Saturday , March 25 2023
Breaking News
Home / କୃଷି / ସାନଜରିଆ ପ୍ୟାକ୍ସ ଧାନମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ପାଇଁ ପ୍ରଶାସନକୁ ଗଣଧାରଣା ଚେତାବନୀ

ସାନଜରିଆ ପ୍ୟାକ୍ସ ଧାନମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ପାଇଁ ପ୍ରଶାସନକୁ ଗଣଧାରଣା ଚେତାବନୀ

କେନ୍ଦ୍ରାପଡା, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)-ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀମାନେ ଗଣଧାରଣା ଦେବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । କରୋନା ସମୟରେ ଦାଦନ ଶ୍ରମରୁ ଆୟ ବନ୍ଦ ହୋଇଯାଇଥିବା ବେଳେ ତେଲ, ଲୁଣର ଖର୍ଚ୍ଚ ସାଙ୍ଗକୁ ରାଜସ୍ୱ, ବିଦୁ୍ୟତ ବିଲ, ଗ୍ୟାସ ବିଲ, ପାରିବାରିକ ସ୍ୱାସ୍ଥ୍ୟ, ଶିକ୍ଷା ବାବଦ ଖର୍ଚ୍ଚ ସହିତ ଆଗାମୀ ଚାଷର ପ୍ରସ୍ତୁତି ପାଇଁ ଅର୍ଥ ଚିନ୍ତାରେ ଚାଷିକୂଳ ହତାଶ ହୋଇପଡିଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷଙ୍କ ସାନଜରିଆ ଗ୍ରାମପଂଚାୟତକୁ ଗସ୍ତ ସମୟରେ ଗତ ଜାନୁଆରୀମାସ ୩୦ତାରିଖରେ ପଞ୍ଜିକୃତ ଚାଷୀଙ୍କ ଧାନ ସେଙ୍ଗ ସେଙ୍ଗ ସରକାରୀ ଖାତାକୁ ନିଆଯାଇ ଭୁକ୍ତାନ କରିବାକୁ ସାନଜରିଆ ପ୍ୟାକ୍ସର ସମ୍ପାଦକଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ଏହି ଧାନମଣ୍ଡିରେ ମାସ ମାସ ଧରି ଶହ ଶହ ଧାନବସ୍ତା ଖୋଲା ଆକାଶ ତଳେ ପଡିରହିଥିବା ବେଳେ ଟୁକନ କ୍ୟାନସେଲ ହୋଇଗଲା, ଟାର୍ଗେଟ ନାହିଁ, ମିଲର ଆସୁନାହାନ୍ତି ଆଦି ଚାଷିଙ୍କୁ କୁହାଯାଇ ପ୍ରତାରଣା କରାଯାଉଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀ ମାନସିକ ଭାରସାମ୍ୟ ରକ୍ଷା କରିବା ଅସମ୍ଭବ ହୋଇପଡିଛି । ଏଭଳି ପରିସ୍ଥିତିରେ ଆସନ୍ତା ୭ଦିନ ମଧ୍ୟରେ ଟୋକନ ପାଇଥିବା ଚାଷୀଙ୍କ ଧାନ ମଣ୍ଡିରୁ ଉଠାନଗଲେ  ସେମାନେ ବାଧ୍ୟ ହୋଇ ଗଣଧାରଣା ଦେବେ ବୋଲି ଆଜି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ସଂପୃକ୍ତ ଚାଷୀମାନେ ଓଡିଶା କୃଷକ ସଭାର   ସମ୍ପାଦକ ଗୟାଧର ଧଳଙ୍କ ନେତୃତ୍ୱରେ ଭେଟି ଚେତାବନୀ ଦେଇଛନ୍ତି । ବିଜୟ ଦାସ, ସୁବାଷ ଚନ୍ଦ୍ର ବାରିକ, ରବିନ୍ଦ୍ର ନାଥ ବେହେରା, ରଞ୍ଜନ କୁମାର ମଲ୍ଲିକ, ସୁନାକର ବେହେରା,  ସହଦେବ ଦାସ, ହରିହର ସାହୁ, ବାବାଜୀ ପରିଡା, କାର୍ତିକ ଚନ୍ଦ୍ର ସାହୁ, ଭରତ ଦାସ, ସର୍ବେଶ୍ୱର ରାଉତ, ମକର ଚରଣ ନାୟକ, ଅଜାମ୍ବର ପ୍ରଧାନ, ସୁରେନ୍ଦ୍ର ପରିଡା ପ୍ରମୁଖ ସାନଜରିଆ ସମବାୟ ସମିତିର ପଞ୍ଜିକୃତ ଚାଷୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.