ନୂଆପଡ଼ା ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ନୂଆପଡ଼ା ଜିଲ୍ଲା ସିନାପାଲି ରେ ଏକ ଅଘଟଣ ଘଟିଛି । ଚାଷ ଜମିରେ ପଡ଼ିଥିବା ନଡ଼ାକୁ ପୋଡ଼ିବାକୁ ଯାଇ ନିଯେ ଜୀବନ୍ତ ଦଗ୍ଧ ହୋଇଛନ୍ତି ସିନାପାଲିର ଚାଷୀ ନୀଳାମ୍ବର ମେହେର (୫୫ବର୍ଷ)। ହଠାତ୍ ନିଆଁ ଚାରିଆଡ଼କୁ ବ୍ୟାପିଯିବାରୁ ତା’ ମଧ୍ୟରୁ ସେ ବାହାରିପାରିଲେ ନାହିଁ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସିନାପାଲି ବ୍ଲକ ସିନାପାଲି ଗ୍ରାମର ନୀଳାମ୍ବର ମେହେର ରବିବାର ତାଙ୍କ ଚାଷ ଜମିର ନଡ଼ା ପୋଡ଼ିବାକୁ ଯାଇଥିଲେ। ଶୁଖିଲା ନଡ଼ାରେ ନିଆଁ ଲଗାଇବା ମାତ୍ରେ ପବନରେ ନିଆଁ ସବୁଆଡ଼କୁ ବ୍ୟାପି ଯାଇଥିଲା। ସବୁଆଡ଼ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ସେ ଜଣେ କିଡ୍ନିରୋଗୀ ହୋଇଥିବାରୁ ସେହି ଧୂଆଁ ଓ ନିଆଁ ଘେରରୁ ବାହାରି ପାରିନଥିଲେ ଓ ପଡ଼ି ଯାଇଥିଲେ। ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଧୂଆଁ ଓ ନିଆଁ ଦେଖି ଗ୍ରାମବାସୀ ସେଠାରେ ପହଞ୍ଚି ନୀଳାମ୍ବର ନିଆଁ ଘେରରେ ଥିବା ଦେଖିଥିଲେ। ସେତେବେଳକୁ ସେ ପୋଡ଼ି ଯାଇଥିଲେ। ଗ୍ରାମବାସୀ ତୁରନ୍ତ ସିନାପାଲି ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ।
ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ସିନାପାଲି ପୁଲିସ ଏଏସ୍ଆଇ କେଶବ ମାଝୀ, ସୁରଥ ପୁଝାରୀ, ଏସ୍ଆଇ କୁଳମଣି ବୁରୁଦା ପହଞ୍ଚି ଦଗ୍ଧ ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ସିନାପାଲି ଥାନା କେସ୍ ନଂ ୧/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ନୀଳାମ୍ବର ଅତ୍ୟନ୍ତ ଗରିବ । ତାଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି। ଚାଷଜମିରୁ ଯେତିକି ଆୟ ହେଉଥିଲା ତାହା ନିଅଣ୍ଟ ହେଉଥିବାରୁ ସେ ଠେଲା ଗାଡ଼ିରେ ମୁଢ଼ି, ଲିଆ ଆଦି ବିକୁଥିଲେ। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହେଉଛି। ଓଡ଼ିଶା ସମାଚାର