Monday , March 27 2023
Breaking News
Home / ବିଶେଷ / ଏସପିଙ୍କ ନିର୍ଦେଶ ପରେବି ମାମଲା ରୁଜୁ କରୁନି ନିକିରାଇ ଥାନା ପୋଲିସ

ଏସପିଙ୍କ ନିର୍ଦେଶ ପରେବି ମାମଲା ରୁଜୁ କରୁନି ନିକିରାଇ ଥାନା ପୋଲିସ

କେନ୍ଦ୍ରାପଡା, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)-ଜନୈକ ମହିଳାଙ୍କୁ ମରଣାନ୍ତଙ୍କ ଆକ୍ରମଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାରେ କେନ୍ଦ୍ରାପଡା ଏସପିଙ୍କ ନିର୍ଦେଶ ପରେବି ନିକିରାଇ ଥାନା ପୋଲିସ ମାମଲା ରୁଜୁ ନକରିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ନିକିରାଇ ଥାନା ଅନ୍ତର୍ଗତ ହନୁମନ୍ତପାଳ ଗ୍ରାମର ସର୍ବେଶ୍ୱର ରାଉତଙ୍କ ପତ୍ନୀ ରେଣୁବାଳା ସାହୁଙ୍କ ଅଭିଯୋଗ ଅନୁଯାଇ ଗତ ୬ତାରିଖ ରାତି ପ୍ରାୟ ୧୧ଟା ବେଳେ ସେ ଘରେ ଅନୁପସ୍ଥିତ ଥିବା ବେଳେ ତାଙ୍କ ସ୍ୱାମୀଙ୍କୁ ଅନାଦି ଚରଣ ରାଉତ, ନନ୍ଦ କିଶୋର ରାଉତଙ୍କ ସମେତ ଅନ୍ୟ ୩ଜଣ ଯୋଜନାବଦ୍ଧ ଭାବେ ଆକ୍ରମଣ କରି ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲେ । ତାଙ୍କ ସ୍ୱାମୀଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେଠାରେ ପହଁଚିବାରେ ଅଭିଯୁକ୍ତମାନେ କାଠ, ପଥର ଓ କଟୁରୀ ପ୍ରଭୃତି ଫୋପାଡି ଦେଇ ସେଠାରୁ ପଳାଇଯାଇଥିଲେ । ଖବରପାଇ ରେଣୁବାଳା ସ୍ୱାମୀଙ୍କୁ ଡାକ୍ତରଖାନାରେ ଭର୍ତି କରିବା ପରେ ନିକିରାଇ ଥାନାରେ ଗତ ୭ତାରିଖରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କିଛି ପଦକ୍ଷେପ ନନେବାରେ ସେ ଏସପିଙ୍କୁ ୮ତାରିଖରେ ସାକ୍ଷାତ କରି ଅଭିଯୋଗ କରିଥିଲେ । ଏହାପରେ ପୋଲିସ ସେହି ଅଭିଯୋଗ ଉପରେ ଏକ ମାମଲା ରୁଜୁ କରିବାରେ ସେ ଗତ ୧୧ତାରିଖରେ ଥାନାରୁ ରୁଜୁ ହୋଇଥିବା ସେହି ଅଭିଯୋଗର ନକଲ ନେଇ ଗ୍ରାମକୁ ଫେରି ଘରେ ରହିଥିଲେ । ସେହିଦିନ ରାତି ପ୍ରାୟ ସାଢେ ୧୧ଟା ସମୟରେ କେହି ତାଙ୍କ କବାଟକୁ ଯୋରରେ ବାଡେଇବାରୁ ରେଣୁବାଳା କିଏ ଡାକୁଛି ବୋଲି କବାଟ ଫିଟାଇବାରେ ପୁନର୍ବାର ଅଭିଯୁକ୍ତମାନେ ଯୋରଜବରଦସ୍ତି ତାଙ୍କ ଘରେ ପଶି ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ରେଣୁବାଳା ପ୍ରତିବାଦ କରନ୍ତେ ସେମାନେ ତାଙ୍କୁ ମାଡିବସି ଟଣାଓଟରା କରିବା ଓ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରେ ରେଣୁବାଳାଙ୍କ ପାଟିଶୁଣି ଗ୍ରାମର ପଡୋଶୀ ଉଠି ଆସିବାରେ ସେମାନେ ତାଙ୍କ ବେକରୁ ଏକ ସୁନାଚେନ ଛିଣ୍ଡାଇ ନେଇ ପଳାଇଯାଇଥିଲେ । ଏସମ୍ପର୍କରେ ରେଣୁବାଳା ନିକିରାଇ ଥାନାରେ ଗତ ୧୨ତାରିଖରେ ଅଭିଯୋଗ କରିବା ପରେବି ଥାନା ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ତେଣୁ ସେ ଏସମ୍ପର୍କରେ ଏସପିଙ୍କୁ ଭେଟି ଅଭିଯୋଗ କରିବାରେ ଏସପି ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ନିକିରେଇ ଥାନାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଏସପିଙ୍କ ନିର୍ଦେଶ ସତ୍ୱେବି ନିକିରାଇ ଥାନା ପୋଲିସ ଏଭଳି ଏକ ସ୍ପର୍ଶକାତର ଘଟଣାରେ କୈାଣସି ପଦକ୍ଷେପ ଗ୍ରହଣ ନକରିବା ଓ ତଦନ୍ତକାରୀ ଅଧିକାରୀ ଥାନାର ଆଇ.ଆଇ.ସି.ଙ୍କ ଉପସ୍ଥିତିରେ ସଂପୃକ୍ତ ପିଡିତା ମହିଳାଙ୍କୁ ଗାଳିଗୁଲଜ କରିବା ସମ୍ପର୍କରେ ସଂପୃକ୍ତ ମହିଳା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.