ଗରଦପୁର, ୧୯/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର , ଓଡ଼ିଶାର ଦ୍ୱିତୀୟ ଚନ୍ଦ୍ରଭାଗା ଭାବେ ପରିଚିତ ତଥା ପୁରାଣ ବର୍ଣ୍ଣିତ ଶୁକ ପରିକ୍ଷୀତ ପୀଠରେ ମାଘ ମେଳାକୁ ଜିଲା ପ୍ରଶାସନ ରୋକ୍ ଲଗାଇଛି । ମାଘ ସପ୍ତମୀ ବୁଡ଼ ଅବସରରେ ହଜାର ହଜାର ଭକ୍ତ ଙ୍କ ସମାଗମକୁ ଦୃଷ୍ଟିରେ ରଖି କୁଦାନଗରୀ ଠାରେ ଥିବା ଶୁକ ପରିକ୍ଷୀତ ପୀଠ ଓ ତାର ଆଖ ପାଖ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି ।
ମାଘ ମେଳା ଅବସରରେ ଷଷ୍ଠୀ ସନ୍ଧ୍ୟାରେ ମେଳାର ଉଦଘାଟନ ଉତ୍ସବ ସହ ପରୀକ୍ଷିତଙ୍କ ପୀଠରେ ଭଜନ , ଶୁକ ମୁନୀ ଙ୍କ ପୀଠରେ ପାଲା , ଅପେରା ଓ ମୀନା ବଜାର ତଥା ଉଠା ଦୋକାନ କୁ ମଧ୍ୟ ବନ୍ଦ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷକରି କୋଭିଡ଼୍ ଗାଇଡ଼୍ ଲାଇନ୍ ବାଧାପ୍ରାପ୍ତ ହେବା ଦୃଷ୍ଟିରୁ ଶୁକ ପରିକ୍ଷୀତ ପୀଠ ରେ ୧୪୪ ଧାରା ଜାରି କରାଯାଇଛି । କେନ୍ଦ୍ରାପଡ଼ା ଉପ ଜିଲାପାଳ ତଥା ସବଡ଼ିଭିଜନାଲ ମାଜିଷ୍ଟ୍ରେଟ୍ ନୀରଂଜନ ବେହେରାଙ୍କ ନିର୍ଦ୍ଧେଶ କ୍ରମେ ପାଟକୁରା ଥାନା ପୋଲିସ ପକ୍ଷରୁ କୁଦାନଗରୀ ଶୁକ ପରିକ୍ଷୀତ ପୀଠ ଓ ଆଖ ପାଖ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଏହା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ସୂଚନା ଦିଆଯାଇଛି । ମେଳା ପଡ଼ିଆରେ ଶହ ଶହ ଦୋକାନ ବଜାର, ମୀନା ବଜାର, ଅପେରା ଆଦି ପଡ଼ିଥାଏ । ପ୍ରଶାସନର ୧୪୪ ଧାରା ଜାରି ଯୋଗୁ ଏସବୁ ବନ୍ଦ ରହିଛି । ଓଡ଼ିଶା ସମାଚାର