Tuesday , March 28 2023
Home / ବିଶେଷ / ଦୁଇ ସହପାଠୀଙ୍କ ମଧ୍ୟରେ ଥଟ୍ଟା ମଜାରୁ ଛୁରାମାଡ଼

ଦୁଇ ସହପାଠୀଙ୍କ ମଧ୍ୟରେ ଥଟ୍ଟା ମଜାରୁ ଛୁରାମାଡ଼

ଭଞ୍ଜନଗର,୦୪/୦୩/୨୦୨୧(ଓଡ଼ିଶା ସମାଚାର)- ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ବୋରସିଂ ହାଇସ୍କୁଲ ପରିସରରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ଝିମିଟି ଖେଳରୁ ମହାଭାରତ ହୋଇଛି । ଦୁଇ ସହପାଠୀଙ୍କ ମଧ୍ୟରେ ସାମାନ୍ୟ ଥଟ୍ଟା ମଜାରୁ ଛୁରାମାଡ଼ ପର୍ଯ୍ୟନ୍ତ ଯାଇଛିି । ବିଦ୍ୟାଳୟ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ର ତା’ର ଜଣେ ସହପାଠୀଙ୍କୁ ଛୁରିରେ ପେଟକୁ ଭୂଷି ଦେଇଥିବା ଅଭିଯୋଗ ହୋଇଛି । ସେ ଗୁରୁତର ଆହତ ହୋଇଛି । ତୁରନ୍ତ ଏକ ଅଟୋ ସହାୟତାରେ ଗୁରୁତର ଆହତ ଛାତ୍ରକୁ ଭଞ୍ଜନଗର ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥାରେ ସୁଧାର ନ ଆସିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ ବଡ଼ବୋରସିଂ ହାଇସ୍କୁଲ ପରିସରରେ ବୁଧବାର ପୂର୍ବାହ୍ଣ ସାଢ଼େ ୧୧ଟାରେ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ସାଙ୍ଗରେ ଅନ୍ୟଜଣେ ସହପାଠୀଙ୍କର ଥଟ୍ଟା ପରିହାସ ହୋଇଥିଲା । ଏହା କାଳକ୍ରମେ କଳିରେ ପରିଣତ ହୋଇଥିଲା । ତା’ପରେ ସମ୍ପୃକ୍ତ ଛାତ୍ର ଜଣକ ଏଥିରେ ଉତ୍କ୍ଷିପ୍ତ ହୋଇ ଅତର୍କିତ ତା’ର ସହପାଠୀକୁ ଛୁରିରେ ଆକ୍ରମଣ କରିଥିଲା । ନିଜ ବ୍ୟାଗ୍ ରେ ରଖିଥିବା ଏକ କାଗଜ କଟା ଛୁରିରେ ସେ ସହପାଠୀର ଡାହାଣ ପଟ ପେଟକୁ ଭୂଷି ଦେବାପରେ ଆକ୍ରମଣକାରୀ ଛାତ୍ର ଜଣକ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା । ଅନ୍ୟ ଛାତ୍ର ଓ ଶିକ୍ଷକମାନେ ସମ୍ପୃକ୍ତ ଛାତ୍ରକୁ ଧରି ନେଇ ତା’ଠାରୁ ଛୁରି ଜବତ କରିବା ସହ ଏକ କୋଠରିରେ ଅଟକ ରଖିଥିଲେ । ତୁରନ୍ତ ଆହତ ଛାତ୍ରକୁ ଭଞ୍ଜନଗର ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲେ । ଏ ନେଇ ସୂଚନା ପାଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ ଦାଶ ହାଇସ୍କୁଲ ପରିସରରେ ପହଂଚି ଘଟଣାର ଛାନଭିନ୍ କରିଛନ୍ତି । ଛୁରି ଜବତ ହୋଇଛି । ଛାତ୍ରକୁ ଅଟକ ରଖି ପଚରାଉଚରା କରିଛି ପୁଲିସ । ଗୁରୁତର ଆହତ ଛାତ୍ରର ବାପା ସୁଜିତ କୁମାର ନାୟକ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଥାନା କେସ୍ ୭୯/୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଧୀରେଶ ଦାଶ ସୂଚନା ଦେଇଛନ୍ତି । ସନ୍ଧ୍ୟାରେ ହାଇସ୍କୁଲର ପ୍ରଧାନଶିକ୍ଷକ ବିଜୟ ଚନ୍ଦ୍ର ସାହୁଙ୍କ ସମେତ କିଛି ଶିକ୍ଷକ ଓ ଉଭୟ ପରିବାରର ଅଭିଭାବକ ଉପସ୍ଥିତ ରହି ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି । ଏଭଳି ଏକ ଘଟଣା ନେଇ ବଡ଼ବୋରସିଂ ସମେତ ପାଖଆଖ ଅଂଚଳରେ ଚହଳ ସୃଷ୍ଟି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.