ସାଧାରଣ ଜନତା ଅସ୍ତ ବ୍ୟସ୍ତ – ପ୍ରଶାସନ ନିଦା ବିଷ୍ଣୁ
ତାରପୁର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ଗ୍ରାମ ଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ବେଆଇନ ଇଟା ଭାଟି ପୋଡ଼ା ଯାଉଥିବାବେଳେ ତହସିଲ ର ସମସ୍ତ ଅଂଚଳର ବାୟୁ ମଣ୍ଡଳ ପ୍ରଦୁଷିତ ହେଉଅଛି । ଏପରିକି ଜନବସତି ମଧ୍ୟରେ ଇଟାଭାଟିରେ ନିଆଁ ଲାଗୁଥିବାବେଳେ ପାଖକୁ ଲାଗତରହିଥିବା ଘର ଭିତରେ ଲୋକମାନେ ଚଳ ପ୍ରଚଳ ହେବା କଷ୍ଟକର ହୋଇ ପଡ଼ୁଛି । କିଛି ଇଟା ବେପାରୀ ରାଜସ୍ୱ ନିରୀକ୍ଷକଙ୍କୁ ହାତ ଗୁଂଜା ଦେଇ ସରକାରୀ ମାଟି ତଥା ଗୋଚର ଓ ଅନାବାଦି ମାନଙ୍କରେ ଗୋଟିଏ ପରେ ଗୋଟିଏ ଇଟାଭାଟି ପୋଡ଼ି ଚାଲିଥିବାବେଳେ ଗ୍ରାମର ସାଧାରଣ ଲୋକ , ଗୋରୁ ଗାଈ ଚଳପ୍ରଚଳରେ ବ୍ୟାଘାତ ସୃଷ୍ଟି ହେଉଛି । ତେବେ ସମ୍ପୃକ୍ତ ଅଂଚଳର ରାଜସ୍ୱ ନିରୀକ୍ଷକମାନେ ମାଲାମାଲ ହେଉଥିବାବେଳେ ଲକ୍ଷାଧିକ ଟଙ୍କାର ଇଟାକୁ କାଗଜ କଲମରେ ୫ ରୁ ୧୦ ହଜାର ଦେଖାଇ ଜୋରିମାନା କାଟି ରାଜସ୍ୱ ବିଭାଗ ଚୁପ ରହୁଛି । ଏହି ବେଆଇନ ଇଟାଭାଟି ପାଇଁ ପ୍ରଶାସନ ତରାଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ସାଧାରଣ ଜନତା ଗାନ୍ଧିଜୀଙ୍କର ୩ ମାଙ୍କଡ଼ ପରି ମୁହଁ ଆଖି କାନ ବନ୍ଦ ରଖିବାକୁ ବାଧ୍ୟ ହେଉଛନ୍ତି । ସୂଚନା ଯୋଗ୍ୟ କି ଏହି ତହସିଲ ର ଛପଡ଼ା, ରେଢ଼ୁଆ,ଚିକିଣିଆ, ରଘୁନାଥପୁର, ତରିକୁନ୍ଦ, ଅରଙ୍ଗ ଆଦି ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ଗ୍ରାମ ଗୁଡ଼ିକର ସରକାରୀ ଜମିରେ ହଜାର ହଜାର ସଂଖ୍ୟାରେ ଇଟାଭାଟି ସମଗ୍ର ବାହୁ ମଣ୍ଡଳକୁ ଧୂଆଁ ମୟ କରି ରଖିଛି । ଦିନକୁ ଦିନ ଖରାର ତାତି ବଢ଼ୁଥିବାବେଳେ ବର୍ଷ ସାରା ପାଠ ପଢ଼ାରୁ ବିରତ ରହି ଆସନ୍ତା ମାସରେ ୧୦ମ , ୧୨ଦଶ ଓ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା ଦେବାର ସମୟ । ତେବେ ପିଲାମାନେ ନା ଘରେ ରହି ପାରୁଛନ୍ତି ନା ପାଠ ପଢ଼ିପାରୁଛନ୍ତି । କାହାରିକୁ ପ୍ରତିବାଦ କଲେ ଘର ଘର ମଧ୍ୟରେ ଝଗଡ଼ା ଲାଗି ମାମଲା ଥାନାରେ ପହଂଚୁଛି । ଏ ବିଷୟରେ ରଘୁନାଥପୁର ତହସିଲଦାର ରୂପାଲିକା ଦାସଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ମୋତେ ଏ ବିଷୟରେ ଅବଗତ ଅଛି । ତେବେ ମୁଁ ରିପୋର୍ଟ ମାଗିଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାକୁ ଦୃଷ୍ଟିରେ ରଖି ବେଆଇନ ଇଟାଭାଟି ଉପୋର କଠୋର କାର୍ଯ୍ୟାନୁଷ୍ଠାନ ନେବା ସହିତ ସାଧାରଣ ଜନତାଙ୍କୁ ଧୂଆଁ ମୟ ପରିବେଶରୁ ରକ୍ଷା କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି ହୋଇଛି । ଓଡ଼ିଶା ସମାଚାର