କେନ୍ଦ୍ରାପଡା, ୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ନିର୍ଯ୍ୟାତିତ ଦଳିତମାନଙ୍କୁ ନ୍ୟାୟ ପ୍ରଦାନ ସହ ପଟ୍ଟାମୁଣ୍ଡାଇ ଏସଡିପିଓ ଏବଂ ପଟ୍ଟାମୁଣ୍ଡାଇ ଥାନାର ଭାରପ୍ରାପ୍ତ ଇନିସପେକ୍ଟରଙ୍କ ବହିଷ୍କାର ଦାବିରେ ରାଷ୍ଟ୍ରୀୟ ଦଳିତ ମହାସଭା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳିତନେତାମାନେ ଗଣଧାରଣାରେ ବସିରହିଛନ୍ତି । ଜିଲ୍ଲାରେ ଦଳିତ ଲୋକମାନଙ୍କ ଉପରେ ଦିନକୁ ଦିନ ନିର୍ଯ୍ୟାତନା ବଢି ଚାଲିଛି । ନିର୍ଯ୍ୟାତିତମାନେ ଥାନାକୁ ଦୌଡି ଦୌଡି ନ୍ୟାୟ ପାଇପାରୁନଥିବା ଅଭିଯୋଗ ହେଉଛି । ଉଦାହରଣ ସ୍ୱରୂପ ରାଜନଗର ଥାନା ଅନ୍ତର୍ଗତ ଦିଘି ଗ୍ରାମର ଦଳିତ ନାବାଳିକା ଶଶୀରେଖା ସେଠୀଙ୍କ ହତ୍ୟାର ତିନିମାସ ପରେବି ପୋଲିସ ଏପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ସେହି ଘଟଣାରେ ନାବାଳିକାର ପରିବାରକୁ ନ୍ୟାୟ ଦେବା ଉଦେଶ୍ୟରେ ଗତ ୨୦୨୦ମସିହା ସେପ୍ଟେମ୍ବରମାସ ୨୨ତାରିଖରେ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳିତଲୋକମାନେ ଧାରଣାରେ ବସିଥିବା ବେଳେ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ସେଠାରେ ପହଁଚି ଧାରଣାକାରୀମାନଙ୍କୁ ଅତ୍ୟନ୍ତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୋରଜବରଦସ୍ତ ଉଠାଇଦେଇଥିଲେ । ପୋଲିସ ମହାନିର୍ଦେଶକଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ଧାରଣା ଦିଆଯିବା ପରେ ରାଜନଗର ଥାନାରେ ମାମଲା ରୁଜୁ ହୋଇଥିଲେବି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ଅପରପକ୍ଷରେ ସଂପୃକ୍ତ ଅଭିଯୁକ୍ତଙ୍କ ପକ୍ଷରୁ କେଶ ଉଠାଇନେବା ପାଇଁ ମୃତ ନାବାଳିକାର ପରିବାରକୁ ଧମକ ଦିଆଯାଉଛି । ଦଳିତମାନଙ୍କୁ ନ୍ୟାୟ ଦେବା ପାଇଁ ଆଗକୁ ଆସିଥିବା ସାମାଜିକ କର୍ମୀଙ୍କ ନାମରେ ପଟ୍ଟାମୁଣ୍ଡାଇ ଥାନାରେ ମିଥ୍ୟା ଅଭିଯୋଗ କରାଯିବା ସହ ଦଳିତମାନଙ୍କୁ ସେହି ଥାନା ଭିତରକୁ ପଶିବା ଉପରେ ଥାନା ଅଧିକାରୀ ଅଘୋଷିତ ନିଷେଧାଦେଶ ଜାରି କରିଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କୁଳସାହି ଗ୍ରାମର ଦଳିତ ଯୁବକକୁ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ମିଛ କେଶରେ ଫସାଇ ଜେଲ ପଠେଇଥିବା ଅଭିଯୋଗ ହୋଇଛି । ସେହି ଯୁବକର ପରିବାର ଦିନମଜୁରିଆ ହୋଇଥିବାରୁ ନ୍ୟାୟ ପାଇଁ ଭୋକଉପାଶରେ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି । ଗତ ୨୦୧୮ମସିହା ଅଗଷ୍ଟମାସ ୫ତାରିଖରେ ସେହି ଥାନା ଅନ୍ତର୍ଗତ ଅରୁଆ କଦଳୀବଣ ଗ୍ରାମର ଦଳିତ ଯୁବତୀଙ୍କୁ ହତ୍ୟା କରାଯାଇଥିବା ବେଳେ ଦୁଇବର୍ଷ ପରେବି ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ ସତ୍ୱେ ଅନୁସୂଚିତ ଜାତି ଜନଜାତି ଆଇନରେ ମାମଲା ରୁଜୁ କରାଯାଇ ନାହିଁ । ରାଜନଗର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ୨୦ଦିନର ଶିଶୁକୁ ଜୋରଜବରଦସ୍ତ ପୋଲିଓ ଖୁଆଇ ହତ୍ୟା କରିବାର ଅଭିଯୋଗ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ । ସେହିପରି ୨୦୧୮ମସିହାରେ ତେରତେଲେଙ୍ଗା ଗ୍ରାମର ନାବାଳିକା କୁ ଗଣଧର୍ଷଣ କରାଯାଇ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯିବା ଘଟଣାର ୨ବର୍ଷ ପରେବି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନି । ସେହି ନାବାଳିକା ହତ୍ୟା ଘଟଣାରେ ଅନୁସୂଚିତ ଜାତି ଜନଜାତି ଆଇନରେ ମାମଲା ରୁଜୁ କରାଯାଇ ନାହିଁ । ସଂଗଠନ ପକ୍ଷରୁ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଜନଜାତ କମିଶନରଙ୍କ ଦୃଷ୍ଟି ଆକର୍ଷଣ ପରେ ମାତ୍ର ବର୍ଷେ ତଳେ ମାମଲା ରୁଜୁ କରାଯାଇଥିଲେବି ଏପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଏସଡିପିଓ ସେହି ମାମଲାର ତଦନ୍ତ କରିନାହାନ୍ତି । ଫଳରେ ସେହି ଗରୀବ ପରିବାରକୁ ସରକାରୀ ସହାୟତା ମିଳିପାରିନାହିଁ । ତେଣୁ ଦଳିତ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବା, ରାଜକନିକା ଥାନାରେ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ଅଭିଯୋଗକୁ ପଞ୍ଜିକରଣ କରାଯିବା, କାର୍ଯ୍ୟରେ ଅବହେଳା କରିଥିବା ରାଜକନିକା ଓ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀଙ୍କ ସମେତ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ବିରୁଦ୍ଧରେ ଅନୁସୂଚିତ ଜାତି ଜନଜାତି ଆଇନରେ ମାମଲା ରୁଜୁ କରାଯିବା, ଅନୁସୂଚିତ ଜାତି ଜନଜାତି ଆଇନ ଅନୁଯାଇ ଦଳିତ ପରିବାରଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ କରାଯିବା ଓ ପଟ୍ଟାମୁଣ୍ଡାଇ ଏସଡିପିଓ ଏବଂ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀଙ୍କୁ ଏହି ଜିଲ୍ଲାରୁ ତୁରନ୍ତ ବଦଳି କରାଯିବା ଦାବିରେ ରାଷ୍ଟ୍ରୀୟ ଦଳିତ ମହାସଙ୍ଘର ସଭାପତି ଅଶୋକ କୁମାର ମଲିକ, ମନୋରଞ୍ଜନ ଜେନା, ଅନାଦି ସାହୁ, ଖଗେଶ୍ୱର ମଲିକ, ରାଜକିଶୋର ମଲିକ, ଟୁନ ଚନ୍ଦ୍ର ମଲିକ, ଇଶ୍ୱର ମଲିକ, ସଖିଲତା ସେଠୀ ଓ ପ୍ରତିମା ମଲିକ ପ୍ରମୁଖ ଗଣଧାରଣାରେ ବସିରହିଛନ୍ତି । ଓଡ଼ିଶା ସମାଚାର