Sunday , March 26 2023
Breaking News
Home / ଶିକ୍ଷା / ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍ ବଦଳରେ ୩୦ ହଜାର ଟଙ୍କା ଦେବେ ସରକାର

ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍ ବଦଳରେ ୩୦ ହଜାର ଟଙ୍କା ଦେବେ ସରକାର

ଭୁବନେଶ୍ୱର, ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲ୍ୟାପଟପ୍ ବଂଟନ କରିଥାନ୍ତି । ୨୦୧୩ ମସିହାରୁ ରାଜ୍ୟ ସରକାର ଏହି ଲ୍ୟାପଟପ୍ ବଂଟନ କରୁଥିବା ବେଳେ ଚଳିତବର୍ଷଠୁ ଆଉ ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଉ ଲ୍ୟାପଟପ୍ ନବାଂଟିବାକୁ ନିଷ୍ପତି ନେଇଛନ୍ତି । ଲ୍ୟାପଟପ୍ ବଦଳରେ ଏହି ଛାତ୍ରଛାତ୍ରୀମାନଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ୩୦ ହଜାର ଟଙ୍କା ଦେବେ ବୋଲି ଜଣାପଡ଼ିଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖିଥିବା ୧୫ହଜାର ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷ ଲ୍ୟାପଟପ୍ ନଦେବାକୁ ନିଷ୍ପତିି ନେଇଛନ୍ତି । ଡିବିଟି ମାଧ୍ୟମରେ ୩୦ହଜାର ଟଙ୍କା ସେମାନଙ୍କ ଆକାଉଂଟକୁ ଦେବେ, ଯାହାଫଳରେ ସେମାନେ ନିଜ ପସନ୍ଦ ଅନୁସାରେ ଲ୍ୟାପଟପ୍ କିଣିବାର ସୁଯୋଗ ପାଇବେ । ୨୦୧୩ ମସିହାରୁ ଲ୍ୟାପଟପ୍ ବଂଟନ କରୁଥିବା ସରକାର ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ପରୀକ୍ଷାର ବିଭିନ୍ନ ବର୍ଗରେ କୃତକାର୍ଯ୍ୟ ହୋଇଥିବା ପ୍ରାୟ ୧୫ହଜାର ଛାତ୍ରଛାତ୍ରୀଙ୍କୁ ୩୦ହଜାର ଟଙ୍କା ଦେବେ । ତା’ପୁଣି ସେମାନଙ୍କର ବ୍ୟାଙ୍କ ଆକାଉଂଟରେ । ତେବେ ଏହ ଲ୍ୟାପଟପ୍ ଅର୍ଥ ପାଇବା ନିମନ୍ତେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଚ୍ଚ ୧୮ତାରିଖ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ ରେ ଆବଶ୍ୟକ ଦସ୍ତାବିଜ ଅପଲୋଡ୍ କରିବାକୁ ପଡ଼ିବ । ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ୧୫ହଜାର ପିଲାଙ୍କୁ ଏହି ଲ୍ୟାପଟପ୍ ବଂଟନ କରାଯାଇଥାଏ ।
କଳା ବର୍ଗରେ ୫୪୦୦, ବିଜ୍ଞାନରେ ୭ହଜାର ,ବାଣିଜ୍ୟରେ ୨ହଜାର, ଧନ୍ଦାମୂଳକ ଶିକ୍ଷାରେ ୨୦୦ ଓ ସଂସ୍କୃତି ବିଶ୍ୱବିଦ୍ୟାଳୟର ୪୦୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଲ୍ୟାପଟପ୍ ବଂଟନ କରାଯାଇଥାଏ । ଏହି ଲ୍ୟାପଟପ୍ ବଂଟନ ପାଇଁ ଛାତ୍ରଛାତ୍ରୀ ଚୟନ ପ୍ରକ୍ରିୟା ଗତବର୍ଷଠୁ ରାଜ୍ୟସ୍ତରରେ ନକରାଯାଇ ଜିଲ୍ଲାସ୍ତରରେ ହେଉଛି । ଚଳିତବର୍ଷ ଏହି ଲ୍ୟାପଟପ୍ ବଂଟନ ପାଇଁ ରାଜ୍ୟ ସରକାର ୪୫କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.