Thursday , March 23 2023
Home / ସ୍ୱାସ୍ଥ୍ୟ / କନ୍ଧମାଳରେ ଦ୍ୱିତୀୟ ଥର ପାଇଁ ପୁଣି ୩ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳରେ ଦ୍ୱିତୀୟ ଥର ପାଇଁ ପୁଣି ୩ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୨୬/୦୨/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଦ୍ୱିତୀୟ ଥର ପାଇଁ କରୋନା ମୁକ୍ତ ଘୋଷଣାର ଆଠ ଦିନ ପରେ କନ୍ଧମାଳ ଜିଲାରେ ପୁଣି ତିନି ଜଣ କୋଭିଡ ପଜିଟିଭ ଚିହ୍ନଟ କରାଯାଇଛି। ଶୁକ୍ରବାର ସଂଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଜିଲାରେ ତିନି ଜଣ ନୂଆ ରୋଗୀ ବାହାରିଛନ୍ତି। ଏହାକୁ ମିଶାଇ ଆଜି ସୁଦ୍ଧା ଜିଲାରେ ୫,୯୫୦ ଜଣ ମହାମାରୀରେ  ସଂକ୍ରମିତ ହୋଇଥିବା ବେଳେ ୫୯୧୪ ଜଣ ସୁସ୍ଥ ହୋଇଛନ୍ତି। ତିନି ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଜିଲାରେ ସମୁଦାୟ ୩୩ ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ପ୍ରକାଶ ଯେ, ଗତ ୨୦୨୦ ମସିହା ମେ ମାସ ୧୮ ତାରିଖରେ କନ୍ଧମାଳ ଜିଲାର ପ୍ରଥମ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଦୀର୍ଘ ୮ ମାସ ୧୮ ଦିନ ପରେ ଚଳିତ ମାସ ୪ ତାରିଖରେ ଜିଲାରେ ଆକ୍ରାନ୍ତ ଏବଂ ଆକ୍ଟିଭ କେସ ଶୂନରେ ପହଂଚିଥିଲା । ଫଳରେ ଜିଲାକୁ ସଂପୂର୍ଣ୍ଣ କରୋନା ମୁକ୍ତ ଘୋଷଣା କରାଯାଇଥିଲା। ତେବେ ଏହାର ୫ ଦିନ ପରେ ଅର୍ଥାତ, ୯ ତାରିଖ ଦିନ ପୁଣି ଜିଲାରେ ୩ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ଏହା ପର ଠାରୁ ୧୮ ତାରିଖ ପର୍ୟ୍ୟନ୍ତ ଆଉ କୌଣସି ନୂଆ ରୋଗୀ ବାହାରି ନ ଥିଲେ। ଆକ୍ଟିଭ କେସ ମଧ୍ୟ ଶୂନରେ ପହଂଚିଥିଲା। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦ୍ୱୀତୀୟ ଥର ପାଇଁ କନ୍ଧମାଳ ଜିଲାକୁ କୋଭିଡ ମୁକ୍ତ ଘୋଷଣା କରାଯାଇଥିଲା। ତେବେ ଏହାର ଆଠ ଦିନ  ପରେ ପୁଣି ତିନି ପଜିଟିଭ ବାହାରିବା ପ୍ରଶାସନ ପାଇଁ ଆଉଥରେ ଚିନ୍ତାର କାରଣ ହୋଇଛି। ସୂଚନାଯୋଗ୍ୟ, ଡିସେମ୍ବର ମାସ ୨୮ ତାରିଖରେ ପ୍ରଥମ ଥର ପାଇଁ ଜିଲାରେ ଜିରୋ ପଜିଟିଭ ରେକର୍ଡ କରାଯାଇଥିଲା। ଇତି ମଧ୍ୟରେ କରୋନାର ଦ୍ୱିତୀୟ ଲହରକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ କୋଭିଡ କଟକଣାକୁ କଡାକଡି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ନୂଆ ପଜିଟିଭ ଚିହ୍ନଟ ପରେ ପ୍ରଶାସନ ଆହରି ସତର୍କ ହେବ ବୋଲି ଅନୁମାନ କରାଯାଉଛି। ତେବେ ପ୍ରଶାସନର ବାରମ୍ବାର ସଚେତନତା ଓ ଘୋଷଣା ପରେ ମଧ୍ୟ ସହର ଓ ଜିଲାର ବିଭିନ୍ନ ଅଞ୍ଚଳରେ ସାମାଜିକ ଦୂରତ୍ୱ ଓ ମାକ୍ସ ବ୍ୟବହାର ଉପରେ ଅନେକ ଗୁରୁତ୍ୱ ଦେଉନଥିବାର ଦେଖାଯାଇଛି। ଓଡିଶା ସମାଚାର

Leave a Reply

Your email address will not be published.