Tuesday , March 28 2023
Home / ବିଶେଷ / ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ମହାସଂଘ ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ମହାସଂଘ ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର ୦୪/୦୩/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଆଦିକବି ସାରଳା ଦାସ ସଂସ୍କୃତିଭବନ ପରିସରରେ ଜିଲ୍ଲା ସାମ୍ବାଦିକ ମହାସଂଘ (ଜେଡ୍.ଏସ୍.ଏମ୍)ଜଗତସିଂହପୁରର ପ୍ରଥମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଯୋଗଦେଇ କହିଥିଲେ ଗଣମାଧ୍ୟମ ହେଉଛି ସମ୍ବିଧାନର ଚତୁର୍ଥ ସ୍ତମ୍ଭ । ବିଭିନ୍ନ ସାମ୍ବାଦିକ ସଂଘ ମିଳିତ ହୋଇ ସାମ୍ବାଦିକ ମହାସଂଘ ଗଠନ କରିଥିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଜାଣିବା ଓ ଜଣାଇବାର ଇଚ୍ଛା ହେଉଛି ସାମ୍ବାଦିକତା । ଏ ଜିଲ୍ଲାର ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଶେଷ ଜୀବନ ଅନୁଗୁଳରେ କଟାଇଥିଲେ । ଜଗତସିଂହପୁରର ଜିଲ୍ଲାପାଳ ସି.ଏସ.ଆର ଫଣ୍ଡ୍ ରୁ ଜିଲ୍ଲାରେ ବିକାଶ ପ୍ରକି୍ରୟା ଜାରୀ ରଖିଥିବାରୁ ତାଙ୍କର ପ୍ରଶଂସା କରିଥିଲେ । ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଓଡିଶାର ଜଳସଂପଦ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ ସମସ୍ତଙ୍କର ସହଯୋଗ ଓ ସହଭାଗିତାରେ ଜିଲ୍ଲାର ଉନ୍ନତି ହେବ । ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ସହଯୋଗ ଏକତ୍ରୀକରଣର ଆବଶ୍ୟକତା ରହିଛି । ଜିଲ୍ଲାର ଜିଲ୍ଲାପାଳଙ୍କ ଯୋଗଦାନରେ ଜିଲ୍ଲା ଚଳଚଂଚଳ ରହିଛି । ତାଙ୍କର କର୍ତବ୍ୟବୋଧ ଓ ଦାୟିତ୍ୱବୋଧ ସମସ୍ତଙ୍କର ପାଖରେ ପ୍ରିୟ ଭାଜନ ହୋଇପାରିଛନ୍ତି । ସତ୍ୟନିଷ୍ଠ ସମ୍ବାଦ ପରିବେଷଣ କରିବା ସହିତ ନିଶ୍ଚିତ ଭାବରେ ଏ ସମାଜକୁ ଦିଗଦର୍ଶନ ଦେବାରେ ସହାୟକ ହେବ । ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହିଥିଲେ ଏକ ଉନ୍ନତ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଏହି ଉତ୍ସବ ପାଳନ ହେଉଛି । ଭାରତ ହେଉଛି ଏକ ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର । ଆମ ସମସ୍ତଙ୍କର ଲକ୍ଷ୍ୟ ହେଉଛି ସମାଜର ଉନ୍ନତି କରିବା । ଗଣତନ୍ତ୍ରର ୪ଟି ସ୍ତମ୍ଭର ଉଦ୍ଧେଶ୍ୟ ହେଉଛି ସମାଜ ଓ ଦେଶର ଉନ୍ନତି କରିବା । ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ହେଉଛି ତ୍ରୁଟି ବିଚ୍ୟୁତିକୁ ଲୋକଲୋଚନକୁ ଆଣିବା ଓ ତାର ସମାଧାନ ହେବା । ସତ୍ୟ ସମ୍ବାଦ ପରିବେଷଣ ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ । ତିର୍ତୋଲ ବିଧାୟକ ବିଜୟଶଙ୍କର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ସାମ୍ବାଦିକ ମାନେ ନିଷ୍ଠାପର ଭାବେ କାର୍ଯ୍ୟ କରନ୍ତି । ସାମ୍ବାଦିକ ମାନଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟ କାଜୁନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଯୋଗଦେଇ କହିଥିଲେ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ ପ୍ରଶଂସନୀୟ କାର୍ଯ୍ୟ କରି ନିର୍ଭୀକ ସମ୍ବାଦ ପରିବେଷଣ କରି ଚାଲୁଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ ସରକାରଙ୍କ ତରଫରୁ ଜିଲ୍ଲା ସଂସ୍କୃତିଭବନକୁ ଆଦିକବି ସାରଳାଦାସଙ୍କ ନାମରେ ନାମିତ କରିଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଥିଲେ । ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି । ସମ୍ବାଦପତ୍ର ହେଉଛି ସତ୍ୟଧର୍ମର ମାଧ୍ୟମ । କେବଳ ତଥ୍ୟଭିତିିରେ ସୀମାବଦ୍ଧ ନ ହୋଇ ତତ୍ୱ ଭିତିିକ ସମ୍ବାଦ ପରିବେଷଣ ଆବଶ୍ୟକତା ରହିଛି । ପୃଥିବୀରେ ଏମିତି ଦେଶ ରହିଛି ତଥ୍ୟ ପ୍ରକାଶ ହେଉନାହିଁ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ କାନନ ଦାଶ ସତ୍ୟ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେବା ସହ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର ଯୋଗଦେଇ କରୋନା ମୁକାବିଲାରେ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ସାମ୍ବାଦିକ ମାନଙ୍କୁ କୋଭିଡ୍ ଟୀକାକରଣରେ ସାମିଲ କରିବାକୁ ମତ ରଖିଥିଲେ । ଜିଲ୍ଲା ସାମ୍ବାଦିକ ମହାସଂଘର ସଭାପତି ପ୍ରମୋଦ କୁମାର ନାୟକ ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ସାମ୍ବାଦିକ ମାନଙ୍କର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ସାମ୍ବାଦିକ ମହାସଂଘର ସାଧାରଣ ସମ୍ପାଦକ ମନୋଜ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଜିଲ୍ଲା ସାମ୍ବାଦିକ ମହାସଂଘର ମୁଖପତ୍ର “ନିର୍ଭୀକ”କୁ ଉନ୍ମୋଚନ କରିଥିଲେ । ମୁଖ୍ୟଅତିଥି, ସ୍ୱତନ୍ତ୍ର ଅତିଥି,ମୁଖ୍ୟବକ୍ତା ଓ ସମ୍ମାନନୀୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରାରମ୍ଭରେ ସହ ସଂପାଦକ ସୋମନାଥ ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ସୁନାକର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ଏହି ଉତ୍ସବରେ ଜିଲ୍ଲା ସାମ୍ବାଦିକ ମହାସଂଘର କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ମହାରଣା, ବରିଷ୍ଠ ସାମ୍ବାଦିକ ଚନ୍ଦ୍ରକାନ୍ତ ଦାସ, ରାଧାକାନ୍ତ ମିଶ୍ର, ସିଦ୍ଧାର୍ଥ ଦାସ, ମାନସ କାନୁନଗୋ, ଦିପ୍ତୀ ମହାନ୍ତି, ଦୀପକ ମହାନ୍ତି, ଆଶୁତୋଷ ବେହେରା, ମହେଶ୍ୱର ତ୍ରିପାଠୀ, ଅକ୍ଷୟ ମହାନ୍ତି, ପ୍ରଚେତ ଚେତନ ମହାନ୍ତି, ମିଲନ ଜେନା, ଗୟାଧର ମହାରଣା,ତାରାପଦ ମହାନ୍ତି ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ସାମ୍ବାଦିକ ରମାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ସ୍ଥାନୀୟ ବୁଦ୍ଧିଜୀବି, ସମାଜସେବୀ, ଆଇନଜୀବି, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସଭା ପରେ ରମାକାନ୍ତ ରାଉଳ ଓ ସାଥିଙ୍କ ଦ୍ୱାରା ଘଟପାଟୁଆ ନୃତ୍ୟ ପରିବେଷଣ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.