ଗରଦପୁର, ୨୫/୦୨/୨୦୨୧ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଟକୁରା ପଂଚାୟତସ୍ଥିତ ଇନେଇତୁଲାପୁର ଗ୍ରାମର ମମତା ମଲିକ୍ । ମମତା ଗ୍ରାମରେ ସିଦ୍ଧ ମହାବୀର ସ୍ୱୟଂ ସହୟକ ଗୋଷ୍ଠି ଗଠନ କରିଛନ୍ତି । ସେଥିରେ ୧୧ ଜଣ ସଦସ୍ୟା ଥିବାବେଳେ ମମତା ଏହାର ସଭାପତିତ ଅଛନ୍ତି । ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବା ପାଇଁ ଗୋଷ୍ଠିର ମହିଳା ମାନଙ୍କ ମଧ୍ୟରେ ସର୍ବଦା ଆତ୍ମ ସଚେତନତା ଓ ପ୍ରୋତ୍ସାହନ ସୃଷ୍ଟି କରନ୍ତି ମମତା । ୨୦୧୮ ରେ ଗୋଷ୍ଠିର ମହିଳା ମାନଙ୍କୁ ନେଇ ମମତା ଗ୍ରାମ ମୁଣ୍ଡରେ ଥିବା ଦେଢ଼ ଏକର ସରକାରୀ ପୋଖରୀକୁ ସଫା ସୁତୁରା କରିଥିଲେ । ସେଥିରେ ମାଛ ଚାଷ କରିବା ଲକ୍ଷ ନେଇ ପଂଚାୟତ ଓ ବ୍ଲକ୍ ସହିତ ଯୋଗାଯୋଗ କରିଥିଲେ । ପରେ ଏହି ଗୋଷ୍ଠିକୁ ୩ ବର୍ଷ ପାଇଁ ପୋଖରୀ ମାଛ ଚାଷ ପାଇଁ ଲିଜ ମିଳିଥିଲା । ୭ ହଜାର ଟଙ୍କାରେ ୨୦୧୯- ୨୦୨୦- ୨୦୨୧ ଏହିପରି ୩ ବର୍ଷ ପାଇଁ ପୋଖରୀ ଲିଜ ମିଳିଥିଲା । ମତ୍ସ୍ୟ ବିଭାଗ ତରଫରୁ ମମତା ଙ୍କ ସମେତ ଗୋଷ୍ଠିର ମହିଳା ମାନଙ୍କୁ ମାଛ ଚାଷ ପ୍ରଶିକ୍ଷଣ ଦିଆଯାଇଛି । ସେଥିରେ ଉତ୍ସାହିତ ହୋଇ ଗୋଷ୍ଠିର ମହିଳା ମାନଙ୍କ ର ନେତୃତ୍ୱ ନେଇ ମମତା ପୋଖରୀରେ ରୋହୀ , ମିରିକାଳି ମାଛ ଚାଷ କରିଛନ୍ତି । ଇତି ମଧ୍ୟରେ ୨ ଥର ମାଛ ଧରି ବିକ୍ରିବଟା କରାଯାଇଛି ।
ମଧୁର ମାଛର ଚାହିଦା ଥିବାରୁ ମାଛ ବିକ୍ରୟ କରିବା ପାଇଁ ମମତାଙ୍କୁ ଅସୁବିଧା ହୋଇନାହିଁ । ପୋଖରୀ ତୁଠରୁ ବ୍ୟବସାୟୀମାନେ ମାଛ କ୍ରୟ କରି ନେଉଛନ୍ତି । ଆତ୍ମ ନିର୍ଭରଶୀଳ ହେବାର ଏହା ଏକ ଉଚିତ ପଦକ୍ଷେପ ମନେକରି ମମତା ଙ୍କ ସମେତ ଗୋଷ୍ଠିର ମହିଳାମାନେ ମାଛ ଚାଷ ସହିତ ବଡ଼ି, ପାମ୍ପଡ଼, ଜିଆଖତ ଆଦି ତିଆରି କରିବାରେ ଲାଗିପଡ଼ିଥିବା ଜଣାପଡ଼ିଛି । ନିକଟସ୍ଥ ବିଜୁ ପଟ୍ଟନାୟକ କଲେଜ ଅନ୍ତେଇ ରୁ ମମତା ବିଏ ପାସ କରିଛନ୍ତି । ବିଏ ପାସ କରିବା ପରେ ନିଜର ଦାରିଦ୍ରତା ସହିତ ସଂଗ୍ରାମ କରି ମମତା ପ୍ରଥମେ ମଦନା ସ୍ଥିତ ଏକ ସ୍ୱେଛାସେବୀ ଅନୁଷ୍ଠାନ ଓଏମଡ଼ିସି ରେ କାର୍ଯ୍ୟ କରୁଥିଲେ । ଏହି ସ୍ୱେଛାସେବର ଅନୁଷ୍ଠାନର ପାଇଲୋ ଗ୍ରାମରେ ଥିବା ଚାଇଲ୍ଡି ଲେବର ସ୍କୁଲ ରେ ମମତା ଚାଇଲ୍ଡି ଲେବର ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ । ଇନେଇତୁଲାପୁର ଗ୍ରାମର ଭୋଟରମାନେ ଶ୍ରଦ୍ଧାରେ ମମତାଙ୍କୁ ୱାର୍ଡ଼ ସଭା୍ୟା ଭାବେ ନିର୍ବାଚିତ କରିଥିଲେ । ସେ ଗ୍ରାମବାସୀଙ୍କ ମନ ଜିଣିଥିବାରୁ ଗତ ପଂଚାୟତ ନିର୍ବାଚନରେ ପାଟକୁରା ପଂଚାୟତରୁ ସମିତି ସଭ୍ୟା ଭାବରେ ସେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ଜିବୀକା ମିଶନ ପାଟକୁରା ପଂଚାୟତର ସଭାପତି ଅଛନ୍ତି ମମତା । ପାଟକୁରା ପଂଚାୟତର ବେଢ଼ଶହ ମହିଳା ଗୃପ୍ ର ଶତାଧିକ ମହିଳା ଏହି ଗୃପ୍ ରେ ରହିଛନ୍ତି । ମମତା ଏହି ଗୃପ୍ ର ନେତୃତ୍ୱ ନେଇ ମହିଳାମାନେ କିପରି ଆର୍ଥିକ ଦୃଷଷ୍ଟିରୁ ସ୍ୱାବଲମ୍ବୀ ହୋଇ ପାରିବେ ସେଥିପାଇଁ ଅହରହ ଚେଷ୍ଟା କରୁଛନ୍ତି । ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଓ ପ୍ରଶିକ୍ଷକ ମାନଙ୍କ ସହିତ ମିଶି ମହିଳା ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ।
ଚତୁ ଚାଷ, ମାଛ ଚାଷ, ପାମ୍ପଡ଼, ବଡ଼ି , ଜିଆଖତ , ମଧ୍ୟାହ୍ନ ଭୋଜନ , ଚାରା ଉତ୍ପାଦନ , ବିଦ୍ୟୁତ ବିଲ ଆଦାୟ ଆଦି କାର୍ଯ୍ୟକ୍ରମ ମହିଳା ମାନଙ୍କ ଦ୍ୱାରା କରାଇ ନିଯେ ଆତ୍ମ ନିର୍ଭରଶୀଳ ହେବା ସହିତ ମହିଳା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇ ଓ ସାମାଜିକ ସୁରକ୍ଷା ଦେବା ପାଇଁ ମମତା ଜୀବନର ବ୍ରତ କରିଛନ୍ତି । ମମତାଙ୍କ ସଫଳ କାହାଣୀ କୁ ସେୟାର କରିବା ପାଇଁ ଗତ ୧୧ ତାରିଖରେ ଗରଦପୁରକୁ ଆସିଥିବା ସେଂଟ୍ରାଲ ଟିମ ମମତାଙ୍କୁ ଆସି ତାଙ୍କ ଗ୍ରାମରେ ଭେଟିବା ସହିତ ମାଛ ଚାଷ ପୋଖରୀ ବୁଲି ଦେଖିଥିଲେ । ସେହିପରି ଆତ୍ମା ତରଫରୁ ଏକ ଟିମ ଗତକାଲି ଆସିଥିଲେ । ମମତାଙ୍କ ଏ ପ୍ରୟାସ ମମତାଙ୍କୁ ନିଜ ଗୋଡ଼ରେ ଛିଡ଼ା କରାଇବା ସହିତ ଅନ୍ୟ ମହିଳା ମାନଙ୍କୁ ସମାଜରେ ଆଗକୁ ଯିବାର ବାଟ ଦେଖାଉ ଥିବାରୁ ସାଧାରଣରେ ମମତାଙ୍କୁ ପ୍ରସଂଶା କରାଯାଇଛି । ଓଡ଼ିଶା ସମାଚାର