କଟକ,୨୦/୦୨/୨୦୨୧ (ଓଡ଼ିଶା ସମାଚାର)- ମେଦିନାପୁରରୁ ଏକ ଆମ୍ବୁଲାନ୍ସ ରୋଗୀ ନେଇ କଟକ ବଡ ମେଡିକାଲ ଯାଉଥିବା ସମୟରେ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବଇଚୁଆଁ ଛକ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନର ପଛରେ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସରେ ଥିବା ୫ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସରେ ଡ୍ରାଇଭରଙ୍କ ସହ ଜଣେ ବୃଦ୍ଧ, ଜଣେ ମହିଳା, ଜଣେ ଯୁବକ ଏବଂ ୩ ବର୍ଷର ଶିଶୁ ଥିଲେ । ତେବେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ ରୋଗୀଙ୍କ ସମ୍ପର୍କୀୟ ଯୁବକ ଚାପି ହୋଇ ରହିଯାଇଥିଲେ ।ଦୁର୍ଘଟଣାରେ ସ୍ଥଳରେ ଥିବା କିଛି କମ୍ପାନୀ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଭିତରୁ ରୋଗୀ ସହ ତାଙ୍କର ୨ ଜଣ ସମ୍ପର୍କୀୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲେ । ତେବେ ଚାପି ହୋଇ ରହିଯାଇଥିବା ଡ୍ରାଇଭର ସହ ଅନ୍ୟ ଜଣେ ସମ୍ପର୍କୀୟ ଯୁବକଙ୍କୁ ବାହାର କରିବା ସମ୍ଭବ ନ ହେବାରୁ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ , ଏନ୍ଏଚଆଇ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି କଟର ସାହାଯ୍ୟରେ ଗାଡିର ଆଗ ଅଂଶ କାଟି ମୃତ ଯୁବକ ଓ ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଭିତରୁ ବାହାର କରିଥିଲେ । ପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ଡ୍ରାଇଭର ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ । ତେବେ ଗୁରୁତର ଥିବା ୪ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଆଜି ଭୋର ପ୍ରାୟ୬ ଟା ସମୟରେ ଏହି ଦୂର୍ଘଟଣା ଘଟିଛି । ରାଜପଥ ଉପରେ ପାର୍କିଂ ହୋଇଥିବା ଏକ କଣ୍ଟେନର ଟ୍ରକ୍ ପଛରେ ଦୁର୍ଘଟଣାଗ୍ରସ୍ତ ଘରୋଇ ଆମ୍ବୁଲାନ୍ସ ଟି ପିଟିହୋଇଯାଇଥିଲା। ମୃତକ ମାନଙ୍କ ପରିଚୟ ବର୍ତମାନ ସୁଦ୍ଧା ଜଣାପଡ଼ିନଥିବାବେଳେ ଦୁର୍ଘଟଣାଗ୍ରସ୍ତ ବୋଲେରୋ ଆମ୍ବୁଲାନ୍ସ ନମ୍ବର ଡ଼ବ୍ଲ୍ୟୁ.ବି -୩୩-ସି-୬୦୬୮ । ବଇଁଚୁଆ ଛକ ଠାରେ ରାଜପଥ ଉପରେ ଛିଡ଼ା ହୋଇଥିବା ଓଡି- ୦୧- କ୍ୟୁ- ୪୧୭୩ ନମ୍ବର ବିଶିଷ୍ଟ କଣ୍ଟେନର ଟ୍ରକ୍ ପଛରେ ଏହି ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଦ୍ରୁତ ଗତିରେ ପିଟି ହୋଇଯାଇଥିଲା।ତେବେ ଘନ କୁହୁଡ଼ି ଯୋଗୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କଣ୍ଟେନର ଟ୍ରକ୍ ଦେଖାନଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ୩ ବର୍ଷର ଶିଶୁ ଟି ବଂଚି ଯାଇଛି । ଓଡ଼ିଶା ସମାଚାର
Home / ତାଜା ଖବର / ରୋଗୀ ନେଇ ମେଡିକାଲ ଯାଉଥିବା ଆମ୍ବୁଲାନ୍ସ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନର ପଛରେ ଧକ୍କା ଦେବା ଫଳରେ ରୋଗୀ ସମେତ ୩ ଜଣଙ୍କର ମୃତ୍ୟୁ – ୨ ଗୁରୁତର ଆହତ