Monday , March 27 2023
Breaking News
Home / ରାଜନୀତି / ଚର୍ଚ୍ଚାରେ ମାହାଙ୍ଗା ରାଜନୀତି,ବିଶ୍ୱ ମହିଳା ଦିବସରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

ଚର୍ଚ୍ଚାରେ ମାହାଙ୍ଗା ରାଜନୀତି,ବିଶ୍ୱ ମହିଳା ଦିବସରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

ମାହାଙ୍ଗା,୦୭/୦୩/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ଅନ୍ତର୍ଜାତୀୟ ମହିଳା ଦିବସକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ । ଶାସକ ବିଜେଡି ଓ ବିରୋଧୀ ବିଜେପି ଉଭୟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମହିଳା ଭୋଟ ବ୍ୟାଙ୍କ ତିଆରି ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଥିବା କୁହାଯାଉଛି ।
ଆସନ୍ତା ସୋମବାର ୮ ତାରିଖରେ ବିଜୁ ଜନତା ଦଳ ହଜାର ହଜାର ମହିଳାଙ୍କୁ ଏକାଠି କରି ନବୀନ ବାବୁଙ୍କ ମହିଳା ସଶକ୍ତକରଣ ନାରାକୁ ତଳ ସ୍ତରରେ ଆହୁରି ଅଧିକ ବ୍ୟାପକ କରିବାପାଇଁ ଉଦ୍ୟମ ଆରମ୍ଭ କରିଛି । ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଯୋଗଦେଇ ବିଶ୍ୱ ମହିଳା ଦିବସ ଅବସରରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ୟ୍ୟକ୍ରମ ସହିତ ମହିଳା ମାନଙ୍କୁ ଆଗକୁ ବଢ଼ିବାରେ ବିଜୁ ବାବୁଙ୍କ ସମୟରୁ ନବୀନ ବାବୁଙ୍କ ଶାସନ ପର୍ୟ୍ୟନ୍ତ କିପରି ଅଧିକ ପ୍ରୋତ୍ସାହନ ଦିଆଯାଇଛି ଓ ସେମାନେ ଆତ୍ମନିର୍ଭରଶୀଳ ହେବାରେ ସକ୍ଷମ ହୋଇପାରିଛନ୍ତି ସେ ନେଇ ବିସ୍ତୃତ ତଥ୍ୟ ରଖିବେ । ସେହିଦିନ କଉଡୁକୋଲା ଠାରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଉଦଘାଟନ ସହିତ ପୁଷ୍ପଗିରି କଲେଜ ଏରକଣା ଠାରେ ନୂତନ ଗୃହ ଲୋକାର୍ପିତ ହେବ ବୋଲି ସୂଚନା ମିଳିଛି । ବିଭାଗୀୟ ମନ୍ତ୍ରୀଙ୍କ ସହ ଆଇନି ମନ୍ତ୍ରୀ ଏବଂ କଟକ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନ ସହ ନିର୍ବାଚିତ ଜନ ପ୍ରତିନିଧି ମାନେ ଏହି ଉତ୍ସବରେ ସାମିଲ ହୋଇ ବିକାଶ କ୍ଷେତ୍ରରେ ମାହାଙ୍ଗା କେତେ ସକ୍ଷମ ତାର ତାଜା ତଥ୍ୟ ରଖିବେ ବୋଲି କୁହାଯାଉଛି ।
ସେହିପରି ବିଜେପି ମଧ୍ୟ ସମାନ୍ତରାଳ ମହିଳା ସମାବେଶ ପାଇଁ ସଜବାଜ ହେଉଛି । ବିଜେପି ପକ୍ଷରୁ ସ୍ଥାନୀୟ ନେତା ଶାରଦା ପ୍ରଧାନଙ୍କ ନେତୃତ୍ୱରେ ଡି. ପୁରନ୍ଧେସ୍ୱରୀଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି । ସ୍ଥାନୀୟ ବିଧାୟକ ତଥା ଆଇନିମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାଣି ଓଟାରି ନୁର୍ତ୍ତାଙ୍ଗ ଡବଲ ମର୍ଡର ଘଟଣାରେ ଛନ୍ଦିବାକୁ ଯାଇ ବିଜେପି ରାଜନୈତିକ ଅପରିପକ୍ୱତାର ପରିଚୟ ଦେଇ ନିନ୍ଦିତ ହେବାପରେ, ମହିଳା ସମାବେଶ ଆଳରେ ନିଜ ଦଳରେ ଲାଗିରହିଥିବା ଗୋଷ୍ଠୀ କନ୍ଦଳକୁ ସଜାଡ଼ିବାରେ କେତେ ସଫଳ ହେଉଛି ଜଣା ପଡିବ । ତେବେ ବିଜେପି ଏହି ମାମଲାରେ ବ୍ୟାକଫୁଟରେ ରହିବା ଦୃଷ୍ଟିରୁ ଅନ୍ତର୍ଜାତୀୟ ମହିଳା ସମାବେଶ ନାଆଁରେ ପୁନର୍ବାର ଦଳୀୟ ନେତ୍ରୀ ପୁରନ୍ଦେସ୍ୱରୀଙ୍କୁ ମାହାଙ୍ଗା ଆମନ୍ତ୍ରଣ କରି ଦଳୀୟ ସଭା ଆୟୋଜନ କରିବା ଦଳର ଡ୍ୟାମେଜ କଣ୍ଟ୍ରୋଲ କରାଯିବାରେ କେତେ ଫାଇଦା ମିଳିବ ସେକଥା ସମୟ କହିବ ।
ତେବେ ତିନି ନମ୍ବରରେ ଥିବା କଂଗ୍ରେସ ଓ ଏହାର ମଙ୍ଗୁଆଳ ଦେବେନ୍ଦ୍ର ସାହୁଙ୍କୁ ପଛରେ ପକାଇ ମାହାଙ୍ଗାରେ ବିଜେଡି ଓ ବିଜେପି ଉଭୟ ଦଳକୁ ନେତୃତ୍ୱ ଦେଉଥିବା ପ୍ରତାପ ଓ ଶାରଦା ମାହାଙ୍ଗା ବାସୀଙ୍କ ପାଇଁ କିଏ କେତେ ଗ୍ରହଣୀୟ ଏବଂ ମହିଳା ମାନଙ୍କ ଉନ୍ନତି କ୍ଷେତ୍ରରେ କାହାର କେତେ ଯୋଗଦାନ ତଥା ସହଭାଗିତା ରହିଛି କାଲି ବିଶ୍ୱ ମହିଳା ଦିବସ ପାଳନ ପରେ ଉଭୟ ନେତାଙ୍କ ଲୋକପ୍ରିୟତା ଆଉଥରେ ପ୍ରମାଣିତ ହୋଇଯିବ ବୋଲି ଚର୍ଚ୍ଚା ଯୋର ଧରିଛି । ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହା ୩ ପ୍ରମୁଖ ରାଜନୈତିକ ଦଳ ପାଇଁ ଏକ ପ୍ରକାର ଶକ୍ତି ପରୀକ୍ଷା ବୋଲି କୁହାଯାଇପାରେ । ଦେବେନ୍ଦ୍ର ନିରଞ୍ଜନଙ୍କୁ ନେଇ କଂଗ୍ରେସକୁ ସଂଜୀବନୀ ଦେବାରେ ବିଫଳ ପରେ ଶାରଦାଙ୍କ ସ୍ୱାଭିମାନ ସମାବେଶ ଓ ପଂଚାୟତ ସଭାରେ ହାତଗଣତି ସମର୍ଥକ ଦଳରେ ନିରାଶା ସୃଷ୍ଟି କରିଥିଲା । ଏହାକୁ ଆଖି ଆଗରେ ରଖି ବିଜେପି ମହିଳା କାର୍ଡ ଖେଳିବା ପାଇଁ ପ୍ରୟାସ କରୁଛି ବୋଲି ଆଲୋଚନା ହେଉଛି । ତେବେ ଏହି ମହିଳା ସମାବେଶ ଦଳ ପାଇଁ ଓ ଖାସକରି ଶାରଦାଙ୍କ ପାଇଁ ଅଗ୍ନୀ ପରୀକ୍ଷା ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.