Tuesday , March 21 2023
Breaking News
Home / ବିଶେଷ / କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର

କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର

କେନ୍ଦ୍ରାପଡ଼ା,୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡିଶା ପ୍ରଦେଶର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଦେଶରେ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ  ସଂସଦରେ ଆଇନ ପ୍ରଣୟନ କରିବାକୁ  ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଦାବି କରାଯାଇଛି । ଜନସଂଖ୍ୟା ଫାଉଣ୍ଡେସନର ଜିଲ୍ଲା ସଭାପତି ପବିତ୍ର ପରିଡାଙ୍କ ନେତୃତ୍ୱରେ ଶତାଧିକ ସଭ୍ୟ ଏକ ଶୋଭାଯାତ୍ରାରେ ଆସି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ପୃଥିବୀ ଜନସଂଖ୍ୟାର ୧୬.୭ ପ୍ରତିଶତ ଲୋକ ଭାରତବର୍ଷରେ ବସବାସ କରନ୍ତି । ପ୍ରତ୍ୟେକ ମିନିଟରେ ଆମ  ଦେଶରେ  ୫୦ ଜଣ ନବଜାତକ ଜନ୍ମ ହେଉଥିବା ବେଳେ ବର୍ତମାନ ଆମ ଦେଶର ଲୋକ ସଂଖ୍ୟା ୧୩୮କୋଟିରେ ପହଁଚିସାରିଲାଣି । ଜନସଂଖ୍ୟା ଏଭଳି ବୃଦ୍ଧି ହେଲେ ଆଗାମୀ ୨୦୪୦ମସିହାରେ ଭାରତର ଜନସଂଖ୍ୟା ୨୪୦କୋଟିରେ ପହଁଚିବ । ଭାରତରେ ପୃଥିବୀର ସ୍ଥଳଭାଗ ମଧ୍ୟରୁ ମାତ୍ର ୨.୪ ଭାଗ ସ୍ଥଳଭାଗ ଥିବାବେଳେ ଜନସଂଖ୍ୟା ବୃଦ୍ଧି ହେତୁ  ସ୍ଥଳଭାଗର ଅଭାବ ପରିଲଖିତ ହେଲାଣି । ବେକାରୀ ସଂଖ୍ୟା ବୃଦ୍ଧି ପାଇ ୨୩.୬ ପ୍ରତିଶତରେ ପହଁଚିଲାଣି । ଫଳରେ  ଖାଦ୍ୟାଭାବ, ବାସସ୍ଥାନ ଅଭାବ, ଶୁଦ୍ଧ ପାନୀୟଜଳ, ମୁକ୍ତବାୟୁ ଓ ସ୍ୱଚ୍ଛ ପରିବେଶ ଦିନକୁଦିନ ବିଷାକ୍ତ ହେବାରେ ଲାଗିଲାଣି ।  ଜନସଂଖ୍ୟା ବୃଦ୍ଧି ଏହାର ଏକମାତ୍ର କାରଣ ହୋଇଥିବାରୁ ଆଗାମୀ ଦିନରେ ଦେଶକୁ ସୁରକ୍ଷିତ ରଖିବା ପାଇଁ  କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ  କରିବା ପାଇଁ ଫାଉଣ୍ଡେସନ ପକ୍ଷରୁ ଦାବି କରାଯାଇଛି । ନଗର ସଭାପତି ମନୀନ୍ଦ୍ର କୁମାର ରାଉତ,ନଗର ସମ୍ପାଦକ ପ୍ରମୋଦ ଜେନା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଉର୍ମିଳା ସେଠୀ, ବିଜୟ କୁମାର ନାୟକ, ରଶ୍ମିରଞ୍ଜନ ପ୍ରଧାନ, ଅମ୍ରୁତ ମହାନ୍ତି, ମନୋରଞ୍ଜନ ସାମଲ, ରଶ୍ମିତା ବିଶ୍ୱାଳ, ପ୍ରଭାତ ରଞ୍ଜନ ସ୍ୱାଇଁ, ନଗେନ୍ଦ୍ର ବେହେରା  ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.