ହକି ଷ୍ଟାଡିୟମ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ
ରାଉରକେଲା, ୧୬/୦୨/୨୦୨୧ (ଓଡ଼ିଶା ସମାଚାର)-ରାଉରକେଲା ଛେଣ୍ଡକଲୋନୀ ସ୍ଥିତ ବିପିୟୁଟି ପରିସରରେ ଆୟୋଜିତ ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦାନ କରି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ତଥା ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଜିଲ୍ଲା ନିମନ୍ତେ ବିଭିନ୍ନ ପ୍ରକଳ୍ପ ଉଦ୍ଧେଶ୍ୟରେ ୪,୭୯୨.୯୯ କୋଟି ଟଙ୍କାରପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ।ଏଥିସହ ପବିତ୍ର ଶ୍ରୀପଂଚମୀ ତିଥିରେ ପୁରୁଷ ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତିର ଶୁଭାରମ୍ଭ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଜି ଦିନିକିଆ ସୁନ୍ଦରଗଡ ଗସ୍ତରେଆସି ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ବିଭିନ୍ନପ୍ରକଳ୍ପ ନିମନ୍ତେ ୩ ହଜାର୯୫୮.୭୬ କୋଟି ଟଙ୍କା ବ୍ୟୟଅଟକଳର ଭିତିପ୍ରସ୍ତର ସ୍ଥାପନ ଓ୮୩୪.୨୩ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସମାରୋହରେ ମୁଖ୍ୟ ଆକର୍ଷଣଭାବେ ରାଉରକେଲା ଠାରେ୨୦୨୩ ପୁରୁଷ ବିଶ୍ୱକପ ହକି ଆୟୋଜନକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ସେଠାରେ ଅନ୍ତର୍ଜାତୀୟ ମାନର ଷ୍ଟାଡିୟମ ନିର୍ମାଣର ଶିଳାନ୍ୟାସ କରି ଏହାକୁ ବିଶିଷ୍ଟ ସ୍ୱୀଧାନତା “ସଂଗ୍ରାମୀ ବିର୍ସାମୁଣ୍ଡା’ଙ୍କ ନାମରେ ନାମିତ କରିବାନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଷ୍ଟାଡିୟମ ଦେଶର ସର୍ବୋଚ୍ଚ ହକି ଷ୍ଟାଡିୟମ ମାନ୍ୟତା ଲାଭ କରିବା ସହ ଏହା ଯୁବପିଢିଙ୍କ ମଧ୍ୟରେ ପ୍ରେରଣା ଯୋଗାଇ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଉରକେଲା ସହ ବିଜୁବାବୁଙ୍କ ସମ୍ପର୍କର ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଉରକେଲାର ଷ୍ଟିଲ୍ ପ୍ଲାଂଟ ଠାରୁ ଆରମ୍ଭ କରି ଏନଆଇଟି ପର୍ଯ୍ୟନ୍ତ ସବୁଥିରେ ବିଜୁବାବୁଙ୍କ ସ୍ମୃତି ଭରି ରହିଛି । ରାଉରକେଲାକୁ ଆଶାର ସହର ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀକହିଲେ ଯେ, କେବଳ ଓଡିଶା ନୁହେଁ, ପଡୋଶୀ ରାଜ୍ୟର ଲୋକମାନେ ମଧ୍ୟ ଜୀବିକା ପାଇଁ ରାଉରକେଲାକୁ ଆସିଥାନ୍ତି । ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମା’ମାନଙ୍କୁ ସେମାନଙ୍କ ବିକାଶ କାମରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ବାଲିଶଙ୍କରାର ଜୟନ୍ତୀ ଏକ୍କା କିପରି ଭବୁନେଶ୍ୱରର ମେକ୍ ଇନ୍ ଓଡିଶା କନକ୍ଲେଭ ରେ ତାଙ୍କ ଉଦଯୋଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଜୟନ୍ତୀଙ୍କ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ । ଜନ ଜାତିର ପିଲାମାନଙ୍କ ଶିକ୍ଷା ସୁବିଧା ସହ ଜନଜାତି ସଂସ୍କୃତିର ସୁରକ୍ଷା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିବାସହ ମୁଣ୍ଡାରୀ ଓ ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁନଶ୍ଚ ଦାବି ଉତ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ, ୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ୍ ମାତ୍ର ୨୮୦୦ କୋଟି ଥିବାବେଳେ ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି, ଯାହା ବିକାଶର ଧାରାକୁ ସୂଚାଉଛି । ଏହି ବିକାଶର ଧାରାକୁ ବଜାୟ ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଜିଲ୍ଲାର କୃଷକମାନଙ୍କ ନିମନ୍ତେ ଜଳସେଚନର ପ୍ରକଳ୍ପକୁ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ସୁନ୍ଦରଗଡ କୃଷକମାନଙ୍କ ପାନୀୟ ଜଳ ସମସ୍ୟାର ଦୂରୀକରଣ ନିମନ୍ତେ ୧୧ଟି ବୃହତ୍ ଉଠାଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି, ଯାହା କୃଷକମାନଙ୍କ ନିମନ୍ତେ ବରଦାନ ସଦୃଶ ହୋଇଛି । ଫଳରେ ଜିଲ୍ଲାର ୧୧ ହଜାର୬୩୫ ହେକ୍ଟରରୁ ଊଦ୍ଧ୍ୱର୍ ଜମି ଜଳସେଚିତ ହେବା ସହ ଜିଲ୍ଲାର ୧୦ ହଜାରରୁ ଊଦ୍ଧ୍ୱର୍ କୃଷକ ଉପକୃତ ହୋଇପାରିବୋ ଏଥିସହ ଗ୍ରାମାଂଚଳର ପାନୀୟ ଜଳ ସମସ୍ୟାର ଦୂରୀକରଣପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଫଳରେ ଜିଲ୍ଲାର୧୦ଟି ବ୍ଲକ୍ରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ୭୦୫ ଗ୍ରାମର ୧ ଲକ୍ଷ ୫୬ ହଜାର ୧୯୮ପରିବାର ଉପକୃତ ହେବେ ବୋଲି ଲକ୍ଷ ଧାର୍ଯ୍ୟକରାଯାଇଛି । ଏଥିପାଇଁ ୧,୫୯୯.୨୯ କୋଟି ବ୍ୟୟବରାଦ କରାଯାଇଥିବା ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି । ରାଜସ୍ୱ ମନ୍ତ୍ରୀ ସୁଦାମମାରାଣ୍ଡି, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା, ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ବଣେଇଁ ବିଧାୟକ ଲକ୍ଷବଚ୍ଚ ମୁଣ୍ଡା, ୫ଟି ସଚିବ ଭି.କେ. କାର୍ତିକେୟନ ପାଣ୍ଡିଆନ,ପୂର୍ବତନ ସାଂସଦ ତଥା ଅନ୍ତର୍ଜାତୀୟ ହକି ଖେଳାଳୀ ଦିଲ୍ଲୀପ ତିର୍କୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ସୁନ୍ଦରଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଓ ରାଉରକେଲାର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ନିମନ୍ତେ ଏଲଇଡି ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶା ସମାଚାର