ଭୁବନ,୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଂଚାୟତ ଆଦିପୁରା ଗ୍ରାମର ସ୍ୱର୍ଗତ ବସନ୍ତ ପାତ୍ରଙ୍କ ପୁଅ ଅଜୟ ପାତ୍ର(୩୦) ଜଣେ ନିଆରା ସଂଗ୍ରାହକ । ଅନୁସୂଚୀତ ଜାତି ପରିବାରରେ ଜନ୍ମିତ ଅଜୟ ଆର୍ଥôକ ଅନାଟନରେ ମାଟ୍ରିକ ଯାଏ ପାଠ ପଢିବାକୁ ସକ୍ଷମ ହୋଇଛନ୍ତି । ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିବା ତାଙ୍କ ବାପାଙ୍କ ଦେହାନ୍ତ ପରେ ପେଟ ପୋଷିବା ପାଇଁ ଦୈନିକ ମୂଲ ମଜୁରୀ କରିବାକୁ ବାଧ୍ୟ ହେଲେ ଅଜୟ । ଦୈନିକ ଖବରକାଗଜ ପଢିବା,ଟେଲିଭିଜନ ଦେଖି ଦେଶ ବିଦେଶର ଖବର ଜାଣିବା ସହିତ ଖବରକାଗଜରେ ପ୍ରକାଶିତ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ସଂଗ୍ରହ କରି ରଖୁରଖୁ ଜଣେ ସଂଗ୍ରାହକ ପାଲଟିଗଲେ । ରାଜନୀତି ହେଉ କି ଅର୍ଥନୀତି ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ପେପର କଟିଂ/ନ୍ୟୁଜ କ୍ଲିପିଂ ସାଇତି ରଖିଛନ୍ତି । ତା ସାଙ୍ଗକୁ ବହୁ ପୁରୁଣା କାଳିଆ ମୁଦ୍ରା ଠାରୁ ବର୍ତମାନର ମୁଦ୍ରା ପର୍ଯ୍ୟନ୍ତ ମଧ୍ୟ ସାଇତି ରଖିଛନ୍ତି ଅଜୟ । ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହାତାବ, ଇନ୍ଦିରା ଗାନ୍ଧି, ନନ୍ଦିନୀ ଶତପଥି ଙ୍କ ଠାରୁ ଅଟଳ ବିହାରୀ ବାଜପେୟୀ, ଜବାହର ଲାଲ ନେହେରୁ, ଲୌହ ପୁରୁଷ ସର୍ଦ୍ଧାର ପଟେଲ, ନେତାଜୀ ସୁଭାଷ ବୋଷ, ଭାରତର ଶିଳ୍ପ ଜନକ ଜାମସେଦଜୀ ଟାଟା ଙ୍କ ଜୀବନୀ ସଂପର୍କିତ ଲେଖା /ଆଲେଖ୍ୟକୁ ସଂଗ୍ରହ କରି ରଖିବା ସହ ଯୁବବର୍ଗ ଓ ବିଶେଷକରି ଛାତ୍ରଛାତ୍ରୀ ଙ୍କୁ ଦେଖାଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପ୍ରବର୍ତାଉଛନ୍ତି । ଜଣେ ଦିନ ମଜୁରିଆ ହେଲେ ମଧ୍ୟ ତାଙ୍କର ଏହି ନିଆରା ତଥ୍ୟ ସଂଗ୍ରହକୁ ବୁଦ୍ଧିଜୀବୀ ମହଲ ଉଚ୍ଚ ପ୍ରଶଂସା କରୁଛନ୍ତି । ଭବିଷ୍ୟତରେ ନିଜସ୍ୱ ଉଦ୍ୟମରେ ଏକ ସଂଗ୍ରହାଳୟ କରିବାକୁ ଯୋଜନା ରଖିଛନ୍ତି ବୋଲି କୁହନ୍ତି ଅଜୟ । ଓଡ଼ିଶା ସମାଚାର