Tuesday , March 28 2023
Home / ବିଶେଷ /     ଏନଏଚ ୫୩ , ଫୋର  ଲେନ କାମରେ କୋଟି କୋଟି ଟଙ୍କାର ମାଟି ମୋରମ ଲୁଟ ହେଉଛି

    ଏନଏଚ ୫୩ , ଫୋର  ଲେନ କାମରେ କୋଟି କୋଟି ଟଙ୍କାର ମାଟି ମୋରମ ଲୁଟ ହେଉଛି

              ଲୋକେ ଧୂଳିରେ ଅଣନିଶ୍ୱାସୀ , ତହସିଲ ପ୍ରଶାସନ ମାଲ୍ ଗୋଟାଇବାରେ ବ୍ୟସ୍ତ

ଭୁବନ ୨୪/୦୨/୨୦୨୧ (ଓଡ଼ିଶା ସମାଚାର)-ଭୁବନ ସହର ଦେଇ ଯାଇଥିବା ୨୦୦ ନମ୍ବର ଜାତୀୟ ରାଜପଥ ନମ୍ବର ପରିର୍ବତନ ହୋଇ ପ୍ରଥମେ ୫୩ ନମ୍ବର ଜାତୀୟ ରାଜପଥକୁ ପରିବର୍ତନ ହେଲା ଏହାପରେ ଏହି ରାସ୍ତା (ଏନଏଚଏଆଇ) ଜାତୀୟ ରାଜପଥ ପ୍ରାଧିକରଣ ଭାରତ ସରକାରଙ୍କ ଅଧିନକୁ ଗଲା ପରେ ଏବେ ୪ ଥାକିଆ ରାସ୍ତାକାମ ନିର୍ମାଣ ଚାଲିଥିବା ବେଳେ କୋଟି କୋଟି ଟଙ୍କାର ମାଟି ମୋରମ ଲୁଟ ହେଉଛି । ସ୍ଥାନୀୟ ତହସିଲ ପ୍ରଶାସନ ସଂପୂର୍ଣ୍ଣ ନିଦାବିଷ୍ଣୁ ସାଜିଛି । ଲୋକ ଦେଖାଣିଆ ଭାବେ  କାଁ ଭାଁ ଚଢାଉ କରି ନାମକୁ ମାତ୍ର ଫାଇନ ଆଦାୟ କରି ରାଜସ୍ୱ କମ୍ ,ନିଜସ୍ୱ ବେଶି ଆ ଚାଲିଥିବା କଥା ହାଟରେ ପଡି ଦାଣ୍ଡରେ ଗଡୁଛି । ଭୁବନ ତହସିଲ ତରଫରୁ ଏନଏଚ ଠିକା କାମ କରୁଥିବା ବାଲାଜି କନଷ୍ଟ୍ରକସନ କମ୍ପାନୀକୁ କୌଣସି ଠାରେ ମାଟି କିମ୍ବା ମୋରମ ଖଣି ଲିଜ ଦିଆଯାଇନଥିବା ଖୋଦ ତହସିଲଦାର କହୁଥିବା ବେଳେ ଦୈନିକ ଶହଶହ ଟ୍ରିପ ମାଟି ମୋରମ ବ୍ୟବହାର ହେଉଥିବା ଆଶ୍ଚର୍ଯ୍ୟ ଲାଗୁଛି । ବାଲାଜି କନଷ୍ଟ୍ରକସନ ନିକଟରେ ସତେ ଯେମିତି ତହସିଲ ପ୍ରଶାସନ ମୁଣ୍ଡ ବିକି ଦେଇଥିଲା ଭଳି ଲାଗୁଛି ।  ଏହି ୪ ଥାକିଆ ରାସ୍ତା କାମରେ  କେବଳ ବିଲ ମାଟି ସାଙ୍ଗକୁ ପ୍ରବଳ ମାତ୍ରାରେ ବେଆଇନ ମୋରମ ବ୍ୟବହାର ହେଉଥିବାରୁ ପ୍ରବଳ ଧୂଳିରେ ଲୋକେ ଅଣନିଶ୍ୱାସୀ  ହୋଇପଡୁଛନ୍ତି । ଭୁବନର ପ୍ରବେଶପଥ  ଅନନ୍ତପୁର ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ୭ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହୋଇଛି । ଏନଏଚ ର କୌଣସି କର୍ତୃପକ୍ଷ ଙ୍କ ଦେଖାଦର୍ଶନ ମିଳୁନଥିବା ବେଳେ ଠିକାକାମ ନେଇଥିବା ବାଲାଜି କନଷ୍ଟ୍ରକସନ କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁ ଲୋକେ ଧୂଳିରେ ପୋତି ହୋଇପଡୁଛନ୍ତି ଓ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି  । ଲୋକମାନେ ଧୂଳିଧୂଆଁରେ ପୋତିହେବା ଫଳରେ ବିଭିନ୍ନ  ଚର୍ମ ରୋଗ ସମେତ ଶ୍ୱାସ ,କାଶ ରୋଗରେ ମଧ୍ୟ ପୀଡିତ ହେଉଛନ୍ତି । । ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ସେପଟେ ୪ ଟିିକିଆ ରାସ୍ତା କାମ ଯେତେ ଅଗ୍ରଗତି ହେଉଛି ଏପଟେ ପୁରୁଣା ରାସ୍ତା ଭାଙ୍ଗିରୁଜି ନଷ୍ଟହୋଇ  ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହେଉଛି । ଦୈନିକ ଶତାଧିକ କୋଇଲା ବୋଝେଇ ଟ୍ରକ ଓ ବାଲି ବୋଝେଇ ହାଇୱା ଟ୍ରକ ଟାଉନ ଭିତରେ ଚାଲିବା ଫଳରେ ରାସ୍ତା ଅତ୍ୟନ୍ତ ଖରାପ ହେବା ସହିତ ଧୂଳିଯୋଗୁ ବ୍ୟବସାୟୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ।   ରାସ୍ତା କାର୍ଯ୍ୟରେ ଲାଗିଥିବା କମ୍ପାନୀ ହାଇୱା ସମେତ  ଅନବରତ କୋଇଲା ବୋଝେଇ ୧୦ ଚକିଆ ଟ୍ରକ ଚାଲୁଥିବାରୁ ବାଇକ ଆରୋହୀ ମାନେ ଧୂଳିଧୂଆଁରେ ଅତିଷ୍ଠ ହୋଇପଡୁଛନ୍ତି ଓ ବେଳେବେଳେ  ଖାଲରେ ମଧ୍ୟ ପଡୁଛନ୍ତି । ଅତିତରେ ଏହି ରାସ୍ତାକୁ ନେଇ ଅନେକ ଆନ୍ଦୋଳନ ହୋଇଛି । ଆନ୍ଦୋଳନ ପରେ ବିଭାଗ ତରଫରୁ କେବଳ ଯାହିତାହି ମରାମତି କରି କାମ ସାରି ଦେଉ ଥିବାରୁ ନିର୍ମାଣର କିଛିଦିନ ପରେ ରାସ୍ତା ଅବସ୍ଥା ପୁଣି ଯଥାପୂର୍ବଂ  ତଥା ପରଂ ହୋଇଯାଉଛି । ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି ଅନ୍ୟଥା ରାସ୍ତାରୋକ ଆନ୍ଦୋଳନ କରିବାକୁ ଚେତାବନି ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.