ଗରଦପୁର, ୨୦/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁରସ୍ଥିତ ମଧୁବାବୁ ପାଠାଗାର ରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିିଂହାରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଏଥି ସହିତ ଆଦିକବି ସାରଳା ଦାସ ଓ ଅତିବଡ଼ି ଜଗନ୍ନାଥ ଦାସଙ୍କ ପୂଣ୍ୟ ତିଥି ମଧ୍ୟ ପାଳିତ ହୋଇଛି । ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା ଯୋଗ ଦେଇଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଗରଦପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ମନୋଜ ଜେନା ଯୋଗଦେଇ ଅଭିମନ୍ୟୁ ସାମନ୍ତସିଂହାରଙ୍କ ବଂଶାବଳୀ ଉପରେ ଆଲୋକପାତ କରିଥିଲେ । ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ମାନବ ସମ୍ବଳ ବିକାଶ ମହିଳା ମହାବିଦ୍ୟାଳୟ ର ପ୍ରାଧ୍ୟାପକ ନୀରୋଦ କୁମାର ଦାସ ଯୋଗଦେଇ ମାଟିର ମହାକବି ସାରଳା ଦାସଙ୍କ ମହାଭାରତ , ବିଲଙ୍କା ରାମାୟଣ ଓ ଅଭିମନ୍ୟୁ ସାମନ୍ତସିଂହାରଙ୍କ ବିଦଗ୍ଧ ଚିନ୍ତାମଣି ଉପରେ ବିଷଦ ଭାବରେ ଆଲୋକପାତ କରିବା ସହିତ ଏ ମାଟି ୩ ବରପୁତ୍ରଙ୍କୁ ନେଇ ଗର୍ବିତ ବୋଲି ମତ ବ୍ୟକ୍ତ କରିଥିଲେ । ସେହିପରି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଲୋକନାଥ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ଯୋଗଦେଇ ବିଦଗ୍ଧ ଚିନ୍ତାମଣି ପାଇଁ ଅଭିମନ୍ୟୁ ସାମନ୍ତ ସିଂହାର ଓ ମହାଭାରତ ପାଇଁ ଆଦିକବି ସାରଳା ଦାସ ଏବଂ ଆଧ୍ୟାତ୍ମିକ ଜାଗରଣ ପାଇଁ ଜଗନ୍ନାଥ ଦାସ ସର୍ଯ୍ୟ ଓ ତାରା ଭଳି ଚୀର ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ଏଥି ସହିତ ଅଧ୍ୟାପକ କ୍ଷମାସାଗର ପୃଷ୍ଟି , ପ୍ରଧାନ ଶିକ୍ଷକ ସାରଦା କୁମାର ପାଣି , ନବାବ ପର୍ଡା, ଘନଶ୍ୟାମ କାପ, ଆଲୋକ ପାଣି, ରବିନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ପ୍ରାରମ୍ଭରେ ଅତିଥି ମାନେ ବରପୁତ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଓଡ଼ିଶା ସମାଚାର