ଭୁବନେଶ୍ୱର, ୦୨/୦୩/୨୦୨୧(ଓଡ଼ିଶା ସମାଚାର)-ଆଣ୍ଟିଜେନ୍ କିଟ୍ ଖରାପ ଥିବାରୁ ସମ୍ବଲପୁର ଭିସୁଟ୍ରେ ୨୫ ଜଣଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଏ ନେଇ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସମ୍ବଲପୁର ଭିସୁଟ୍ରେ ୨୫ ଜଣ ଛାତ୍ରଛାତ୍ରୀଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ଆଣ୍ଟିଜେନ୍ କିଟ୍ ରେ ତ୍ରୁଟି ଥିବା ଯୋଗୁଁ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ସେଠାରୁ ସବୁ ଆଣ୍ଟିଜେନ୍ କିଟ୍ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ମୋଟ୍ ୨୫ ଜଣ କରୋନା ସଂଙ୍କ୍ରମିତ ହୋଇଥିବା ଖବର ଆସିଥିଲା । ଫଳରେ ବୁର୍ଲା ଭିସୁଟ୍ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଏତେ ସଂଖ୍ୟକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ପରେ ଇନଚାର୍ଜ ଜିଲ୍ଲାପାଳ ତଥା ବର୍ତ୍ତମାନର ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଏହି ଘୋଷଣା କରିଥିଲେ । ସଂଙ୍କ୍ରମଣ କୁ ଆୟତ କରିବା ପାଇଁ ବୁର୍ଲା ଭିସୁଟର ପୁଲହ, ପୁଲସ୍ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଏଥି ସହିତ ପୁଲହ ହଷ୍ଟେଲକୁ ଲାଗି ଥିବା ଅଂଚଳ କୁ ବଫର ଜୋନ୍ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ଏହି ଘୋଷଣା ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଥିଲା । ହେଲେ ଆଣ୍ଟିଜେନ୍ କିଟ୍ ରେ ତ୍ରୁଟି ଥିବା ଯୋଗୁଁ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିବା ପରେ କଣ୍ଟେନମେଣ୍ଟ ଉଠାଇବା ପାଇଁ ପରବର୍ତୀ କାର୍ଯ୍ୟୁଷ୍ଠାନ ଗ୍ରହଣ କରାଯିବ । ବନ୍ଦ ଥିବା ପରୀକ୍ଷା କରିବା ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁପିଲାମାନେ ଘରକୁ ପଳାଇଯାଇଛନ୍ତି, ସେମାନଙ୍କୁ ମଧ୍ୟ ବିଶ୍ୱବିଦ୍ୟାଳୟକୁ ଫେରିଆସିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡ଼ିଶା ସମାଚାର