୍ତି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସଂପର୍କରେ ବର୍ଣ୍ଣନା କରି ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଓ କୃଷକମାନେ ଏହାର ଫାଇଦା ହାସଲ କରିବା ପାଇଁ କହିଥିଲେ ।ଜାତୀୟ ମତ୍ସ୍ୟଉନ୍ନୟନ ପରିଷଦର ମୁଖ୍ୟକାର୍ଯ୍ୟ ନିର୍ବାହୀ ଡଃ ମାନଓ ସିହ୍ନା, ମାଛଚାଷ ପାଇଁ ଭାରତ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିପାଟଣା ପ୍ରେସ୍କ୍ଲବ୍ ର ସଭାପତି ଶ୍ରୀ ଦିଲ୍ଲିପ ଓଝା ଓ ସିଫାର ପ୍ରଧାନ ବୈଜ୍ଞାନିକ ଡଃ ଆଶିଷ ସାହା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ଅବସରରେ ବିଭିନ୍ନ ଗ୍ରାମର ୫ ଜଣ ଅଗ୍ରଣୀ ମହିଳା କୃଷକଙ୍କୁ ସେମାନଙ୍କ କୃତିତ୍ୱ ପାଇଁ ସମ୍ମାନୀତ କରାଯାଇଥିଲା । ମତ୍ସ୍ୟଚାଷ ଓ ଉତ୍ପାଦନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ତତ୍କାଳ ସମାଧାନ ବୈଜ୍ଞାନିକ ମାନେ କରିଥିଲେ । ଡଃ ଚନ୍ଦ୍ରକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ବୈଷୟିକ ଅଧିକାରୀ ଶ୍ରୀ ଦୁର୍ଗା ପ୍ରସାଦ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର