କେନ୍ଦ୍ରାପଡା, ୨୪/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ କୋଭିଡ-୧୯ ନିୟମାବଳୀ କଡାକଡି ଭାବେ ଲାଗୁ କରାଯାଇଛି । କିଛିଦିନ ହେବ ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ କୋଭିଡ -୧୯ ସଂକ୍ରମଣ ପୁନର୍ବାର ବଢୁଥିବାରୁ ରାଜ୍ୟ ସରକାରଙ୍କ ନିର୍ଦେଶମତେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସଂକ୍ରମଣକୁ ଜିଲ୍ଲାରେ ଶତପ୍ରତିଶତ ନିୟନ୍ତ୍ରଣ କରିବା ତଥା କୋଭିଡ ସଂକ୍ରମଣରୁ ଜନସାଧାରଣଙ୍କୁ ଏବଂ ସମାଜକୁ ସୁରକ୍ଷା ଦେବା ନିମନ୍ତେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡକର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜୀବଲୋଚନ ପଣ୍ଡା, ପଟ୍ଟାମୁଣ୍ଡାଇ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ, ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ, ଡେପୁଟୀ କଲେକ୍ଟର(ଜରୁରୀ)ଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ,ତହସିଲଦାର, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ,ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ମେଡିକାଲ ଅଧିକାରୀ ଓ ସମସ୍ତ ବ୍ଲକ ଗୁଡିକରେ ଥିବା ଭାରପ୍ରାପ୍ତ ଥାନା ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜନସାଧାରଙ୍କୁ ବ୍ୟାପକ ଜନସଚେତନତା ଓ କୋଭିଡ ସଂକ୍ରମଣରୁ ସୁରକ୍ଷା ନିମନ୍ତେ ଜିଲ୍ଲାର ସମସ୍ତ ବିଡିଓ ଏବଂ ପୈାରସଂସ୍ଥାର ନିର୍ବାହୀ ଅଧିକାରୀମାନେ ନିଜ ନିଜ ଅଂଚଳରେ ସମସ୍ତ ଜନସମାଗମ ସ୍ଥାନ, ହାଟ ଓ ବଜାରମାନଙ୍କରେ ମାଇକ ଯୋଗେ ଜନସାଧାରଙ୍କୁ ମୁହଁରେ ମାସ୍କ ପିନ୍ଧିବା, ଅନୁ୍ୟନ ଏକ ମିଟର ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ସାବୁନରେ ହାତଧୋଇବା ସମ୍ପର୍କରେ ପ୍ରଚାର କରିବାକୁ ନିର୍ଦେଶ ଦିଆଯାଇଛି । ସମସ୍ତ ବ୍ଲକ ଓ ପୈାରାଂଚଳରେ ତହସିଲଦାର ଏବଂ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ମିଳିତ ସହଯୋଗରେ କୋଭିଡ-୧୯ ନିୟମ ପାଳନର କାର୍ଯ୍ୟକାରିତା ପାଇଁ ଦଳ ଗଠନ କରାଯାଇ ତାହାର କାର୍ଯ୍ୟକାରିତା ଉପରେ ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ବିଭିନ୍ନ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ବ୍ୟବସାୟୀକ ଅନୁଷ୍ଠାନର ମାଲିକମାନେ କୋଭିଡ ନିୟମାବଳୀ ସେମାନଙ୍କ ତତ୍ୱାବଧାନରେ ପରିସରରେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଯଦି କୌଣସି ପ୍ରତିଷ୍ଠାନ କୋଭିଡ ନୀୟମ ଅନୁପାଳନରେ ଖିଲାପ କରନ୍ତି ତେବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ସେମାନଙ୍କ ପ୍ରତିଷ୍ଠାନକୁ ସିଲ କରାଯିବାକୁ ନିର୍ଦେଶ ଦିଆଯାଇଛି । ପ୍ରଶାସନର ବିନା ଅନୁମତିରେ କୈାଣସି ସ୍ଥାନରେ ଏକାଠି ବହୁ ଜନସମାଗମକୁ ନିଷିଦ୍ଧ କରାଯାଇଛି । ସେହିପରି ହୋଟେଲ, ରେଷ୍ଟୁରାଂଟ, ଢାବା ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ବୀକ୍ରୟ କରୁଥିବା ଦୋକାନୀମାନେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇ ସ୍ଥାନୀୟ ଥାନା ଅଧିକାରୀମାନେ ଏହାର ପରିଚାଳନା କରିବାକୁ ନିର୍ଦେଶ ଦିଆଯାଇଛି । ଜନସମାଗମ ସ୍ଥାନ ଗୁଡିକରେ ଛେପ ପକାଇବାକୁ ବାରଣ କରାଯିବା ସହ ଛେପ ପକାଇଥିବା ବ୍ୟକ୍ତିଙ୍କୁ ଜୋରିମାନା ଲାଗୁ , ପାନ, ଗୁଟକା, ତମାଖୁ ଏବଂ ସେହିଭଳି ଦ୍ରବ୍ୟଗୁଡିକର ସର୍ବସାଧାରଣ ସ୍ଥାନମାନଙ୍କରେ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ସେହିପରି ବିଭିନ୍ନ ଅଫିସ, ସରକାରୀ କାର୍ଯ୍ୟାଳୟ ପରିସର ଓ କାର୍ଯ୍ୟକ୍ଷେତ୍ର ସ୍ଥାନରେ ସାନିଟାଇଜ କରିବା, ହାତ ଧୋଇବା ପାଇଁ ପାଣି ବାଲତି ଓ ସାବୁନ ଉପଲବ୍ଧ କରାଯିବା, ହାତ ବିଶୁଦ୍ଧ ପାଇଁ ସାନିଟାଇଜର ବ୍ୟବହାର ସହ ଥର୍ମାଲ ସ୍କ୍ରିନିଂ ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି । ସମସ୍ତ ସରକାରୀ କର୍ତୃପକ୍ଷ, ବେସରକାରୀ କାର୍ଯ୍ୟାଳୟ କର୍ତୃପକ୍ଷ, ବିଭିନ୍ନ ପ୍ରତିଷ୍ଠାନ, ବିଭିନ୍ନ ଶିକ୍ଷାନୁଷ୍ଠାନ ସମସ୍ତେ ସେମାନଙ୍କ କାର୍ଯ୍ୟକ୍ଷେତ୍ର ପରିସରରେ କୋଭିଡ-୧୯ ସୁରକ୍ଷା ନିୟମ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଋତୁରାଜ ନିର୍ଦେଶ ଦେଇଛନ୍ତି । ସେହିପରି ଘରକୁ ଘର ବୁଲି କୋଭିଡ ସଂକ୍ରମଣ ଲକ୍ଷଣ ଦେଖାଯାଉଥିବା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଦ୍ୱାରା କୋଭିଡ ପରୀକ୍ଷଣ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଜରୁରୀ ବିଭାଗ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବହୁଳ ପ୍ରଚାର ପ୍ରସାର ନିମନ୍ତେ ଜଣାଇ ଦିଆଯାଇଛି । ଓଡ଼ିଶା ସମାଚାର