ଟରେଂଟୋ / ଲଣ୍ଡନ / କାନବେରା / ଦୁବାଇ / ଭୁବନେଶ୍ୱର / କଟକ, ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- କୋଟିଆ ଗ୍ରାମପୁଞ୍ଜ ମାମଲା ନେଇ ବିଶ୍ୱ ଓଡ଼ିଶା ସମାଜ (ବିଓସ) ଗଭୀର ଉଦବେଗ ଓ ପ୍ରବଳ କ୍ଷୋଭ ପ୍ରକାଶ କରିଛି । ଅନଲାଇନ୍ ଦ୍ୱାରା ଅନୁଷ୍ଠିତ ‘ବିଓସ’ର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକରେ ଆନ୍ଧ୍ରପ୍ରଦେଶ ଦ୍ୱାରା କୋଟିଆ ଗ୍ରାମଗୁଡ଼ିକୁ କାରସାଦି କରି ନିର୍ବାଚନ ଆଳରେ ଯେଭଳି ତାଙ୍କ ରାଜ୍ୟ ସହିତ ମିଶାଇବା ପାଇଁ ଘୃଣ୍ୟ ଉଦ୍ୟମ କରାଯାଇଛି ତା’ର ଘୋର ନିନ୍ଦା କରାଯାଇଛି । ଏଭଳି ଅନୈତିକ ଓ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା ଆନ୍ଧ୍ରପ୍ରଦେଶର ଅସାଧୁ ଅମଲାମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ‘ବିଓସ’ ତରଫରୁ ଏହି ବୈଠକରେ ଏକ ସର୍ବସମତ ପ୍ରସ୍ତାବ ପାରିତ କରାଯାଇ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି । ‘ବଓସ’ର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଇଂଟରନେଟ୍ ଅଧିବେଶନରେ ଓଡ଼ିଶାର ସମ୍ପୂର୍ଣ୍ଣ ସୀମାରେଖାସ୍ଥିତ ବିଚ୍ଛିନ୍ନାଂଚଳରେ ବସବାସ କରୁଥିବା ଓଡ଼ିଆ ଅଧିବାସୀମାନଙ୍କର ସ୍ୱାର୍ଥରକ୍ଷା ତଥା ସେମାନଙ୍କର ସାମଗ୍ରିକ କଲ୍ୟାଣ ସାଧନା ନେଇ ‘ବିଓସ’ ଏହାର ପ୍ରତିବଦ୍ଧତା ଘୋଷଣା କରିଛି । ଭର୍ଚ୍ଚୁଆଲ୍ ସଭାରେ ନିଜର ଭାଷା, ସଂସ୍କୃତି ଓ ଐତିହ୍ୟ ତଥା ମୌଳିକ ପରିଚିତିକୁ ବଜାୟ ରଖିବା ପାଇଁ ସଦାସର୍ବଦା ସଂଘର୍ଷରତ ବିଚ୍ଛିନ୍ନାଂଚଳର ଭାଇଭଉଣୀମାନଙ୍କ ପଛରେ ‘ବିଓସ’ ଶକ୍ତ ଭାବରେ ଛିଡ଼ା ହେବାକୁ ନିଜର ଅଙ୍ଗିକାରବଦ୍ଧତା ପ୍ରକାଶ କରିବା ସହିତ ଏହି ସଂକଟ ମୁହୂର୍ତରେ ସେମାନଙ୍କର ସୁରକ୍ଷା ପାଇଁ ‘ବିଓସ’ ବ୍ୟାପକ ସଂଘର୍ଷ ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା ପ୍ରକାଶ କରାଯାଇଛି ।
ଲାଇଭ୍ ଷ୍ଟି୍ରମିଂ ବୈଠକକୁ ସମ୍ବୋଧନ କରି ବରିଷ୍ଠ ଆଇନଜୀବୀ ଅଜିତ ପାତ୍ର, ପୂର୍ବତନ ପୁଲିସ ଡିଜି ମନମୋହନ ପ୍ରହରାଜ, କୋରାପୁଟର ପ୍ରାକ୍ତନ ଜିଲ୍ଲାପାଳ ଗଦାଧର ପରିଡ଼ା, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ମଣ୍ଡଳୀର କର୍ମକର୍ତା ଶୀତାବଲ୍ଲଭ ମହାପାତ୍ର ଓ ପର୍ଶୁରାମ ଦ୍ୱିବେଦୀ, ‘ବିଓସ’ର ଆଇନ ପରାମର୍ଶଦାତା ଶିବଶଙ୍କର ମିଶ୍ର, ଆମ୍ବେଦର ପ୍ରତିଷ୍ଠାନର ନିର୍ଦ୍ଧେଶକ ଦେବେନ୍ଦ୍ର ମାଝୀ, ଆଇଟି ବିଶେଷଜ୍ଞ ଆର.ଏନ.ବେହେରା, ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ବରିଷ୍ଠ ପ୍ରଶାସକ କୃପାନିଧି ବିଶ୍ୱାଳ, ଚାର୍ଟାଡ ଆକାଉଂଟାଂଟ ରବୀ ପାଣି ଓ ସୁଧିର ଦାସ ତଥା ‘ବିଓସ’ର ଅଷ୍ଟ୍ରେଲିଆସ୍ଥିତ ମୁଖ୍ୟ ମୁଖପାତ୍ର ସୁଶ୍ରୀ ଶ୍ୱାତୀ ପ୍ରମୁଖ ‘ବିଶ୍ୱ ଓଡ଼ିଶା ସମାଜ’ର ମୁଖ୍ୟ ଦାବି ପ୍ରତି ସମର୍ଥନ ଜ୍ଞାପନ କରିବା ସାଙ୍ଗକୁ ଓଡ଼ିଶାର ସୀମାଂଚଳ ବାସିନ୍ଦାମାନଙ୍କର ସମସ୍ୟା ପ୍ରତି ସମବେଦନା ଜ୍ଞାପନ କରିଥିଲେ । ଏହି ୱେବିନାର୍ ରେ ଉପସ୍ଥିତ ଥିବା ‘ବିଓସ’ର କାର୍ଯ୍ୟକାରୀ କମିଟି ସଦସ୍ୟମାନଙ୍କ ମଧ୍ୟରେ ଅମୀୟ ମିଶ୍ର, ସଞ୍ଜୟ ଦାସ, ଶିବରଞ୍ଜନ ବିଶ୍ୱାଳ, ସୁମିତା ସାହୁ, ମନୋଜ ନାୟକ, ସିଦ୍ଧାର୍ଥ ଦାସ, ପ୍ରଦୀପ ରଥ, ସୁନନ୍ଦା ମିଶ୍ର, ତନ୍ମୟ ପଣ୍ଡା, ଦେବର୍ଶୀ ମଲ୍ଲିକ, ଚିଦାତ୍ମିକା ଖଟୁଆ ଏବଂ ମୀନକେତନ ସାମଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟମାନଙ୍କ ମଧ୍ୟରେ ପ୍ରଭାତୀ ମିଶ୍ର, ଦୀପକ ଦାସ, ବିନୟ ପଟ୍ଟନାୟକ, ସଞ୍ଜିବ ପଟ୍ଟନାୟକ, କୃଷ୍ଣ ନାୟକ, ମଙ୍ଗଳା ପ୍ରସାଦ ମହାନ୍ତି ଓ ପ୍ରଦୀପ ମହାପାତ୍ର ପ୍ରମୁଖ ସାମିଲ୍ ଥିଲେ ।
କାର୍ଯ୍ୟକାରୀ କମିଟି ବୈଠକରେ ୟୁଏଇ ଓଡ଼ିଶା ସମାଜର ସାଧାରଣ ସମ୍ପାଦକ ପ୍ରୀତିଶ ରଞ୍ଜନ ଦାସ କୋଟିଆ ଗ୍ରାମପୁଞ୍ଜ ସମ୍ପର୍କିତ ପ୍ରସ୍ତାବ ଆଗତ କରିଥିଲେ ଏବଂ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡକ୍ଟର ନଳିନୀ ପତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ପୁଷ୍ପାଞ୍ଜଳି ବାରିକ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଓଡ଼ିଶା ସମାଚାର