କଟକ, ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତି ସୋମବାର ପୂର୍ବାହ୍ନରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଅପରାହ୍ନରେ ରେ ସେ ରାଜ୍ୟପାଳଙ୍କୁ ଭେଟି ନିଯୁକ୍ତି ରିପୋର୍ଟ ପ୍ରଦାନ କରିଥିଲେ । ଶ୍ରୀ ମହାନ୍ତି କହିଛନ୍ତି ଯେ ଓପିଏସସି ପରୀକ୍ଷାକୁ ସ୍ୱଚ୍ଛତାର ସହ ପରିଚାଳନା କରିବା ଆମର ପ୍ରାଥମିକତା ହେବ । ବୋର୍ଡର ଶୀର୍ଷ ତଥା ଅଭିଜ୍ଞ ଅମଲାତନ୍ତ୍ର ଏବଂ ଶିକ୍ଷାବିତ୍ ଙ୍କ ସାହାଯ୍ୟରେ ଆମେ ସମସ୍ତ ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ଚେଷ୍ଟାକରିବୁ ।
ସୂଚନାଯୋଗ୍ୟ ରବିବାର ଶ୍ରୀ ମହାନ୍ତି ଭାରତୀୟ ପୁଲିସ୍ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ୩୩ ବର୍ଷର କ୍ୟାରିଅରରେ ସେ ରାଜ୍ୟ ପୁଲିସ ପ୍ରଶାସନର ଅନେକ ଗୁରୁତ୍ୱ ୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ । ସେ କୋରାପୁଟ, ରାଉରକେଲା, କଟକ ଏବଂ ବାଲେଶ୍ୱର ଜିଲ୍ଲାର ପୁଲିସ ଅଧୀକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ଜୁଲାଇ ୨୦୧୮ ରେ ଶ୍ରୀ ମହାନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ତଥା ଅଗ୍ନିଶମ ଓ ହୋମଗାର୍ଡର ଡିଜି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଗୋଇନ୍ଦା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ । ପୁଲିସ୍ ମହାନିର୍ଦ୍ଦେଶକ ପଦବୀକୁ ଉନ୍ନୀତ ହେବା ପରେ ଜେଲ୍ ନିର୍ଦ୍ଦେଶକ, ଓଡ଼ିଶାର ସଂଶୋଧନ ସେବା, ଗୋଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜିପିି ଭାବେ ସେ କାର୍ଯ୍ୟ କରିଛନ୍ତି । ୬୨ ବର୍ଷ ବୟସ ପର୍ଯ୍ୟନ୍ତ ସେ ଓପିଏସସି ଅଧ୍ୟକ୍ଷ ପଦବୀରେ ରହିବେ ବୋଲି ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ।