ଭୁବନେଶ୍ୱର, ୦୩/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ ଢାଂଚାରେ ଓଡିଶା ସରକାର ୧୦ଟି ଆଙ୍କାକ୍ଷୀ ଜିଲ୍ଲାପାଇଁ ସଚିବ ସ୍ତରୀୟ ବରିଷ୍ଠ ଅଫିସରଙ୍କୁ ମନୋନୀତ କରିଛନ୍ତି । ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଅଫିସରଙ୍କ ନାମ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଥିବାବଳେ ଏପ୍ରିଲ୍ ପହିଲାରୁ ଏମାନେ କାର୍ଯ୍ୟ ଆରମ୍ଭ କରିବେ । ବିଜ୍ଞପ୍ତି ଅନୁଯାୟୀ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁ ସୂଦନ ପାଢୀଙ୍କୁ କନ୍ଧମାଳ ଜିଲ୍ଲା ଦାୟିତ୍ୱ ମିଳିଥିବାବେଳେ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ ରହିବେ । ଅନୁରୂପ ଭାବେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ରାୟଗଡା, ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ବଲାଙ୍ଗିର ଜିଲ୍ଲା ପାଇଁ ମନୋନୀତ ହୋଇଛନ୍ତି । ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗର ପ୍ରମୁଖ ସଚିବ ସନ୍ତୋଷ କୁମାର ଷଡଙ୍ଗୀ କୋରାପୁଟ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିାଭଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ଢେଙ୍କାନାଳ, ରାଜ୍ୟ ଓ ବିର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁ ଦ ସେଠୀ ନୂଆପଡା ଓ ଏସଏସଇପିି ବିଭାଗ ସଚିବ ଭାଷ୍କର ଜ୍ୟୋତି ଶର୍ମା ଗଜପତି ଜିଲ୍ଲା ଦାୟିତ୍ୱରେ ରହିବେ । ଇପିକଲ ପରିଚାଳନା ନିର୍ଦ୍ଧେଶକ ନୀତିନ ବି ଜାୱେଲଙ୍କୁ ମାଲକାନଗିରି ଦାୟିତ୍ୱ ଦିଆଯାଇଥିବାବେଳେ ସାମାଜିକ କଲ୍ୟାଣ ନିର୍ଦ୍ଧେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର ଜିଲ୍ଲାପାଇଁ ଚୟନ କରାଯାଇଛି । ଏହି ବରିଷ୍ଠ ଅଧିକାରୀମାନେ ଆଙ୍କାକ୍ଷୀ ଜିଲ୍ଲା ଗସ୍ତ କରିବା ସହିତ ଏହିସବୁ ଜିଲ୍ଲାପାଇଁ କାର୍ଯ୍ୟ ଯେଜାନା ପ୍ରସ୍ତୁତ ଲାଗି ଥିବା ରାଜ୍ୟ ସ୍ତରୀୟ କମିଟିକୁ ରିପୋର୍ଟ ପ୍ରଦାନ କରିବେ । କେନ୍ଦ୍ର ସରକାର ମଧ୍ୟ ଏହିସବୁ ଆଙ୍କାକ୍ଷୀ ଜିଲ୍ଲାପାଇଁ କେନ୍ଦ୍ରୀୟ ପ୍ରଭାରୀ ଅଫିସରମାନଙ୍କୁ ନିଯୁକ୍ତ କରିଛନ୍ତି । କେନ୍ଦ୍ରୀୟ ପ୍ରଭାରୀ ଅଫିସରମାନେ ନିୟମିତ ଭାବେ ଆଙ୍କାକ୍ଷୀ ଜିଲ୍ଲା ଗସ୍ତ କରିବା ସହିତ ନୀତି ଆୟୋଗଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରୁଛନ୍ତି । ରାଜ୍ୟର ଏହି ବରିଷ୍ଠ ଅଧିକାରୀମାନେ କେନ୍ଦ୍ରୀୟ ପ୍ରଭାରୀ ଅଫିସରଙ୍କ ସହିତ ସମନ୍ୱୟ ରକ୍ଷା କରିବେ ଯାହା ଫଳରେ ଏହିସବୁ ପଛୁଆ ଜିଲ୍ଲାଗୁଡିକ ସବୁ କ୍ଷେତ୍ରରେ ସହାୟତା ପାଇବା ସହିତ ଆଗକୁ ବଢି ପାରିବ । ଅଧିକାଂଶ ଆଙ୍କାକ୍ଷୀ ଜିଲ୍ଲା ସେମାନଙ୍କର ଉନ୍ନତ ପ୍ରଦର୍ଶନ ପାଇଁ ନୀତି ଆୟୋଗଙ୍କ ଠାରୁ ଆର୍ଥିକ ସହାୟତା ପାଉଛନ୍ତି । ନୀତି ଆୟୋଗଙ୍କ ପକ୍ଷରୁ ନିୟମିତ ଭାବେ ଆଙ୍କାକ୍ଷୀ ଜିଲ୍ଲାରେ ଚାଲୁଥିବା କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହିତ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଙ୍କ ସହିତ ସମନ୍ୱୟ ରକ୍ଷା କରାଯାଉଛି । ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତାଭ କାନ୍ତ୍ ଆଙ୍କାକ୍ଷୀ ଜିଲ୍ଲାର ବିକାଶ ଉପରେ ତୀକ୍ଷ୍ମ ନଜର ରଖିଥିବା ଜଣାଯାଇଛି । ଦେଶରେ ୧୧୮ଟି ପଛୁଆ ଜିଲ୍ଲାକୁ ଆଙ୍କାକ୍ଷୀ ଜିଲ୍ଲା ଭାବରେ ଚିହ୍ନଟ କରାଯାଇ ଏହି ଅଂଚଳର ସମନ୍ୱିତ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥôକ ବିକାଶ, କୃଷି, କ୍ଷୁଦ୍ରଶିଳ୍ପ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉନ୍ନୟନ ଉପରେ ଗୁରୁତ୍ୱଆରୋପ କରାଯାଉଛି । ଓଡ଼ିଶା ସମାଚାର