ତାରପୁର,୨୪/୦୨/୨୦୨୧ (ଓଡ଼ିଶା ସମାଚାର)- କଟକ-ପାରାଦ୍ୱୀପ ରାସ୍ତା ପାଶ୍ୱର୍ରେ ସରକାରଙ୍କର ଜଙ୍ଗଲ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବହୁ ମୂଲ୍ୟବାନ ଗଛ ହଜାର ହଜାର ସଂଖ୍ୟାରେ ଲଗାଯାଇ ବଡ କରାଯାଇଥିଲା । ମାତ୍ର ଏହି ମୂଲ୍ୟବାନ ବୃକ୍ଷ ଗୁଡିକୁ ଏ ଅଂଚଳର କାଠ ମାଫିଆ ମାନେ ସ୍ପଷ୍ଟ ଦିବାଲୋକରେ ଲୋକ ଲଗାଇ କାଟି ନେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାଁନ୍ତି । ରଘୁନାଥପୁର ଥାନା ଅନ୍ତର୍ଗତ ବର୍ତିରୁ ତାରପୁର ମଧ୍ୟରେ ସର୍ବାଧିକ ଗଛ ଦୁର୍ବୃତମାନେ ପ୍ରତିଦିନ କାଟି ନେଉଛନ୍ତି । ପ୍ରବଳ ଗ୍ରୀଷ୍ମ ଋତୁରେ ପଥଚାରୀ ମାନେ ଏହି ବୃକ୍ଷର ଛାଇରେ ବିଶ୍ରାମ ନେଉଥିଲେ । ଏହାଛଡା ଏହିବୃକ୍ଷ ଗୁଡିକ ପରିବେଶ ସୁରକ୍ଷା କରିବା ସହିତ କଟକ-ପାରାଦ୍ୱୀପ ରାସ୍ତାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଏକ ବୃକ୍ଷରାଜି ଜଙ୍ଗଲ ସୃଷ୍ଟି କରିଥିଲା । ମାତ୍ର ଏଗୁଡିକ ହଜାର ହଜାର ସଂଖ୍ୟାରେ ଦୁର୍ବୃତ କାଟି ନେବାରୁ ବର୍ତମାନ କଟକ-ପାରାଦ୍ୱୀପ ରାସ୍ତାରେ ବୃକ୍ଷ ମରୁଡି ହେବାକୁ ବସିଲାଣି । ବିଭାଗୀୟ ଉଚ୍ଚକର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଏ ଅଂଚଳର ବୁଦ୍ଧିଜିବୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର