ଭୁବନେଶ୍ୱର, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ପୁରୀ ଜିଲାର ଜଣେ ୭୨ ବର୍ଷ ବୟସ୍କା ମହିଳା । ଏହାକୁ ମିଶାଇ ରାଜ୍ୟରେ କରୋନା କୃତ୍ୟୁ ସଂଖ୍ୟା ୧୯୧୬ କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୮୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୪ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି।
ଚିହ୍ନଟଙ୍କ ମଧ୍ୟରେ ସମ୍ବଲପୁରରୁ ୯ ଜଣ ଥିବାବେଳେ ଖୋର୍ଦ୍ଧାରୁ ୮, ବାଲେଶ୍ୱର, କଟକ ଓ ଝାରସୁଗୁଡ଼ାରୁ ୭ ଜଣ ଲେଖାଏଁ, ଜୟପୁର, ସୁନ୍ଦରଗଡ଼ ଓ ପୁରୀରୁ ୬ ଜଣ ଲେଖାଏଁ, ମୟୁରଭଞ୍ଜରୁ ୫, ବରଗଡ଼, ଭଦ୍ରକ ଓ ଅନୁଗୁଳରୁ ୪ ଜଣ ଲେଖାଏଁ, ବଲାଙ୍ଗୀର ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ, ଦେଓଗଡ଼ରୁ ୩ ଏବଂ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ାରୁ ଜଣେ ଲେଖାଏଁ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୯୧କୁ ବୃଦ୍ଧିପାଇଛି।
ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୯୧ । ୩ ଲକ୍ଷ ୩୪ ହଜାର ୫୧୯ ଜଣ ସୁସ୍ଥ ହୋଇଛନ୍ତି। ୧ ହଜାର ୯ଶହ ୧୬ ଜଶଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୭୦୩ ଜଣ ସକ୍ରିୟ ଚିକିତ୍ସାଧୀନ ଥିବା ବେଳେ ଇତିମଧ୍ୟରେ ରାଜ୍ୟରେ ୮୩ ଲକ୍ଷ ୨୧ ହଜାର ୬୪୧ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ମିଳିଛି। ଓଡ଼ିଶା ସମାଚାର