ଭୁବନେଶ୍ୱର, ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ (ଏମଏସଏମଇ) ବାଣିଜ୍ୟମେଳା-୨୦୨୧ ଚଳିତ ବର୍ଷ ମାର୍ଚ୍ଚ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ୫ ତାରିଖ ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାଣିଜ୍ୟ ମେଳାର ଶୁଭ ଉଦଘାଟନ ହେବ । କୋଭିଡ଼୍ -୧୯ କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତ୍ୟେକ ଗାଇଡଲାଇନକୁ ପାଳନ କରି ଏବର୍ଷ ଏମଏସଏମଇ ବାଣିଜ୍ୟ ମେଳା ପାଳନ କରାଯାଉଛି । ତେଣୁ କୈାଣସି ବାହାର ଦେଶର ଅଂଶଗ୍ରହଣକାରୀମାନଙ୍କୁ ପ୍ରବେଶ କରାଯାଇନାହିଁ । ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରରୁ ବିଭିନ୍ନ ପିଏସୟୁ ଏବଂ ଶିଳ୍ପଦ୍ୟୋଗୀମାନେ କେବଳ ଅଂଶଗ୍ରହଣ କରିବେ । ଏହି ବର୍ଷ ନୁଆ ଷ୍ଟାର୍ଟଅପ୍, ମହିଳା ଉଦ୍ୟୋଗୀ ଏବଂ ମିଶନ୍ ଶକ୍ତିକୁ ଅଗ୍ରାଧିକାର ଦିଆଯାଇଛି । ରାଜ୍ୟର ସାମାଜିକ ଅର୍ଥନୈତିକ ବିକାଶରେ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକର ଅବଦାନକୁ ଦୃଷ୍ଟିରେ ରଖି ସେମାନଙ୍କ ସଦସ୍ୟମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏନେଇ ମିଶନ୍ ଶକ୍ତି ଏବଂ ଏମଏସଏମଇ ବିଭାଗ ମଧ୍ୟରେ ଏମଓୟୁ ସ୍ୱାକ୍ଷର କରାଯାଇଛି । ସମଗ୍ର ମେଳା ମଧ୍ୟରେ ୬୦ଟି ଲେଖାଁଏ ଷ୍ଟଲ୍ ଥିବା ୫ଟି ହ୍ୟାଙ୍ଗର୍ ନିର୍ମାଣ କରାଯାଇଛି ।ସେଥିମଧ୍ୟରୁ ୪ଟି ଷ୍ଟଲ୍ ଷ୍ଟାର୍ଟଅପ୍, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ମିଶନ୍ ଶକ୍ତି, ପିଏସୟୁମାନଙ୍କ ପାଇଁ ଥିବାବେଳେ ଅନ୍ୟଟି ସାଧାରଣ ଉଦ୍ଧେଶ୍ୟରେ ଉଦ୍ୟୋଗୀ ଏବଂ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ପାଇଁ ନିର୍ମାଣ କରାଯାଇଛି । ଯେଉଁଥିରେ ଯନ୍ତ୍ରପାତି ଏବଂ ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବିଷୟ ଉପରେ ୫ଟି ସେମିନାର ଆୟୋଜନ କରିବାକୁ ଯୋଜନା ରହିଛି । ଯାହା ପ୍ରତ୍ୟେକ ଦିନ ୧୦.୩୦ରୁ ୧.୦୦ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଯେପରିକି; ଓଡ଼ିଶାର ଆଗ୍ରୋ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ଏମଏସଏମ୍ ଇ ଏବଂ ଷ୍ଟାଟଅପ୍ ପାଇଁ ବଜାର ଏବଂ ଆର୍ଥୀକ ଆବଶ୍ୟକତାର ଗୁରୁତ୍ୱ, ଉଦ୍ୟୋଗୀତା କ୍ଷେତ୍ରରେ ମହିଳା ଉଦ୍ୟୋଗୀ, କ୍ଲଷ୍ଟର୍ ମାଧ୍ୟମରେ ଏମଏସଏମଇ କ୍ଷେତ୍ରର ବିକାଶ ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ । ଓଡ଼ିଶା ସମାଚାର