କେନ୍ଦ୍ରାପଡା, ୦୨/୦୩/୨୦୨୧(ଓଡ଼ିଶା ସମାଚାର)- ଏକ ଜାଲ ବିବାହ ପ୍ରମାଣପତ୍ର ଦର୍ଶାଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ବିବାହ ସହାୟତାରାଶି ହଡପ ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଶ୍ରମ ସଂଗଠନ ନାମରେ କେତେକ ଦଲାଲ ଜାଲ ବିବାହ ପ୍ରମାଣପତ୍ର ଯୋଗାଡକରି ଝିଅ ବିବାହ ସହାୟତା ରାଶି ୫୦ହଜାର ଟଙ୍କା ଦେବାର ପ୍ରତିଶୃତି ଦେଇ ନିରୀହ ନିର୍ମାଣ ଶ୍ରମିକ ମାନଙ୍କ ଠାରୁ ଅଗ୍ରୀମ ନଗଦ ୨୦ହଜାର ଟଙ୍କା କିମ୍ବା ସେହି ପରିମାଣର ଚେକ ନେବାରେ ସକ୍ରୀୟ ହୋଇ ଉଠିଛନ୍ତି । ପୂର୍ବରୁ ଏହି ସହାୟତା ବାବଦକୁ ୨୫ହଜାର ଟଙ୍କା ପ୍ରଦାନ କରାଯାଉଥିବାବେଳେ ଗତ ୨୦୧୯ମସିହା ଜୁନମାସ ୧ତାରିଖ ଠାରୁ ଏହା ୫୦ହଜାର ଟଙ୍କା ହୋଇଛି । ଏହାର ସୁଯୋଗନେଇ ସେହି ତାରିଖର ଯଥେଷ୍ଟ ପୂର୍ବରୁ ବିବାହ କରିଥିବା ଏବଂ ସେମାନଙ୍କଠାରୁ ଜନ୍ମିତ ପିଲାମାନେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ଗୁଡିକରେ ପଢୁଥିବାବେଳେ ନିର୍ମାଣ ଶ୍ରମିକଙ୍କ ସେହି ବିବାହିତ ଝିଅମାନଙ୍କ ପାଇଁ ବିବାହ ସହାୟତାର ପ୍ରଲୋଭନ ଦେଖାଇବାସହ ସେମାନଙ୍କ ପାଇଁ ଜାଲ ବିବାହ ପ୍ରମାଣପତ୍ର ଯୋଗାଡ କରାଇଦେଇ ସେମାନଙ୍କ ଠାରୁ ଅଗ୍ରୀମ ୨୦ହଜାର ଟଙ୍କା ନେଇ ଯାଉଛନ୍ତି । ଆହୁରି ବିସ୍ମୟ ଜନକ କଥା ହେଉଛି ଜଣେ ଅବିବାହିତ ପଞ୍ଜିକୃତ ନିର୍ମାଣ ଶ୍ରମିକ ବିବାହ ପରେ ପିଲା ଜନ୍ମକରି ପ୍ରସୁତି କାଳୀନ ସହାୟତା ରାଶି ଜିଲ୍ଲା ଶ୍ରମକାର୍ଯ୍ୟାଳୟରୁ ଗ୍ରହଣ କରିସାରିବା ପରେ ଏହି ଦଲାଲମାନଙ୍କ ମିଥ୍ୟା ପ୍ରତିଶୃତିରେ ପଡି ଜାଲ ବିବାହ ପ୍ରମାଣପତ୍ର ଯୋଗାଡ କରି ବିବାହ ସହାୟତା ରାଶି ୫୦ହଜାର ଟଙ୍କା ହାତେଇ ନେବାକୁ ଆବେଦନ କରିଥିବା ଅଭିଯୋଗ ହୋଇଛି । ଏହାର ନିରପେକ୍ଷ ଓ ବିଧିବଦ୍ଧ ତଦନ୍ତ କରାଗଲେ ଆହୁରି ଅଧିକ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିପାରିବ । ଏଣୁଏହି ଦଲାଲମାନଙ୍କ କବଳରୁ ଜିଲ୍ଲା ଶ୍ରମକାର୍ଯ୍ୟାଳୟକୁ ମୁକ୍ତକରିବା ସହିତ ସରକାରୀ ଅର୍ଥ ଅପବ୍ୟୟକୁ ରୋକାଯିବା ସଂପୃକ୍ତ ଦଲାଲମାନଙ୍କୁ ଗିରଫ କରାଯିବା ଏବଂ ସେହି ହିତାଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ଏହି ଘଟଣାର ତଦନ୍ତ ଉପଯୁକ୍ତ ତଦନ୍ତକାରୀ ସଂସ୍ଥା ଦ୍ୱାରା ନିରପେକ୍ଷ ଭାବେ କରାଯିବାକୁ ଓଡିଶା ରାଜ୍ୟ କୃଷି ଓ ଗ୍ରାମ୍ୟ ଶ୍ରମିକ ସଙ୍ଘର ସଭାପତି ବସନ୍ତ କୁମାର ସେଠୀ ଓ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀମୂଲିଆ ସଙ୍ଘର ସଭାପତି ଫକିର ଚରଣ ଖଟୁଆ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏଥି ସହିତ ଏହାର ନକଲ କେନ୍ଦ୍ରାପଡା ଡିଭିଜନାଲ ଶ୍ରମ କମିଶନରଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର