ଭୁବନେଶ୍ୱର, ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ଆଉ କିଛି ସମୟ ପରେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏହାପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ବିଧାନସଭା ଚାରିପାଖରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଭୁବନେଶ୍ୱର ଡ଼ିସିପି ସମ୍ପୂର୍ଣ୍ଣ ଦାୟିତ୍ୱରେ ଥିବାବେଳେ ୧୦୦ ଜଣ ଅଧିକାରୀ ମୁତୟନ ରହିବେ । ବିଧାନ ସଭା ଅଧିବେଶନ ସମୟରେ ଆତ୍ମାହୂତି ଉଦ୍ୟମ ହେଉଥିବାରୁ ଜୟଦେବ ଭବନ ଠାରୁ ରବିନ୍ଦ୍ର ମଣ୍ଡପ ଛକ ରାସ୍ତା ସିଲ୍ କରାଯାଇଛି । ଏହି ରାସ୍ତା ଦେଇ ଯାତାୟତ ଉପରେ କଟକଣା ଲଗାଯାଇଛି । ଆନ୍ଦୋଳନକାରୀଙ୍କ ଉପରେ ସିସିଟିଭି ନଜର ରଖିବ । ବିଧାନସଭା ଆରମ୍ଭ ପୂର୍ବରୁ ପୋଲିସ ଡିଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଡିଜିପି, ପୋଲିସ କମିଶନର, ଭୁବନେଶ୍ୱର ଡିସିପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଧାନସଭା ପରିସର ଓ ବାହାରେ ବୁଲି ପରିଦର୍ଶନ କରିଛନ୍ତି ।
କେଉଁଠି ସୁରକ୍ଷା କର୍ମୀ ମୁତୟନ ହେବେ, କେଉଁଠି ବନ୍ଧୁକ ଧାରୀ ପୋଲିସ ରହିବେ, ଏବଂ ସିସିଟିଭି କ୍ୟାମେରା ରୁମ ବୁଲି ଦେଖିଛନ୍ତି । ପୂର୍ବ ଥର କିଛି ଲୋକ ଆତ୍ମାହୁତି ଉଦ୍ୟମ କରିଥିବାରୁ ଏଥର ଅଧିକ ସୁରକ୍ଷାକୁ ମଜବୁତ କରାଯାଇଛି । ଜୟଦେଵ ଭବନରୁ ରବୀନ୍ଦ୍ର ମଣ୍ଡପ ଛକ ପର୍ୟ୍ୟନ୍ତ ରୁଟିନ୍ ଲାଇନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଧାନସଭାର ପୂର୍ବହ୍ନ ଅଧିବେଶନ ସକାଳ ସାଢ଼େ ୧୦ଟା ରୁ ସାଢ଼େ ଗୋଟାଏ ଏବଂ ଅପରାହ୍ନରେ ୪ଟାରୁ ୬ଟାପର୍ୟ୍ୟନ୍ତ ଚାଲିବ । ପୂର୍ବପରି ସାଢ଼େ ୧୦ଟାରୁ ସାଢ଼େ୧୧ଟା ଏକ ଘଣ୍ଟା ପ୍ରଶ୍ନ କାଳ ରହିବ । ତାପରେ ଶୂନ୍ୟକାଳ। ମୂଲତବୀ ପ୍ରସ୍ତାବ ଉପରେ ଦେଢ଼ଘଣ୍ଟା ଆଲୋଚନା ହେବ। ଏଥିରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ ସମୟ ବଣ୍ଟା ଯାଇଛି। ବିରୋଧୀ ଦଳ ୫୫ମନିଟ ଏବଂ ଶାସକ ଦଳକୁ ୩୫ମିନିଟ ସମୟ ଦିଆଯାଇଛି।
ଆଜି ଠାରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ୟ୍ୟନ୍ତ ବଜେଟ ଅଧିବେଶନ ଚାଲିବ । ଏହି ବଜେଟ ଅଧିବେଶନରେ ୩୧ ଟି କାର୍ୟ୍ୟଦିବସ ରହିଛି। ଦୁଇଟି ପର୍ୟ୍ୟାୟରେ ବିଧାନସଭା ବସିବ। ପ୍ରଥମ ପର୍ୟ୍ୟୟ ଆଜିଠୁ ୨୮ ତାରିଖ ପର୍ୟ୍ୟନ୍ତ ଚାଲିବ। ଦ୍ବିତୀୟ ପର୍ୟ୍ୟାୟ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ୟ୍ୟନ୍ତ ଚାଲିବ। ଆସନ୍ତା ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ । ଓଡ଼ିଶା ସମାଚାର