ଭୁବନ ୦୪/୦୩/୨୦୨୧(ଓଡ଼ିଶା ସମାଚାର)- ୧୯୯୯ ମସିହାରେ ତତ୍କାଳୀନ କେନ୍ଦ୍ର ଭୂପୃଷ୍ଟ ଓ ପରିବହନ ମନ୍ତ୍ରୀ ଡା.ଦେବେନ୍ଦ୍ର ପ୍ରଧାନ ଙ୍କ ସୁପାରିଶ କ୍ରମେ ଭୁବନ ସହର ଦେଇ ଯାଇଥିବା ୨୦ ନମ୍ବର ରାଜ୍ୟ ରାଜପଥ ୨୦୦ ନମ୍ବର ଜାତୀୟ ରାଜପଥ ଭାବେ ପରିବର୍ତନ ହୋଇଥିଲା । ପରେ ୨୦୦ ନମ୍ବର ବଦଳରେ ଏହା ୫୩ ନମ୍ବର ଜାତୀୟ ରାଜପଥ ଭାବେ ନାମକରଣ ହୋଇଥିଲା । ଏହି ରାସ୍ତାଟି ଚଣ୍ଡିଖୋଲ ଠାରୁ କନକତୋରା ପର୍ଯ୍ୟନ୍ତ ଲମ୍ବିଛି । ୨ ବର୍ଷ ପୂର୍ବେ ଏହି ୫୩ ନମ୍ବର ଜାତୀୟ ରାଜପଥରେ ୪ ଟିକିଆ ରାସ୍ତା କାମ ଆରମ୍ଭ ହୋଇଛି । ଭୁବନର ପ୍ରବେଶ ପଥ ଅନନ୍ତପୁର ଛକରୁ କାଳୀବଜାର ଦେଇ ଥାନାଛକ ପର୍ଯ୍ୟନ୍ତ ସମୁଦାୟ ୮ କିମି ରାସ୍ତା ମରଣଯନ୍ତା ପାଲଟିଛି । ବାଜିରାଉତ କଲେଜ ଛକ ଠାରୁ ମାତ୍ର ଶହେ ମିଟର ଦୂରରେ ୪ ଟିକିଆ ରାସ୍ତାର ବାଇପାସ ରୋଡ କରାଯାଇଛି । ଏହି ବାଇପାସ ରାସ୍ତାଟି ନୀଳମାଧବ ପେଟ୍ରୋଲ ପମ୍ପ ନିକଟରୁ ବାହାରି ତହସିଲ ଅଫିସ ସମ୍ମୁଖରେ ପହଁଚିଛି । ବର୍ତମାନ ଏହି ବାଇପାସ ରାସ୍ତାରେ କାଁ ଭାଁ ଗାଡି ଚଳାଚଳ କରୁଥିବା ବେଳେ କାଳୀବଜାର ମଧଯୟ ଦେଇ ଦୈନିକ ଶତାଧିକ କୋଇଲା ବୋଝେଇ ଟ୍ରକ ସମେତ ରାସ୍ତା କାମରେ ନିୟୋଜିତ ହାଇୱା ଗାଡି ଓ ବାଲି ଗାଡି ଚଳାଚଳ କରୁଥିବାରୁ ରାସ୍ତାରେ ଆଣ୍ଠୁଏରୁ ଅଣ୍ଟେ ଲେଖାଏଁ ଖାଲସୃଷ୍ଟି ହୋଇ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି । କଲେଜଛକ ଠାରୁ କାଳୀବଜାର ଦେଇ ତହସିଲ ଅଫିସ ୪ କିମି ରାସ୍ତା ଏନଏଚଏଆଇ ବିଭାଗ ପୂର୍ତବିଭାଗକୁ ରକ୍ଷଣାବେକ୍ଷଣ ପାଇଁ ହସ୍ତାନ୍ତର କରିଥିବା କୁହାଯାଉଥିବା ବେଳେ ବାଇପାସ ରୋଡ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ଗାଡିଚଳାଚଳ କଲାପରେ ପୂର୍ତବିଭାଗ ଏହି ରାସ୍ତା ମରାମତି କରିବ ବୋଲି କହୁଛି । ବର୍ତମାନ ଯେହେତୁ ଏହି ରାସ୍ତାରେ ଏନଏଚ ଠିକା କାର୍ଯ୍ୟ କରୁଥିବା ବାଲାଜୀ କନଷ୍ଟ୍ରକସନ କମ୍ପାନୀର ପର୍ଯ୍ୟାପ୍ତ ଗାଡି ଚଳାଚଳ କରୁଛି ଓ ସମୟସୀମା ଅବଧି ଶେଷ ପରେ ମଧ୍ୟ ବାଇପାସ ରାସ୍ତା ସଂପୂର୍ଣ୍ଣ ହୋଇପାରୁନାହିଁ ସେଥିପାଇଁ କଲେଜ ଛକ ରୁ ତହସିଲ ଅଫିସ ପର୍ଯ୍ୟନ୍ତ ରାସ୍ତାକୁ ମରାମତି କରିବାକୁ ଠିକା ସଂସ୍ଥା ଓ ଏନଏଚ କର୍ତୃପକ୍ଷଙ୍କୁ ବାରମ୍ବାର କୁହାଯିବା ସହ ତାଗିଦ ମଧ୍ୟ କରାଯାଉଛି,ହେଲେ ସେମାନେ ଶୁଣୁନାହାନ୍ତି,ଗାଲୁଆମୀ କରୁଛନ୍ତି ବୋଲି ତହସିଲଦାର ପ୍ରଭାସ କୁମାର ବେହୁରା ସୂଚନା ଦେବା ସହିତ ଅକ୍ଷମତା ପ୍ରକାଶ କରୁଛନ୍ତି । ଏହି ରାସ୍ତାକୁ ନା ପୂର୍ତବିଭାଗ ମରାମତି କରୁଛି ନା ଏନଏଚ ବିଭାଗ ମରାମତି କରିବା ନାଁ ଧରୁଛି । ତେଣୁ ସ୍ୱାଭାବିକ ଭାବେ ଏହି ରାସ୍ତାଟି ପ୍ରକୃତରେ କାହାର ବୋଲି ଜନସାଧାରଣ ଓ ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରୁଛନ୍ତି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ଅନୁରୂପ ଭାବେ ସାଂସଦ ମହେଶ ସାହୁ ମଧ୍ୟ ଏହି ୪ ଟିକିଆ ରାସ୍ତା ସଂପର୍କରେ ସଂସଦରେ ସ୍ୱର ଉତୋଳନ କରିବାକୁ ବୁଦ୍ଧିଜୀବୀ ମହଲ ମତ ଦେଇଛନ୍ତି । ଓଡ଼ିଶା ସମାଚାର