ପାରାଦୀପ ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅର୍ନ୍ତଗତ ଅଲରା ପଂଚାୟତର ମତ୍ସାଳ(ଭଣ୍ଡାଇଲ) ଗ୍ରାମର କୂଳମଣି ପରିଡାଙ୍କ ଜ୍ୟେଷ୍ଠ ପୁତ୍ର ବାଇଧର ପରିଡାଙ୍କର ଦେହାନ୍ତରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଉକ୍ତ ଅଂଚଳରେ ତାଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ଏବଂ ଜଗତସିଂହପୁର ଜିଲ୍ଲା ଶାଖା ଅନନ୍ତ ଗୋପାଳ ଭକ୍ତ ସମାଜ ତରଫରୁ ତାଙ୍କର ଚତୁର୍ଦ୍ଧଶ ଦିନରେ ଆଶ୍ରମ ପରିସରରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାତଃରୁ ପ୍ରଭୁ ଅନନ୍ତ ଗୋପାଳଙ୍କ ପୁଜାର୍ଚ୍ଚନା କରାଯାଇ ଏକ ନାମଯଜ୍ଞର ଆୟୋଜନ କରାଯାଇଥିଲା । ଏହି ନାମଯଜ୍ଞରେ ଜଗତସିଂହପୁର ଜିଲ୍ଲାର ଅନନ୍ତ ଗୋପାଳ ଭକ୍ତ ସମାଜ ତୀହୁଡା, ନହରଣା(ବଇରକ), ଥାଇଳ, ହାସିମନଗର, ବଳେଇପରୁ, ବିଲସାହି, ପାରାଦୀପ ଓ କଟକର ଅନନ୍ତ ଗୋତ୍ରୀ ଭାଇଭଉଣୀ ମନେ ଯୋଗ ଦେଇଥିଲେ । ସେହିପରି ଅପରାହ୍ନରେ ଛତିଆବଟର ମଣିମା ଶ୍ରୀଶ୍ରୀ ପଦନ୍ମ୍ କିଶୋର ଦେବ ତାଙ୍କର ଦୁଇପୁତ୍ର ଶ୍ରୀ ନିରଞ୍ଜନ ଦେବ ଓ ଶ୍ରୀ ବିଶ୍ୱରଞ୍ଜନ ଦେବ ଏବଂ ବରିଷ୍ଠ ସେବକ ଅଭିରାମ ଓଝା ଯୋଗ ଦେଇଥିଲେ । ସେବକ ଶ୍ରୀ ଓଝା ସ୍ମୃତି ଚାରଣରେ କହିଥିଲେ ଯେ ସ୍ୱର୍ଗତ ବାଇଧର ପରିଡା ଜଣେ ବନ୍ଧୁ ବତ୍ସଳ ଏବଂ ଅମାୟିକ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ ଆମ ସମସ୍ତଙ୍କୁ ବଡ କଷ୍ଟ ଦେଇଛି । ଯେ କୌଣସି ପ୍ରତିକୁଳ ପରିସ୍ଥିତିରେ ସେ ଛତିଆବଟର କାର୍ଯ୍ୟ କରିବାରେ ନିଜକୁ ନିୟୋଜିତ କରି ରଖିଥିଲେ । ତେଣୁ ତାଙ୍କର ସେହି କାର୍ଯ୍ୟକୁ ସୁଚାରୁ ରୁପେ ତୁଲାଇ ପାରିଲେ ତାଙ୍କର ଅମର ଆତ୍ମାର ସଦଗତି ହେବ । ବଟାଧିଶ ମଣୀମା ଶ୍ରୀ ପ୍ରଦୁ୍ୟମ୍ନ କିଶୋର ଦେବ ସ୍ୱର୍ଗତ ପରିଡାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇବା ସହ ହାତଯୋଡି ବିନମ୍ରତାର ସହିତ କହିଥିଲେ ମାନବ ସମାଜ ମୋ ପରିବାର ଏଣୁ ଆପଣମାନେ ଯେକୌଣସି ଅବକାରୀ, ତମ୍ବାଖୁ ଓ ନିଶାଦ୍ରବ୍ୟ ସେବନ ଯାହା ଶରୀର ପାଇଁ କ୍ଷତି କାରକ ତାହା ସେବନ ନକରିବା ପାଇଁ ଆୟୋଜିତ ଏହି ନାମଯଜ୍ଞରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର