ସମ୍ବଲପୁର, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ବୁର୍ଲା ଭିସୁଟ କୁ ଜିଲା ପ୍ରଶାସନ ୨୭ ତାରିଖ ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ୍ ଘୋଷଣା କରିଛି । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ୨୫ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଜିଲ୍ଲାପାଳ ତଥା ବର୍ତ୍ତମାନର ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଏହି ଘୋଷଣା କରିଛନ୍ତି ।
ବୁର୍ଲା ଭିସୁଟର ପୁଲହ, ପୁଲସ୍ତ୍ୟ ଅତ୍ରି, କ୍ରତୁ, ବଶିଷ୍ଠ, ମରିଚି, ଅନୁରାଧା, ଅରୁନ୍ଧତି, ରୋହିଣୀ, ବିଶାଖା ଓ ବସୁନ୍ଧରା ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ପୁଲହ ହଷ୍ଟେଲକୁ ଲାଗିଥିବା ଥିବା ଅଂଚଳରୁ ବଫର ଜୋନ୍ ଘୋଷଣା କରାଯାଇଛି ।
ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ଏହି ଘୋଷଣା ବଳବତ୍ତର ରହିବ । ଏହା ସହ କଣ୍ଟେନମେଣ୍ଟ ଜୋନରେ ଜରୁରୀକାଳିନ ସେବାକୁ ବାଦ ଦେଲେ ଦୋକାନ ବଜାର ବନ୍ଦ ରହିବା ସହିତ କୌଣସି ଯାନ ବାହନ ଚଳାଚଳ କରିପାରିବ ନାହିଁ । ବାହାର ର କୌଣସି ଲୋକ ଭିତରକୁ ଯାଇ ପାରିବେ ନାହିଁ କିମ୍ବା ଭିତର ଲୋକ କେହି ବାହାରକୁ ଆସିପାରିବେ ନାହିଁ । ଲୋକମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।
ସୂଚନାଯୋଗ୍ୟ, ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୬ ଜଣ ହଷ୍ଟେଲରେ ରହି ଚିକିତ୍ସିତ ହେଉଛନ୍ତି ଓ ୯ ଜଣ ଘରକୁ ପଳାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ କରାଯାଇଛି ଓ ବିଶ୍ବବିଦ୍ୟାଳୟ କୁ ନଆସିବା ପାଇଁ କୁଳପତି ଅନୁରୋଧ କରିଛନ୍ତି। ଓଡ଼ିଶା ସମାଚାର