ନିରାକାରପୁର, ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଓ ଖୋର୍ଦ୍ଧା ତହସିଲ ଅଧିନସ୍ଥ ବିଭିନ୍ନ ଅଂଚଳରେ ବର୍ତମାନ ସରକାରୀ ଜମି, କାଜୁ କର୍ପୋରସନ କାଳୁ ଜଙ୍ଗଲ , ବନ ବିଭାଗ ଜାଗାରୁ ପଥର ମାଫିଆମାନେ ବେଆଇନ ମାଙ୍କଡ଼ା ପଥର କାଟି କୋଟି କୋଟି ଟଙ୍କା ଉପାର୍ଜନ କରୁଥିବାବେଳେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇବା ସହ ଅଂଚଳ ପାଇଁ ବିପଦ ସୃଷ୍ଟି କରୁଛନ୍ତି । ସରକାରୀ ବାବୁମାନେ ଖାଲି ବିଭିନ୍ନ ବିଭାଗକୁ ଦୋଷାରୋପ କରି ଲୋକଦେଖାଣିଆ କିଛି ଚଢାଉ କରୁଥିବାବେଳେ ପ୍ରକୃତ ପକ୍ଷେ ଏହି ଦୁର୍ନିିତରେ କିଛି ବିଭାଗୀୟ ତଳିଆ କର୍ମଚାରୀଙ୍କ ସାମିଲକୁ ଏଡ଼ାଇ ଦିଆ ନଯାଇ ପାରେ । ଅହରହ ଜେସିବି ,କଟର ମେସିନ ବେଆଇନ ପଥର ଖଣିରେ ପଥର ଉତୋଳନ କରିବାରେ ଲାଗିଥିବାବେଳେ ଚଢଉ ଦିନ କିନ୍ତୁ ସବୁ କିଛି ଶାନ୍ତ ପଡ଼ିଯାଇ ଥାଏ । ଏଥିରୁ ଅନୁମୟେ ନିଶ୍ଚିତ କିଛି ଅଛି ଯିଏ କି ଏ ସବୁକୁ ସୂଚନା ଦେବାରେ ସଫଳ ହେଉଛି । ସତେ ଯେମିତି ବିଭାଗୀୟ ଅଧିକାରୀମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବର୍ତମାନ ପଥର ଖଣି ଗୁଡ଼ିକ ଚାଲୁଛି । ବିଭିନ୍ନ ଜାଗାରେ ଗ୍ରାମବାସୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରିଲେ ବି ମାଫିଆମାନଙ୍କର ଏହି କଳାକାରନାମାକୁ ପ୍ରଶାସନ ସଂପୂର୍ଣ୍ଣ ବନ୍ଦ କରିବାରେ ସଫଳ ହେଉନି । ବର୍ତମାନ ଟାଙ୍ଗୀ ଓ ଖୋର୍ଦ୍ଧା ତହସିଲର ବିଭିନ୍ନ ଅଂଚଳରେ ମାଫିଆମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲ ଯୋଗୁ ଚାଷ ଜମି, କୂଅ ଓ ପୋଖରୀ ଶୁଖିଲା ପଡ଼ୁଛି । ଗୃହପାଳିତ ପଶୁମାନଙ୍କ ସହ ବନ୍ୟଜନ୍ତୁମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ମାସିକିଆ ବଟିରେ ବର୍ତମାନ ଏହି ଭଳି ଚୋରା ମାଙ୍କଡ଼ା ପଥର ତସ୍କରି ଦିନ ଦ୍ୱିପ୍ରହରରେ ଚାଲୁଥିଲେ ବି ସବୁ ଚୁପ । ଯାହା ବି ଚଢାଉ ହେଉଛି ତାହା ଲୋକଦେଖାଲିଣିଆ ଓ ସମୁଦ୍ରକୁ ଶଂଖେ ସଦୃଶ୍ୟ । ସରକାରୀବାବୁମାନେ ଚୋରା ପଥର ଖଣି ଉପରେ ବେଶୀ ଚଢାଉ କରିବା ପରିବର୍ତେ ପଥର ପରିବହନ କରୁଥିବା ଗାଡ଼ିକୁଡ଼ିକୁ ଧରି ଲକ୍ଷାଧିକ ଟଙ୍କା ଫାଇନ ପକାଉଥିବାରୁ ଗାଡ଼ି ମାଲିକମାନେ ସର୍ବସ୍ୱାନ୍ତ ହେଉଛନ୍ତି । ତେଣୁ ଏବେ ଗାଡ଼ି ମାଲିକମାନେ ରାତି ଉଜାଗର ରହି ଗାଡ଼ିଗୁଡ଼ିକ ସୁରକ୍ଷିତ ଭାବେ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି । ମୋଟାମୋଟିଭାବେ ପଥର ମାଫିଆମାନଙ୍କର ଭୟ ଦିନକୁ ଦିନ ଛାଡ଼ୁଥିବାବେଳେ ଶନିବାର ଓ ରବିବାର ଛୁଟି ଦିନରେ ଦିନରାତି ଅହରହ ଖଣି ଚାଲୁଥିବାର ଅଭିଯୋଗ ହେଉଛି । କିନ୍ତୁ ଏହି ଅଭିଯୋଗକୁ ପ୍ରଶାସନ ତରଫରୁ ଅଣଦେଖା କରାଯାଉଥିବାରୁ ଦିନକୁ ଦିନ ମାଫିଆଙ୍କର ସାହସ ବଢୁଛି । ଓଡ଼ିଶା ସମାଚାର