Wednesday , March 29 2023
Home / ବିଶେଷ / ବୈଷ୍ଣବ ପରିଡ଼ାଙ୍କ ଜୟନ୍ତୀ ସମାରୋହ

ବୈଷ୍ଣବ ପରିଡ଼ାଙ୍କ ଜୟନ୍ତୀ ସମାରୋହ

ବୈଷ୍ଣବ ପରିଡ଼ାଙ୍କ ପରି ଭାବପ୍ରବଣ ଭାଷାପ୍ରେମୀ ବିରଳ
ଭୁବନେଶ୍ୱର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)-ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ସରକାର ଆଜି ଯେଉଁସବୁ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି, ସେସବୁ ମୂଳରେ ଥିଲା ବୈଷ୍ଣବ ପରିଡ଼ାଙ୍କ ଦୃଢ ଦାବି ଓ ଭାଷା ବିକାଶ ପ୍ରତି ତାଙ୍କର ନିଷ୍ଠା । ସେ ଯେପରି ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀର କର୍ଣ୍ଣଧାର ଥିଲେ ସେହିପରି ଓଡ଼ିଆ ସାହିତ୍ୟର ମଧ୍ୟ ଥିଲେ ରାଷ୍ଟ୍ରଦୂତ । ଓଡ଼ିଆରୁ ରୂଷୀୟ ଓ ଅନ୍ୟ ବିଶ୍ୱଭାଷାକୁ ଏବଂ ବିଭିନ୍ନ ଭାଷାରୁ ଓଡ଼ିଆକୁ ଅନେକ ଅମର କୃତି ଅନୁବାଦ କରି ସେ ଭାବ ବିନିମୟର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେ ଥିଲେ ଜଣେ ବିରଳ ଉଦାହରଣ । ସ୍ଥାନୀୟ ଲୋହିଆ ଏକାଡେମୀରେ ଆଜି ଅନୁଷ୍ଠିତ ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ୮୦ତମ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦେଇ ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ସାଂସଦ ତଥା କବି ଡଃ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ତଥା ସୁଲେଖକ ଶ୍ରୀଯୁକ୍ତ ପଂଚାନନ କାନୁନଗୋ, ମାନ୍ୟବର ବିରୋଧିଦଳ ଉପନେତା ତଥା କବି ଶ୍ରୀଯୁକ୍ତ ବିଷ୍ଣୁ ସେଠୀ, ପୂର୍ବତନ ମୁଖ୍ୟଶାସନ ସଚିବ ତଥା ଗଦ୍ୟଶିଳ୍ପୀ ଶ୍ରୀଯୁକ୍ତ ସହଦେବ ସାହୁ ଏହି ମର୍ମରେ ନିଜ ନିଜର ମନ୍ତବ୍ୟ ରଖିଛନ୍ତି । ତେବେ ବୈଷ୍ଣବ ପରିଡ଼ାଙ୍କର ଭାଷା ସୁରକ୍ଷା ସମ୍ପର୍କିତ ଅଧୁରା କାର୍ଯ୍ୟସବୁକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଯୁବପିଢୀ ଆଗଭର ହେବାପାଇଁ ଅତିଥିଗଣ ଆହ୍ୱାନ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ସଂସ୍କୃତି ବିଭାଗ ନିର୍ଦ୍ଧେଶକ ତଥା ଗାଳ୍ପିକ ବିଜୟ କୁମାର ନାୟକ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଧେଶକ ହିମାଂଶୁ ଖଟୁଆ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ସାହିତି୍ୟକା ଶକୁନ୍ତଳା ବଳିଆରସିଂହ, ସାହିତି୍ୟକା ବିମଳା ସିଂହ ପ୍ରମୁଖ ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ସ୍ମୃତିଚାରଣ କରିଥିଲେ । ସେମାନେ ନିଜ ନିଜର ବକ୍ତବ୍ୟରେ ସ୍ୱର୍ଗତ ପରିଡ଼ାଙ୍କୁ ଜଣେ ଦରଦୀ ନେତା ଏବଂ ସାହିତ୍ୟପ୍ରାଣ ଭାବେ ବର୍ଣ୍ଣନା କରିଥିଲେ ।
ଭାଷା ସୁରକ୍ଷା ସମ୍ମିଳନୀର ଉପସଭାପତି ଶ୍ରୀଯୁକ୍ତ ନଟବର ମହାନ୍ତି ସଭାରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପସଭାପତି ଶ୍ରୀଯୁକ୍ତ ଦଣ୍ଡପାଣି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ନିବନ୍ଧ ସଂକଳନ “ଭାଷା ଭାବନା” ଉନ୍ମୋଚିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.