ସାଲେପୁର,୨୧/୦୨/୨୦୨୧(ଓଡିଶା ସମାଚାର): ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା । ସୋମବାର ୨୨ ତାରିଖ ସନ୍ଧ୍ୟା ୬ଟାରୁ ବୁଧବାର ୨୪ ତାରିଖ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଏହି କଟକଣା ଲାଗୁ ହେବ । ଏହି ସମୟ ଭିତରେ ମହାପୁରୁଷଙ୍କ ଗାଦିର ୨୦୦ମିଟର ପରିଧି ଭିତରେ କୌଣସି ଜନସମାଗମ ହୋଇପାରିବ ନାହିଁ । ୨୩ ତାରିଖରେ ମହାପୁରୁଷଙ୍କ ସ୍ୱନକ୍ଷତ୍ର ଦିବସ ପଡୁଛି । ଏହି ଅବସରରେ ମହାପୁରୁଷଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ନିଶ୍ଚିନ୍ତକୋଇଲି ତହସିଲଦାରଙ୍କ ପକ୍ଷରୁ କଟକଣା ଲଗାଇବା ପାଇଁ ନିର୍ଦ୍ଦେଶନାମା ଜାରି କରି କରାଯାଇଛି । ଏଥିରେ କୁହାଯାଇଛି, ବର୍ତମାନର ପରିସ୍ଥିତିରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଇ ହେବ ନାହିଁ । ତେଣୁ କରୋନା ସଂକ୍ରମଣ ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆସିଥିବା ଗାଇଡଲାଇନ ଅନୁସାରେ ଏହି କଟକଣା ଲଗାଯିବାକୁ ନିଷ୍ପତି ନିଆଯାଇଛି । ଓଡ଼ିଶା ସମାଚାର