କେନ୍ଦ୍ରାପଡା, ୦୪/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପରିସରରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ଶୈକ୍ଷିକ ଗୁଣାତ୍ମକ ମାନ ସମ୍ପର୍କରେ ଏକ ମେଗା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ନିକିରାଇ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୂର୍ଯ୍ୟମଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଅମରବର ବିଶ୍ୱାଳ ଯୋଗଦେଇଥିଲେ । ଶିକ୍ଷା ବ୍ୟବସ୍ଥାରେ କିଭଳି ପ୍ରତ୍ୟେକଟି ବିଦ୍ୟାଳୟରେ ଶୈକ୍ଷିକ ପଦ୍ଧତି ଉନ୍ନତ ମାନର ହୋଇପାରିବ, ଯେଉଁ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ, ବୌଦ୍ଧିକ ଓ ମାନସିକ କ୍ଷେତ୍ରରେ ବିକାଶ ହୋଇପାରୁନାହିଁ ସେହି ଛାତ୍ରଛାତ୍ରୀମାନଙ୍କର କିପରି ଆଗାମି ଦିନମାନଙ୍କରେ ଅଧିକରୁ ଅଧିକ ଶିକ୍ଷାଦାନ କ୍ଷେତ୍ରରେ ବିକାଶ ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ୬ଷ୍ଠ ଶ୍ରେଣୀରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଠପଢାରେ ଅତି ସହଜରେ କିପରି ଉନ୍ନତି ସାଧିତ ହୋଇପାରିବ ସେ ସମ୍ପର୍କରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ଏହାବ୍ୟତିତ ପ୍ରତ୍ୟେକ ଶିକ୍ଷକ,ଶିକ୍ଷୟତ୍ରୀ ଅନ୍ତତଃ ପକ୍ଷେ ନିଜ ନିଜର ଦାୟୀତ୍ୱ ସମ୍ପାଦନ ପରେ କିଛି କିଛି ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ସେମାନଙ୍କ ଶୈକ୍ଷିକ, ବୈାଦ୍ଧିକ , ମାନସିକ ଏବଂ ଚାରିତ୍ରିକ ବିକାଶ କରାଇବା ସେଙ୍ଗ ସେଙ୍ଗ ସେମାନଙ୍କୁ ଉଚିତ ମାର୍ଗରେ ପଥ ପ୍ରଦର୍ଶନ କରାଇବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀରେ ଶିକ୍ଷାଦାନ ସମୟରେ ଅତି ଆପଣାର ମନୋବୃି ନେଇ ଶିକ୍ଷାଦାନ କଲେ ସେମାନଙ୍କ ଶୈକ୍ଷିକ କ୍ଷେତ୍ରରେ ନିଶ୍ଚିନ୍ତ ବିକାଶ ସମ୍ଭବ ବୋଲି ମଂଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ଉପେନ୍ଦ୍ରନାଥ ସ୍ୱାଇଁ, ଶିକ୍ଷକ ଶିବ ପ୍ରସାଦ ନାୟକ, ଶିକ୍ଷୟତ୍ରୀ ବନଜା ରାଉତ, ସୁଜାତା ରାଉତ, ଶର୍ମିଷ୍ଠା ସାମଲ, ସେକ ଆସିକୁଦ୍ଧିନ, ସେକ ସୁଲତାନ, ସନ୍ତୋଷ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର