ମାହାଙ୍ଗା ୨୭/୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ମାଟିର ଐତିହ୍ୟ, କଳା, ସ୍ଥାପତ୍ୟ, ସାହିତ୍ୟ ଓ ସଂସ୍କୃତିର ନବ ଉନ୍ମେଷ କ୍ଷେତ୍ରରେ ମାହାଙ୍ଗା ମହୋତ୍ସବ କମିଟି ନିରନ୍ତର ଭାବେ କାର୍ୟ୍ୟ କରିଆସୁଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବହୁ ବିଶିଷ୍ଟ ସାହିତ୍ୟିକ, କବି, ବୁଦ୍ଧିଜୀବୀ ଏବଂ ଗବେଷକ ମାନେ ମତପୋଷଣ କରିଥିଲେ ।
ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀଙ୍କ ତତ୍ୱାବଧାନରେ ମାହାଙ୍ଗା ପ୍ରତିଭା ଭବନ ପରିସରରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ସାହିତ୍ୟିକ ଡକ୍ଟର ଭୁବନାନନ୍ଦ ସାହୁ, ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ଡକ୍ଟର ଜୟୀରାମ ସ୍ୱାଇଁ, ଡକ୍ଟର ନିଖିଳେଶ ମହାନ୍ତି, ଡକ୍ଟର ଏକାଦଶୀ ପ୍ରଧାନ, ସାହିତ୍ୟିକ ଶ୍ରୀଧର ଶେଖର ମହାପାତ୍ର, ସାହିତ୍ୟ ସଂଗଠକ ପନଂଗ ଭୂଷଣ ଦାସ, ଇଞ୍ଜିନିୟର ସୁକାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ମାହାଙ୍ଗା ମାଟିରେ ସୃଜନର ସମୃଦ୍ଧଶାଳୀ ଗୌରବଗାଥା ଉପରେ ଆଲୋକପାତ କରିଥିଲେ ।
ମାହାଙ୍ଗାର ବିଭିନ୍ନ ମଠ, ମନ୍ଦିର,ମସଜିଦ ଠାରୁ ଆରଂଭ କରି ରଙ୍ଗମଞ୍ଚ,ଏପରିକି କଳା ଓ ସ୍ଥାପତ୍ୟକୁ ଅଧିକରୁ ଅଧିକ ବିକଶିତ କରିବା କ୍ଷେତ୍ରରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଆନ୍ତରିକ ଉଦ୍ୟମକୁ ଉପସ୍ଥିତ ବୁଦ୍ଧିଜୀବୀ ମାନେ ଭୁରୀଭୁରି ପ୍ରଶଂସା କରିଥିଲେ ।
ମାହାଙ୍ଗା ମାଟିର ବହୁ ବିଖ୍ୟାତ ଲେଖକ ମାନଙ୍କ ପାଣ୍ଡୁଲିପି ସଂଗ୍ରହ କରାଯାଇ ସେସବୁର ପ୍ରକାଶ, ପ୍ରସାର ଓ ପ୍ରଚାର ସହିତ, ଏହି ଅଂଚଳର କୃତବିଦ୍ୟ ସାରସ୍ୱତ ସାଧକ ମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣଓ ସ୍ଥାପନ କରାଯିବାରେ ମାହାଙ୍ଗା ମହୋତ୍ସବ କମିଟିର ଅଧ୍ୟକ୍ଷ ଶ୍ରୀ ଜେନାଙ୍କ ନୀରବଛିନ୍ନ ଉଦ୍ୟମକୁ ସେମାନେ ପ୍ରଶଂସା କରିଥିଲେ ।
ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ବିଗତ ଦିନରେ ପ୍ରତିନିଧିତ୍ୱ କରିଥିବା ନେତାମାନେ ସାହିତ୍ୟ ଓ ସଂସ୍କୃତିର ବିକାଶ ଉପରେ ଗୁରୁତ୍ୱ ଦେଇଆସିଥିବାରୁ ବିଗତ ଦଶବର୍ଷ ଧରି ସେହି ସୃଜନ ଓ ସଂସ୍କୃତିର ଜୟଯାତ୍ରାକୁ କିପରି ଆହୁରି ଅଧିକ ବ୍ୟାପକ କରାଯାଇ ପାରିବ,ସେ କ୍ଷେତ୍ରରେ ସ୍ଥାନୀୟ ଲୋକପ୍ରତିନିଧି ଶ୍ରୀ ଜେନା ନିଷ୍ଠାପର ଭାବେ ସବୁ ବର୍ଗର ଜନସାଧାରଣଙ୍କ ସହିତ ବିଚାର ବିମର୍ଶ କରି ନିଜେ ସଠିକ ଦାୟୀତ୍ୱ ନିର୍ବାହ କରିଥିବାରୁ ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବ୍ୟକ୍ତିମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କ କାର୍ୟ୍ୟଧାରାକୁ ବେଶ ପ୍ରଶଂସା କରିଥିଲେ ।
ଯେଉଁମାନେ ମାହାଙ୍ଗାର ସାହିତ୍ୟ ସଂସ୍କୃତି ପ୍ରତି ଏବଂ ମାହାଙ୍ଗା ମାଟିର ପୂଜ୍ୟ- ପୂଜାପ୍ରତି ବିମୁଖ, ସେମାନଙ୍କୁ ସମାଲୋଚନା କରିବା ଅପେକ୍ଷା,ମାହାଙ୍ଗା ଭଳି ସଂସ୍କୃତି ସମ୍ପନ୍ନ ଭୂମିରେ ଜନ୍ମ ନେଇଥିବା ପ୍ରଥିତଯଶା ସାରସ୍ୱତ ସ୍ରଷ୍ଟା ମାନଙ୍କ କୀର୍ତ୍ତି ଓ କୃତୀର ଯଥୋଚିତ ମୂଲ୍ୟାୟନ ଏବଂ ସୁରକ୍ଷା ଦିଗରେ ସମ୍ମିଳିତ ଉଦ୍ୟମ ଜରୁରୀ ବୋଲି ଏହି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା ।
ଚଳିତ ବର୍ଷ ମାହାଙ୍ଗା ମହୋତ୍ସବ କିପରି ଅଧିକରୁ ଅଧିକ ସରସ ସୁନ୍ଦର ହୋଇପାରିବ ଏବଂ ରାଜ୍ୟ ଓ ରାଜ୍ୟ ବାହାରୁ ସାହିତ୍ୟ -ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଏହି କାର୍ୟ୍ୟକ୍ରମ ସହିତ ଯୋଡ଼ାଯାଇପାରିବ, ସେ ଦିଗରେ କମିଟି ଗୁରୁତ୍ୱ ଦେଇଥିଲା ।ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ଭାବଗ୍ରାହୀ ଦାଶ, ଅଭୟ ପଣ୍ଡା, ପ୍ରଫୁଲ୍ଲ ସାହୁ ପ୍ରମୁଖ ବହୁ ସାରସ୍ୱତ ସାଧକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର