କେନ୍ଦ୍ରାପଡା, ୧୦/୦୩/୨୦୨୧(ଓଡ଼ିଶା ସମାଚାର)- ପ୍ରଚଣ୍ଡ ରୌଦ୍ରତାପ ଓ ଅଂଶୁଘାତ ମୁକାବିଲା ଜନିତ ପ୍ରସ୍ତୁତି ଏବଂ ତ୍ୱରିତ ସେବା ପ୍ରଦାନ ପ୍ରଶାସନିକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଓସୱାନ ଭିଡିଓ କନଫରେନ୍ସ ହଲରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରହରି ସେଠୀ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡା. ଅନିତା ପଟ୍ଟନାୟକ, ଜଳସମ୍ପଦ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ ଉପଖଣ୍ଡର ସହକାରୀ ଯନ୍ତ୍ରୀ ବସନ୍ତ କୁମାର ସେଠୀ, ପୋଲିସ ଡିଏସପି କାର୍ତିକ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ଜନସାଧାରଣ, ଗୃହପାଳିତ ପଶୁପକ୍ଷୀ, ବନ୍ୟ ଜୀବ ଯନ୍ତୁମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରାଯାଇପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜିଲ୍ଲାର ସମସ୍ତ ବିଡିଓ ଏବଂ ତହସିଲଦାରମାନେ ଭର୍ଚୁଆଲ ମୋଡରେ ଜିଲ୍ଲାପାଳଙ୍କ ସହିତ ସେମାନଙ୍କ ଅଂଚଳରେ ବିଭିନ୍ନ ଆଶୁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ଭାବ୍ୟ ରୌଦ୍ରତାପ ସମୟରେ ଜନସାଧାରଣ କିଭଳି ନିଜକୁ ନିଜେ ସୁରକ୍ଷା ଦେବେ ସେ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ବିଭିନ୍ନ ସ୍ୱେଛାସେବୀ ସଂଗଠନ ଦ୍ୱାରା ପ୍ରଚାର ପ୍ରସାର କାର୍ଯ୍ୟ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ସେହିପରି ଅସ୍ଥାୟୀ ଜଳଛତ୍ର କେନ୍ଦ୍ର ଖୋଲିବା, ପାନୀୟ ଜଳ ଯୋଗାଣ, ଅଚଳ ନଳକୂପକୁ ସଚଳ କରାଇବା,ବସଷ୍ଟାଣ୍ଡ ଓ ଗ୍ରାମପଂଚାୟତ ଗୁଡିକର ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳଛତ୍ର ଖୋଲିବା, ବସରେ ଯାତ୍ରୀମାନଙ୍କ ନିମନ୍ତେ ପାନୀୟ ଜଳ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ରଖିବା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ପାନୀୟ ଜଳ ବ୍ୟବସ୍ଥା ସୂଚାରୁ ରୂପେ ପରିଚାଳନା କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ପଶୁଚିକିତ୍ସା କେନ୍ଦ୍ରରେ ଜୀବନ ଉଦ୍ଧାରକାରୀ ଔଷଧପତ୍ର, ସାଲାଇନ, ଓ.ଆର.ଏସ. ପ୍ରଭୃତି ମଣିଷ ଓ ପଶୁପକ୍ଷୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଗଛିତ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ବୁଲା ଗାଇଗୋରୁ ଓ ପଶୁମାନଙ୍କ ପାଇଁ ନଳକୂପ ପାଖରେ ଅସ୍ଥାୟୀ ଜଳକୁଣ୍ଡ ନିର୍ମାଣ କରିବା, ରାଜନଗର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ବନ୍ୟ ପଶୁପକ୍ଷୀମାନଙ୍କ ନିମନ୍ତେ ଅସ୍ଥାୟୀ ଜଳକୁଣ୍ଡ ନିର୍ମାଣ କରିବା, ଜନସାଧାରଣଙ୍କ ପରିବହନ ଯାନ ଗୁଡିକରେ ଓ.ଆର.ଏସ. ଏବଂ ବିଶୁଦ୍ଧ ପାନୀୟ ଜଳ ରଖିବା, ବିଦ୍ୟାଳୟ ଗୁଡିକର ସକାଳୁଆ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବା, ଶ୍ରମିକମାନଙ୍କ ନିମନ୍ତେ କାର୍ଯ୍ୟକରିବା ସମୟ ନିର୍ଘଂଟ, ଅବିରତ ବିଜୁଳି ଆଲୋକ ଯୋଗାଣ, କେନାଲରେ ପାଣି ଯୋଗାଣ,ଦୈନନ୍ଦିନ ଏବଂ ସାପ୍ତାହିକ ଅଂଶୁଘାତ ରିପୋର୍ଟ ତହସିଲଦାର ଏବଂ ସିଡିଏମଓ ପ୍ରଶାସନକୁ ପ୍ରଦାନ କରିବା, ବିଭିନ୍ନ ସଂପୃକ୍ତ ଲାଇନ ଡିପାର୍ଟମେଂଟ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜିଲ୍ଲା ଜରୁରୀ ବିଭାଗରେ କଂଟ୍ରୋଲରୁମ ଚାଲୁରହିବା, ସରକାରଙ୍କ ନୀତି ନିୟମ ମୁତାବକ ଅଂଶୁଘାତରେ ମୃତ ପରିବାରବର୍ଗଙ୍କୁ ସହାୟତା ରାଶି ତ୍ୱରିତ ବେଗରେ ପ୍ରଦାନ କରିବା ପ୍ରଭୃତି ବିଭିନ୍ନ ଜରୁରୀ ଏବଂ ଅତ୍ୟାବଶ୍ୟକ ପଦକ୍ଷେପ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପକରି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ଏଡିଏମଓ ଡା. ସଚିଦାନନ୍ଦ ମିଶ୍ର, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଂଟ ର ଯନ୍ତ୍ରୀ, ସ୍ୱେଛାସେବୀ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର