କେନ୍ଦ୍ରାପଡା,୧୧/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁରରେ ପ୍ରସ୍ତାବିତ ମଦ ଦୋକାନକୁ ନିଲାମ କରାନଯିବା ପାଇଁ ସେହି ଗ୍ରାମ ପଂଚାୟତର ଅଧିବାସୀ, ବୁଦ୍ଧିଜୀବି ଓ ମହିଳା ସଂଗଠନ ଗୁଡିକ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ସେଠାରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ନିଲାମ ପ୍ରକ୍ରୀୟା ଆରମ୍ଭ କରାଯାଉଥିବାର ଖବର ପାଇବା ପରେ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଏହି ଦାବି କରିଛନ୍ତି । ସେହି ପଂଚାୟତଟି ଏକ ଅନୁସୂଚିତ ଜାତି, ଜନଜାତି ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ଜନଅଧୁସିତ ଅଂଚଳ ହେରାଇଥିବା ବେଳେ ସେହି ପଂଚାୟତର ଅଧିକାଂଶ ଲୋକଙ୍କର ଜୀବନଧାରଣର ମାନ ଅତ୍ୟନ୍ତ ଦୁର୍ବଳ । ସେହି ଅଂଚଳରେ ମଦ ଦୋକାନ ଖୋଲାଗଲେ ତାହା ସେହି ଅଂଚଳର ଜନସାଧାରଣଙ୍କ ଜୀବନଜୀବିକା ବିପର୍ଯ୍ୟସ୍ତ କରିବା ସହ ସେହିବାଟ ଦେଇ ପ୍ରତିଦିନ ସହରକୁ ଉଚ୍ଚଶିକ୍ଷା ପାଇଁ ଯିବାଆସିବା କରୁଥିବା ୩ଗୋଟି ବ୍ଲକର ଶହ ଶହ ଛାତ୍ରଛାତ୍ରୀ ତଥା ସାଧାରଣ ଜନତାଙ୍କ ଯାତାୟତ, ସ୍ଥାନୀୟ ପରିବାରଙ୍କ ଦୈନନ୍ଦିନ ଜୀବନଯାପନ ଉପରେ ଅତ୍ୟନ୍ତ ନାକାରାତ୍ମକ ପ୍ରଭାବ ପକାଇବ । ଏଥିସହିତ ଗରୀବ ଲୋକମାନଙ୍କ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି କରିବ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୧୬-୧୭ମସିହାରେ ମଧ୍ୟ ଅବକାରୀ ବିଭାଗ ସେଠାରେ ମଦ ଦୋକାନ ଖୋଲିବାକୁ ପ୍ରକ୍ରୀୟା ଆରମ୍ଭ କରିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୁର୍ବାର ଗଣ ଆନ୍ଦୋଳନ ଗଢିଉଠିବା ଓ ମହିଳାମାନଙ୍କ ନେତୃତ୍ୱରେ ହୋଇଥିବା ସେହି ଆନ୍ଦୋଳନକୁ ସମସ୍ତ ରାଜନୈତିକ ଦଳ, ସାମାଜିକ ଗଣସଂଗଠନ ଓ ବୁଦ୍ଧିଜୀବିମାନେ ଦୃଢ ସମର୍ଥନ ଦେଇଥିଲା । ଫଳରେ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ସେଠାରେ ପ୍ରସ୍ତାବିତ ମଦ ଦୋକାନକୁ ସବୁଦିନ ପାଇଁ ବନ୍ଦ କରିଦେବା ସହ ଭବିଷ୍ୟତରେ ସେଠାରେ ମଦ ଦୋକାନ ନଖୋଲିବାକୁ ପ୍ରତିଶୃତି ଦେଇଥିଲା । ମାତ୍ର ବର୍ତମାନ ଜିଲ୍ଲା ପ୍ରଶାସନ ସେହି ପ୍ରତିଶୃତିକୁ ଭୁଲିଯାଇ ସେଠାରେ ମଦ ଦୋକାନ ଖୋଲିବାକୁ ପୁନଃ ଉଦ୍ୟମ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ଘଟଣା । ଜିଲ୍ଲା ପ୍ରଶାସନର ଏପରି ଜନସ୍ୱାର୍ଥ ବିରୋଧୀ ଏବଂ ଅଭିସନ୍ଧି ମୂଳକ ଯୋଜନା ଜଣାପଡିବା ପରେ ସେହି ଅଂଚଳରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟି ହୋଇଛି । ଏଣୁ ସେହି ଅଂଚଳରେ ସୁସ୍ଥ ସାମାଜିକ ସଂପ୍ରିତିକୁ ବଜାୟ ରଖିବା ନିମିତ ଏବଂ ଭବିଷ୍ୟତରେ ଏଥିଲାଗି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ତୁରନ୍ତ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନାରୀନେତ୍ରୀ ଦୌ୍ରପଦୀ ରାଉତ, ଅଧ୍ୟାପକ ଅଜୟ ସାମଲ, ଅମୀୟ କୁମାର ନାୟକ, ନିରୂପମା ମହାନ୍ତି, ବନ୍ଦନାରାଣୀ ରାଉତରାୟ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ନିବେଦନ କରିଛନ୍ତି । ଓଡ଼ିଶା ସମାଚାର