ଫୁଲବାଣୀ, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)- କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମର ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରୀ ମହାରାଜଙ୍କୁ ଆଜି ଅଜ୍ଞାତ ଦୁର୍ବୃତ୍ତ ଟେଲିଫୋନ୍ରେ ହତ୍ୟା ଧମକ ହୋଇଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ ଟାରେ ତାଙ୍କୁ ଏହି ଧମକପୂର୍ଣ୍ଣ କଲ୍ ଆସିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ୪ ଦିନ ମଧ୍ୟରେ ହତ୍ୟା କରାଯିବ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦଶା ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। ଏହାକୁ ନେଇ ଆଶ୍ରମ ପରିସରରେ ଏବେ ଭୟର ବାତାବରଣ ଖେଳି ଯାଇଛି। ସ୍ବାମୀ ଜୀବନ ମୁକ୍ତାନନ୍ଦ ତୁରନ୍ତ ଏ ନେଇ ଆଶ୍ରମ କର୍ମକର୍ତ୍ତାଙ୍କ ସହ ଯୋଗଯୋଗ କରିଥିଲେ। ଏକ ଜରୁରୀ ବୈଠକ ଡକାଇ ଜିଲ୍ଲାର ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସନ୍ଧ୍ୟାରେ ଘଟଣା ସମ୍ପର୍କରେ ତୁମୁଡ଼ିବନ୍ଧ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ସ୍ବାମୀଜୀଙ୍କ ପକ୍ଷରୁ ଦିଆ ଯାଇଥିବା ଏତଲାକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ଆଶ୍ରମ ପରିସରରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ବୋଲି କନ୍ଧମାଳ ଏସ୍ପି ଭିନିତ୍ ଅଗ୍ରୱାଲ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୦୦୮ରେ ଜଲେଶପଟ୍ଟା କନ୍ୟାଶ୍ରମର ତତ୍କାଳୀନ ମୁଖ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ତାଙ୍କର ଅନ୍ୟ ଚାରି ଜଣ ଙ୍କୁ ଆଶ୍ରମ ପରିସରରେ ଗୁଳି କରି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ପ୍ରଥମେ ତାଙ୍କୁ ମଧ୍ୟ ଏହିପରି ହତ୍ୟା ଧମକ ଦିଆଯାଇଥିଲା ଓ ଧମକ ର ଗୋଟିଏ ଦିନ ପରେ ହତ୍ୟା କରାଯାଇଥିଲା । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଏହି ହତ୍ୟା ଘଟଣାକୁ ନେଇ କନ୍ଧମାଳରେ ଦଙ୍ଗା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସ୍ଥାନରେ ଆଶ୍ରମ ମୁଖ୍ୟ ଭାବେ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀ ଦାୟିତ୍ବରେ ଅଛନ୍ତି। ଓଡ଼ିଶା ସମାଚାର