କେନ୍ଦ୍ରାପଡା, ୧୦/୦୩/୨୦୨୧(ଓଡ଼ିଶା ସମାଚାର)- ରାଜନଗର ବନଖଣ୍ଡ ଅଧିନ ଭିତରକନିକା ଜଙ୍ଗଲରୁ ପ୍ରାୟ ୪୦ କିଲୋମିଟର ଦୂର ଏକ ଗାଁ ଭିତରକୁ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିବା ହରିଣଟିକୁ ଉଦ୍ଧାର କରିଛନ୍ତି ସଂପୃକ୍ତ ଗ୍ରାମର ଗ୍ରାମବାସୀମାନେ । ପ୍ରବଳ ଗ୍ରୀଷ୍ମ ଉତାପରେ ପାନୀୟଜଳ ଓ ଖାଦ୍ୟାଭାବ ବନ୍ୟପ୍ରାଣୀଙ୍କୁ ଗ୍ରାମାଭିମୂଖି କରି ଦେଇଛି । ବନ ବିଭାଗ ପକ୍ଷରୁ ଗ୍ରୀଷ୍ମଋତୁରେ ବନ୍ୟଜନ୍ତୁଙ୍କ ପାଇଁ ଖାଦ୍ୟ ଓ ପାନୀୟଜଳର ବ୍ୟବସ୍ଥା କରିବା ପାଇଁ ସରକାର ଯୋଜନା କରିଥିଲେ ବି ଏଭଳି ଘଟଣା ସଂପୃକ୍ତ ବିଭାଗର ଅପାରଗତାକୁ ଅଙ୍ଗୁଳି ନିର୍ଦେଶ କରୁଛି । ଦୀର୍ଘ ୪୦ କିଲୋମିଟର ଦୂର ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏହି ହରିଣଟିକୁ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଇଁକୂଳା ଭେଡିସାହୀ ଗ୍ରାମର ଲୋକମାନେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ସଂପୃକ୍ତ ଉଦ୍ଧାର ହୋଇଥିବା ହରିଣଟି ଦୀର୍ଘ ଦୁଇଦିନ ହେବ ଖାଦ୍ୟ ପାଇଁ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଦୌଡୁଥିବା ବେଳେ ତାକୁ ଧରିବାକୁ ଲୋକେ ଗୋଡାଇବାରୁ ହରିଣଟି ଗୋବରୀ ନଦୀକୁ ଡେଇଁ ପଡିଥିଲା । ଫଳରେ ନଦୀରେ ଥିବା ଦଳରେ ଛନ୍ଦିହୋଇ ଅଟକି ଯିବାରୁ ଡଙ୍ଗା ସାହାଯ୍ୟରେ ଲୋକମାନେ ତାକୁ ଉଦ୍ଧାର କରି ବନ୍ୟ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଓଡ଼ିଶା ସମାଚାର