ସୋନପୁର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)-: ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଟିକ୍ରାପଡାରେ ପୂର୍ବ ଶତ୍ରୁତାକୁ ନେଇ ଏକ ଗୁଳିକାଣ୍ଡ ଘଟିଛି। ଘରେ ପଶି ଜଣେ ଯୁବକଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଜଣେ ପଡୋଶୀଙ୍କୁ ସୁବଳୟା ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, କିଛି ଦିନ ତଳେ କୌଣସି ଏକ ମାମଲାକୁ ନେଇ ଟିକ୍ରାପଡା ଗ୍ରାମର ବବଲୁ ମେହେର(୨୯) ଓ ତାଙ୍କ ପଡୋଶୀ ମୁରଲି ମେହେର (୩୫)ଙ୍କ ମଧ୍ୟରେ ଉଚବାଚ ହୋଇଥଲା। ପରେ ଏହା ଉଗ୍ରରୂପ ନେଇ ଶେଷରେ ଗୁଳିକାଣ୍ଡ ପର୍ୟ୍ୟନ୍ତ କଥା ଯାଇଛି।
ଗତକାଲି ସଂନ୍ଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ମୁରଲି ମେହେର ବବଲୁଙ୍କ ଘରେ ପଶି ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ବବଲୁଙ୍କୁ ବୀରମହାରାଜପୁର ଉପଖଣ୍ଡୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୂର୍ବ ଶତୃତାକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି।ଓଡ଼ିଶା ସମାଚାର