Sunday , April 2 2023
Breaking News
Home / ବିଶେଷ / ସିଡିଏ ଅଧିକାରୀ ଓ କର୍ମଚାରୀ ସଂଘର ଦ୍ୱିପାକ୍ଷିକ ଆଲୋଚନା

ସିଡିଏ ଅଧିକାରୀ ଓ କର୍ମଚାରୀ ସଂଘର ଦ୍ୱିପାକ୍ଷିକ ଆଲୋଚନା

କଟକ, ୦୪/୦୩/୨୦୨୧(ଓଡ଼ିଶା ସମାଚାର)- କଟକ ଉନ୍ନୟନ କର୍ତୃପକ୍ଷର ଉପାଧ୍ୟକ୍ଷଙ୍କ ସମ୍ମିଳନୀ କକ୍ଷରେ ସିଡିଏର ଉପାଧ୍ୟକ୍ଷ, ଉଚ୍ଚ ପଦାଧିକାରୀ ଏବଂ କର୍ମଚାରୀ ସଂଘ ମଧ୍ୟରେ ଏକ ଦ୍ୱି ପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ପ୍ରଥମଥର ପାଇଁ ବୈଠକରେ ଉପାଧ୍ୟକ୍ଷ ତଥା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସଚିବ ତଥା ସିଏମସି କମିଶନର ଅନନ୍ୟା ଦାସ ସିଡିଏର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସମୀକ୍ଷା କରିଥିଲେ । ମର୍କତନଗର ସେକ୍ଟର-୧୦ ଏବଂ ୧୧ ଠାରେ ଶିଳାନ୍ୟାସ ହୋଇଥିବା କଲ୍ୟାଣମଣ୍ଡପ, ବର୍ଷ ବର୍ଷ ଧରି ଅବ୍ୟବହୃତ ଭାବେ ପଡ଼ିରହିଥିବା ନରଣପୁର ଜମିରେ ପ୍ରକଳ୍ପ, କଟକ ସହରର ଗୁରୁତ୍ୱୂର୍ଣ୍ଣ ସ୍ଥାନ ଅରୁଣୋଦୟ ଭବନର ପୁନରୁଦ୍ଧାର, ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ପାଇଁ କାର୍ଯ୍ୟାଳୟର ସମସ୍ତ ବିଭାଗକୁ କମ୍ପୁ୍ୟଟରିକରଣ ଆଦି ଅନେକ ବିଷୟରେ ଆଲୋଚନା କରାଯାଇଥିଲା । ଫାଇନାନ୍ସ ମେମ୍ବର ସତ୍ୟସାଇ ଦାସ, ଯୋଜନା ସଭ୍ୟ ମହମ୍ମଦ କ୍ୱାଇସର ଅଲ୍ଲୀ, ଇଞ୍ଜିନିୟରିଂ ସଭ୍ୟ ନାରଦ ଚନ୍ଦ୍ର ରଥ, ସ୍ୱତନ୍ତ୍ର ଅଧିକାରୀ ମନୋଜ ମହାପାତ୍ର, ଡିଏଫଏମ ସୀମାନ୍ତ ସେନାନାୟକ, ଜେଟିି ବିଷ୍ଣୁ ପ୍ରସାଦ ସାହୁ, ପ୍ରଶାସନିକ ଅଧିକାରୀ ପ୍ରିୟଙ୍କା ମଲ୍ଲିକ, ଭୂମି ଅଧିକାରୀ ମନୋଜ ଆଚାର୍ଯ୍ୟ, ଇଷ୍ଟେଟ ଅଧିକାରୀ ପରେଶ ନାଏକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେହିଭଳି କର୍ମଚାରୀ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ବିଜୟ ଭୂଷଣ ପତି, ଉପ ସଭାପତି ଦେବାଶିଷ ଦାସ, ଯୁଗ୍ମ ସମ୍ପାଦକ ପୀତବାସ ରାଉତ, କୋଷାଧ୍ୟକ୍ଷ ରୋହିଣୀ ରମଣ ବଳ, ସାଂସ୍କୃତିକ ସମ୍ପାଦକ ବିଜୟ ପାତ୍ର, ଅଜୟ ରାଉତ ଆଦି ଏହି ବୈଠକରେ ପ୍ରତିନିଧିତ୍ୱ କରିଥିଲେ । ଏହି ଅବସରରେ ସିଡିଏରୁ ଅବସର ଗ୍ରହଣ କରିଥିବା ଦୁଇ ବରିଷ୍ଠ କର୍ମଚାରୀ ବିଜୟଲକ୍ଷ୍ମୀ ଆଚାର୍ଯ୍ୟ ଏବଂ ରାଧାକାନ୍ତ ଜେନାଙ୍କୁ କର୍ତୃପକ୍ଷ ଏବଂ କର୍ମଚାରୀ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ନେତା ହେମନ୍ତ ପାତ୍ର, ବ୍ରଜସୁନ୍ଦର ରାଉତ, ସରୋଜକାନ୍ତ ପାଲ, ଦିଲ୍ଲୀପ ମହାପାତ୍ର, ପ୍ରମୋଦ ଦାସ, ଶ୍ରମିକ ବିଭୂତି ରାୟ, ସୁବ୍ରତ ମିଶ୍ର ଓ ପ୍ରଦୀପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.